ମୁମ୍ବାଇ ୩୦/୧୦: ଆସନ୍ତା ୧ ତାରିଖରେ ଥିଏଟରକୁ ଆସିବ ଅନିସ ବଜ୍‌ମିଙ୍କ ନିର୍ଦ୍ଦେଶିତ ‘ଭୁଲ୍‌ ଭୁଲୈୟା-୩’ । ଫିଲ୍ମରେ କାର୍ତ୍ତିକ ଆର‌୍ୟନଙ୍କ ସହ ବିଦ୍ୟା ବାଲନ, ମାଧୁରୀ ଦୀକ୍ଷିତ ନଜର ଆସିବେ । ତେବେ ସର୍‌ପ୍ରାଇଜ୍‌ ପ୍ୟାକେଜ୍‌ ହେଉଛନ୍ତି ତୃପ୍ତି ଦିମରୀ । ଫିଲ୍ମରେ ସର୍‌ପ୍ରାଇଜ୍‌ ଟ୍ୱିଷ୍ଟ୍‌ ରହିଛି ବୋଲି ଅନିସ କହିଛନ୍ତି । ଖାସ୍‌କରି କାର୍ତ୍ତିକ ଓ ତୃପ୍ତିଙ୍କ କେମିଷ୍ଟ୍ରି ଉପରେ ସେ ଜୋର ଦେଇଛନ୍ତି । ଫିଲ୍ମରେ ତୃପ୍ତିଙ୍କ ଭୂମିକା କାହାଣୀର ଟ୍ୱିଷ୍ଟ୍‌ରେ ଅଧିକ ଗୁରୁତ୍ୱପୂର୍ଣ୍ଣ । 

ଅନିସ କହିଛନ୍ତି, ଏହି ଭୂମିକା ପାଇଁ ଫିଲ୍ମ ଟିମ୍‌ ପ୍ରଥମେ ଅନ୍ୟ ଅଭିନେତ୍ରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତୃପ୍ତିଙ୍କୁ କାଷ୍ଟ୍‌ କରିବା ସବୁଠୁ ଭଲ ନିଷ୍ପତ୍ତି ଥିଲା । ଏଥିରେ ନିଜ ଭୂମିକା ଓ ଅଭିନୟ ଜରିଆରେ ତୃପ୍ତି ସମସ୍ତଙ୍କୁ ଚକିତ କରିବେ । ତାଙ୍କ ଚରିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ରୋମାଞ୍ଚିତ କରିବ । ଫିଲ୍ମ ‘ଆନିମଲ୍‌’ ଜରିଆରେ ତୃପ୍ତି ରାତାରାତି ପ୍ରସିଦ୍ଧି ପାଇଥିଲେ । ତେବେ ପୂର୍ବର କିଛି ପ୍ରୋଜେକ୍ଟ ଜରିଆରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ଦର୍ଶକୀୟ ଆଦୃତି ପାଇଥିଲେ । ନିକଟରେ ଫିଲ୍ମ ‘ଭିକି ବିଦ୍ୟା କା ୱ ୱାଲା ଭିଡିଓ’ରେ ରାଜକୁମାର ରାଓଙ୍କ ସହ ସେ ନଜର ଆସିଥିଲେ ।