ଭୁବନେଶ୍ୱର,୦୨/୦୩: ଶ୍ରୀଲିଙ୍ଗରାଜଙ୍କ ଯାନିଯାତ୍ରା ଓ ପରମ୍ପରା ରକ୍ଷା କ୍ଷେତ୍ରରେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି । ଫଳରେ ଆବହମାନ କାଳରୁ ବିଧିମତେ ଚାଲିଆସିଥିବା  ଶ୍ରୀଜିଉଙ୍କ ୩ ପ୍ରମୁଖ ପରମ୍ପରା ବନ୍ଦ  ହୋଇଯାଇଛି । ଲଗାତର ୧୧ ବର୍ଷ  ହେବ ପାଳନ ହେଉନି ମହାପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଶନିବାର ମଧ୍ୟ ହାଣ୍ଡିଭଙ୍ଗା ଯାତ୍ରା  ପାଳନ ନ ହେବାରୁ ବଲ୍ଲଭ ନୀତି  ପରଠୁ ଅର୍ଥାତ୍‌ ମଧ୍ୟାହ୍ନ ଠାରୁ  ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ  ରହିଛି । ଭୋଗରାଗ ନୀତି  ସମ୍ପାଦନ ନ ହୋଇ ଉପାସରେ  ଅଛନ୍ତି ଠାକୁର । ଏହି ବିଭ୍ରାଟ  କେବଳ ପ୍ରଶାସନର ଅନାଗ୍ରହ  କାରଣରୁ ଘଟୁଛି ବୋଲି  ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତ  ମାନେ ଅଭିଯୋଗ କରିଛନ୍ତି ।  

ଉଭୟ ମନ୍ଦିରର ସେବାୟତଙ୍କ କହିବା  ଅନୁଯାୟୀ, ପ୍ରତିବର୍ଷ ମହାଶିବରାତ୍ରି ପରେ  ପଡ଼ୁଥିବା ଶନିବାରରେ ଶ୍ରୀଲିଙ୍ଗରାଜ  ଶ୍ରୀକପିଳେଶ୍ୱରଙ୍କ ପୀଠରେ ବିଜେ କରିବାର  ପରମ୍ପରା ରହିଛି । ଏହାକୁ ହାଣ୍ଡଭିଙ୍ଗା ଯାତ୍ରା  କୁହାଯାଏ । ଯାହା ୨୦୧୫ ପରଠୁ ବନ୍ଦ  ରହିଛି । ପରମ୍ପରା ସ୍ୱାଭାବିକ କରିବା  ଲାଗି ଉଚ୍ଚନ୍ୟାୟାଳୟ ଦେବୋତ୍ତର  କମିଶନରଙ୍କୁ ଏକାଧିକ ନିର୍ଦ୍ଦେଶ  ଦେଲେଣି । ସମସ୍ତ ନିର୍ଦ୍ଦେଶରେ  ଜିଲ୍ଲାପ୍ରଶାସନର ସହଯୋଗ  ନେଇ ଏହି ନୀତିକୁ ସ୍ୱାଭାବିକ  କରିବାକୁ ସ୍ପଷ୍ଟ ଭାବେ  ଉଲ୍ଲେଖ ରହିଛି ।  କିନ୍ତୁ ନିର୍ଦ୍ଦେଶନାମା  କାର୍ଯ୍ୟକାରୀ କରିବା ଦିଗରେ ଏଯାଏ  ସରକାରୀସ୍ତରରେ ତତ୍ପରତା ପ୍ରକାଶ  ପାଇନାହିଁ । ଫଳରେ ଦୁଇ ଠାକୁରଙ୍କ ମଧ୍ୟରେ  ବିଗତ ୧୧ ବର୍ଷ ହେଲା ଯା ଆସ ବନ୍ଦ ରହିବା  ସହିତ ୩ ପ୍ରମୁଖ ପରମ୍ପରା (ହାଣ୍ଡିଭଙ୍ଗା  ଯାତ, ଚନ୍ଦନ ଓ ଶୀତଳ ଷଷ୍ଠୀ)ରେ ବିଘ୍ନ  ଘଟୁଛି । ତେଣୁ ଏବେକାର ସରକାର ପରମ୍ପରା  ରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି  ସେବାୟତ,ଶ୍ରଦ୍ଧାଳୁ ଓ ସାମାଜିକ କର୍ମୀ ମାନେ  ମିଳିତ ସ୍ୱର ଉଠାଇଛନ୍ତି ।