ଦଶପଲ୍ଲା ୨୮/୦୧:  ଆଜି ଦଶପଲ୍ଲା ମହାବୀର କ୍ଷେତ୍ରରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ପ୍ରଥମ ପର୍ଯ୍ୟାୟ ରଥ କାଠ ପଠା ଯାଇଛି। ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଛା ଓ ଟାକରା ସଂରକ୍ଷିତ ଜଙ୍ଗଲରୁ ରଥ କାଠ ବୋଝେଇ ହୋଇ ୩ଟି ଟ୍ରକ ଯୋଗେ ପ୍ରଥମେ ଦଶପଲ୍ଲାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ମହାବୀର ମନ୍ଦିର ଠାରେ ପହଞ୍ଚିଥିଲା । ଏସିଏଫ୍   ସତ୍ୟଜିତ୍ କର ଓ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆସିଥିବା ଆଜ୍ଞାମାଳ ଧରି ପହଞ୍ଚିବା ପରେ ରୀତି ନୀତି ଅନୁଯାୟୀ ରଘୁନାଥ ଜୀଉ ଓ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। 

ଆଜି ପଠା ଯାଇଥିବା କାଠ ଗୁଡ଼ିକ ମଧ୍ୟରେ ୧୨ ଫୁଟରୁ ୨୦ ଫୁଟ ଲମ୍ବ ଓ ୩ ରୁ ୪ ଫୁଟ ଗୋଲେଇର ୫୩ ଖଣ୍ଡ ଧଉରା କାଠ ରହିଛି। ସେହିଭଳି ୨୦ ଫୁଟ ଲମ୍ବ ୪ଫୁଟ ଗୋଲେଇର ୪୮ ଖଣ୍ଡ ଅସନ କାଠ ରହିଛି। ତେବେ କେଉଁ ଆବାହମାନ କାଳରୁ ଶ୍ରୀମନ୍ଦିର ପ୍ରଥା ଓ ରୀତିନୀତି ପରମ୍ପରା ଅନୁଯାୟୀ ସରସ୍ଵତୀ ପୂଜା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ବନାଞ୍ଚଳରୁ ହିଁ ଯିବାର ବିଧି ବ୍ୟବସ୍ଥା ରହିଛି ବୋଲି ଏସିଏଫ୍ ଶ୍ରୀ କର ସୂଚନା ଦେଇଛନ୍ତି। ଚଳିତ ବର୍ଷ ରଥ କାଠ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଅବଶିଷ୍ଟ କାଠ ପର୍ଯ୍ୟାୟ କ୍ରମେ ପଠାଯିବ ବୋଲି ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି। ରଥକାଠ ପୂଜାର୍ଚ୍ଚନା ସମୟରେ ସଦର ବନପାଳ ଶ୍ରବଣ କୁମାର ବଳିଆର ସିଂ, ଆଲୋକ ଗୁରୁ, ରାକେଶ କୁମାର ସାହୁ, ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।