ଭୁବନେଶ୍ୱର, ୧୮/୦୮: ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ କେତେ ପ୍ରସ୍ତୁତ? ତାହା ଜାଣିବା ପାଇଁ ବିଧାନସଭାର ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ (ଓଫଡ୍ରା)ରେ ଏହାର ସ୍ଥିତି ପରଖିଛନ୍ତି । ଓଡ଼ିଶା ଅଗ୍ନିଶମବାହିନୀକୁ ଆହୁରି ସଶକ୍ତ କରିବା ସହ ବିଶ୍ୱରେ ୧ ନମ୍ବର କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କମିଟି ସୂଚାଇଛି ।
ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଆଶ୍ରିତ ପଟ୍ଟନାୟକ, ଅଶୋକ ମହାନ୍ତି, ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର, ପ୍ରଦ୍ୟୁମ୍ନ କୁମାର ନାଏକ ଓଫଡ୍ରା ପଡି଼ଆରେ ଆଗ୍ନିକମାନଙ୍କ ପ୍ରଦର୍ଶିତ ବିଭିନ୍ନ ଉଦ୍ଧାର ପଦ୍ଧତିକୁ ଅନୁଧ୍ୟାନ କରିଥିଲେ । ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ, ଡିଆଇଜି ଡ. ଉମାଶଙ୍କର ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ଉପକରଣଗୁଡିକର କାର୍ଯ୍ୟଶୈଳୀ ସମ୍ପର୍କରେ କମିଟି ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ବିଗତ ବର୍ଷରେ ଅଗ୍ନିଶମବାହିନୀର କାର୍ଯ୍ୟପନ୍ଥା ଓ ନାନା ସମସ୍ୟା କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ।
ଷ୍ଟାଣ୍ଡିଂ କମିଟି ଏହି ସବୁ ତଥ୍ୟକୁ ତର୍ଜମା କରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଥିଲେ, ରାଜ୍ୟରେ ଅଗ୍ନିଶମ ବିଭାଗର ଅନେକ ଆବଶ୍ୟକତା ରହିଛି । ସେ ନେଇ ଅଗ୍ନିଶମ ବାହିନୀ କର୍ତ୍ତୃପକ୍ଷଙ୍କ ସହ ସବିଶେଷ ଆଲୋଚନା ହୋଇଛି । ନୂଆ ସରକାର ଗଢ଼ିବାର ବର୍ଷେ ଭିତରେ ଅଗ୍ନିଶମ ବିଭାଗର ଅନେକ ସମସ୍ୟାର ସମାଧାନ ହୋଇଛି । ଗଲା ୧୦ ବର୍ଷରେ ଅଗ୍ନିଶମରେ କୌଣସି ନୂଆ ନିଯୁକ୍ତି ହୋଇନାହିଁ । ଚଳିତ ବର୍ଷ ୯୫୦ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଦୀର୍ଘ ବର୍ଷ ଧରି ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ହୋଇନଥିଲା ।
ଚଳିତ ବର୍ଷ ୬୦୦ ଜଣଙ୍କୁ ପଦୋନ୍ନତି ମିଳିଛି । ରାଜ୍ୟର ସମସ୍ତ ଆଗ୍ନିକଙ୍କୁ ଫାୟାର ସେଫ୍ଟି ସୁଟ୍ ଦିଆଯାଇଛି । ପୂର୍ବରୁ ଅଗ୍ନିଶମ ବିଭାଗକୁ ମିଳୁଥିବା ପାଣ୍ଠି ଖର୍ଚ୍ଚ ହୋଇପାରୁନଥିଲା । ଚଳିତ ବର୍ଷ ଅନେକ ନୂଆ ଯାନ୍ତ୍ରିକ ଉପକରଣ କିଣାଯିବା ସହ ପାଖାପାଖି ୯୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ଓଡ଼ିଶା ଅଗ୍ନିଶମ ବାହିନୀକୁ ବିଶ୍ୱର ଏକ ନମ୍ବର କରିବା ପାଇଁ ଆମେ ଚେଷ୍ଟିତ ।