ଭୁବନେଶ୍ୱର, ୧୮/୦୮: ବାତ୍ୟା,  ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ  ଅଗ୍ନିକାଣ୍ଡର ମୁକାବିଲା ପାଇଁ ଅଗ୍ନିଶମ  ବାହିନୀ କେତେ ପ୍ରସ୍ତୁତ? ତାହା ଜାଣିବା  ପାଇଁ ବିଧାନସଭାର ଗୃହ ବିଭାଗ ଷ୍ଟାଣ୍ଡିଂ  କମିଟି ସଦସ୍ୟମାନେ ବରମୁଣ୍ଡାସ୍ଥିତ  ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର  ପ୍ରତିଷ୍ଠାନ (ଓଫଡ୍ରା)ରେ ଏହାର ସ୍ଥିତି ପରଖିଛନ୍ତି । ଓଡ଼ିଶା ଅଗ୍ନିଶମବାହିନୀକୁ  ଆହୁରି ସଶକ୍ତ କରିବା ସହ ବିଶ୍ୱରେ  ୧ ନମ୍ବର କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କମିଟି ସୂଚାଇଛି ।  

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ବିଧାୟକ ଆଶ୍ରିତ  ପଟ୍ଟନାୟକ, ଅଶୋକ ମହାନ୍ତି, ଟଙ୍କଧର  ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ, ଅଶ୍ୱିନୀ  ପାତ୍ର, ପ୍ରଦ୍ୟୁମ୍ନ କୁମାର ନାଏକ ଓଫଡ୍ରା  ପଡି଼ଆରେ ଆଗ୍ନିକମାନଙ୍କ ପ୍ରଦର୍ଶିତ ବିଭିନ୍ନ  ଉଦ୍ଧାର ପଦ୍ଧତିକୁ ଅନୁଧ୍ୟାନ କରିଥିଲେ । ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ,  ଡିଆଇଜି ଡ. ଉମାଶଙ୍କର ଦାଶ ଓ ଅନ୍ୟ  ବରିଷ୍ଠ ଅଧିକାରୀମାନେ ଅତ୍ୟାଧୁନିକ  ଅଗ୍ନି ନିରାପତ୍ତା ଉପକରଣଗୁଡିକର  କାର୍ଯ୍ୟଶୈଳୀ ସମ୍ପର୍କରେ କମିଟି  ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ।  ବିଗତ ବର୍ଷରେ ଅଗ୍ନିଶମବାହିନୀର କାର୍ଯ୍ୟପନ୍ଥା ଓ ନାନା ସମସ୍ୟା କମିଟି  ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । 

ଷ୍ଟାଣ୍ଡିଂ କମିଟି ଏହି ସବୁ ତଥ୍ୟକୁ ତର୍ଜମା  କରିବା ପରେ ସରକାରଙ୍କୁ ରିପୋର୍ଟ  ପ୍ରଦାନ କରିବ ।  ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଥିଲେ, ରାଜ୍ୟରେ ଅଗ୍ନିଶମ ବିଭାଗର  ଅନେକ ଆବଶ୍ୟକତା ରହିଛି । ସେ  ନେଇ ଅଗ୍ନିଶମ ବାହିନୀ କର୍ତ୍ତୃପକ୍ଷଙ୍କ  ସହ ସବିଶେଷ ଆଲୋଚନା ହୋଇଛି ।  ନୂଆ ସରକାର ଗଢ଼ିବାର ବର୍ଷେ ଭିତରେ  ଅଗ୍ନିଶମ ବିଭାଗର ଅନେକ ସମସ୍ୟାର  ସମାଧାନ ହୋଇଛି । ଗଲା ୧୦ ବର୍ଷରେ  ଅଗ୍ନିଶମରେ କୌଣସି ନୂଆ ନିଯୁକ୍ତି  ହୋଇନାହିଁ । ଚଳିତ ବର୍ଷ ୯୫୦  ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।  ଦୀର୍ଘ ବର୍ଷ ଧରି ବିଭାଗୀୟ ଅଧିକାରୀଙ୍କ  ପଦୋନ୍ନତି ହୋଇନଥିଲା ।  

ଚଳିତ ବର୍ଷ ୬୦୦ ଜଣଙ୍କୁ ପଦୋନ୍ନତି ମିଳିଛି । ରାଜ୍ୟର ସମସ୍ତ ଆଗ୍ନିକଙ୍କୁ ଫାୟାର ସେଫ୍‌ଟି ସୁଟ୍‌ ଦିଆଯାଇଛି । ପୂର୍ବରୁ ଅଗ୍ନିଶମ ବିଭାଗକୁ ମିଳୁଥିବା ପାଣ୍ଠି ଖର୍ଚ୍ଚ ହୋଇପାରୁନଥିଲା । ଚଳିତ ବର୍ଷ ଅନେକ ନୂଆ ଯାନ୍ତ୍ରିକ ଉପକରଣ କିଣାଯିବା ସହ ପାଖାପାଖି ୯୮ ପ୍ରତିଶତ  ଅର୍ଥ ଖର୍ଚ୍ଚ ହୋଇଛି । ଓଡ଼ିଶା ଅଗ୍ନିଶମ ବାହିନୀକୁ ବିଶ୍ୱର ଏକ ନମ୍ବର କରିବା  ପାଇଁ ଆମେ ଚେଷ୍ଟିତ ।