ଭୁବନେଶ୍ୱର : ଓଡ଼ିଶା ଶିଳ୍ପ ଜଗତ ପାଇଁ ଏକ ଅପୂର୍ବ ସଫଳତା। ରାଜ୍ୟରେ ଏକ ଅତ୍ୟାଧୁନିକ ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ ଇକୋସିଷ୍ଟମ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନିଆ ଯାଇଛି। ଭାରତରେ ସବଷ୍ଟ୍ରେଟ୍ ମାନୁଫ୍ୟାକ୍ଚରିଂ ଟେକ୍ନୋଲୋଜିର ବିକାଶ ପାଇଁ ଓଡ଼ିଶା ସରକାର ଓ ଆମେରିକାର ପ୍ରସିଦ୍ଧ 'ଇଣ୍ଟେଲ୍ କର୍ପୋରେସନ' (Intel Corporation) ଏବଂ '3DGS Inc.' ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ସ୍ୱାକ୍ଷରିତ ସମୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଇଣ୍ଟେଲର ସିଇଓ ଲିପ୍-ବୁ ଟାନଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶାରେ ଏକ 'ଆଡଭାନ୍ସଡ୍ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍ ମାନୁଫ୍ୟାକ୍ଚରିଂ ଫ୍ୟାସିଲିଟି' ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଉକ୍ତ ମେଗା ପ୍ରକଳ୍ପଟି ଭୁବନେଶ୍ୱର-ଖୋର୍ଦ୍ଧା ଅଞ୍ଚଳରେ ପ୍ରତିଷ୍ଠା କରାଯିବା ପାଇଁ ପ୍ରସ୍ତାବ ଦିଆ ଯାଇଛି। ପ୍ରାୟ ୩.୩ ବିଲିୟନ ଡଲାରର ଆନୁମାନିକ ନିବେଶର ଏହି ପ୍ରକଳ୍ପ, ଦେଶର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉତ୍ପାଦନ କ୍ଷେତ୍ରରେ ଏକ ବୃହତ୍ତମ ପୁଞ୍ଜିନିବେଶ ବୋଲି କୁହାଯାଉଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ ୫ ରୁ ୬ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ୧୮୦୦ରୁ ଅଧିକ ଉଚ୍ଚ-କୁଶଳୀ ଓ ଦକ୍ଷତାପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପରୋକ୍ଷ ଭାବେ ମାନୁଫ୍ୟାକ୍ଚରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ କର୍ମ ସଂସ୍ଥାନ ସୃଷ୍ଟି ହେବ।
Congratulations to the Govt. of Odisha, Intel and 3DGS on signing an MoU to bring substrate manufacturing technology to India.
— Ashwini Vaishnaw (@AshwiniVaishnaw) May 29, 2026
This will further advance semiconductor ecosystem in India. pic.twitter.com/elxs6r8muN
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନର ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକଶିତ କରିବା ପାଇଁ ସରକାରଙ୍କ ଯେଉଁ ସଂକଳ୍ପ ରହିଛି, ଏହି ଚୁକ୍ତି ସେହି ଦିଗରେ ଏକ ବଡ଼ ସଫଳତା। ଆପ୍ଲାଇଡ୍ ମ୍ୟାଟେରିଆଲ୍ସ, ଲାମ୍ ରିସର୍ଚ୍ଚ, ଟୋକିଓ ଇଲେକ୍ଟ୍ରୋନ, ମର୍କ ଇଲେକ୍ଟ୍ରୋନିକ୍ସ ଏବଂ ଟାଟା ଇଲେକ୍ଟ୍ରୋନିକ୍ସ-ASML ମଧ୍ୟରେ ହୋଇଥିବା ଚୁକ୍ତି ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ଦର୍ଶାଉଛି।
ଏହି କାରଖାନାରେ ମୁଖ୍ୟତଃ ଆଡଭାନ୍ସଡ୍ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍ ଏବଂ ହାଇ-ଡେନସିଟି ଇଣ୍ଟରକନେକ୍ଟ ସବଷ୍ଟ୍ରେଟ୍ ଭଳି ଅତ୍ୟାଧୁନିକ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ କରାଯିବ। ଏଥିପାଇଁ ବିଶ୍ୱପ୍ରସିଦ୍ଧ କମ୍ପାନୀ 'ଇଣ୍ଟେଲ୍' ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରକ୍ରିୟାଗତ ପାରଦର୍ଶିତା ପ୍ରଦାନ କରିବ।
ଭାରତ ସେମିକଣ୍ଡକ୍ଟର ମିଶନର ଚେଷ୍ଟାକୁ ଏହି ପଦକ୍ଷେପ ଆହୁରି ମଜବୁତ କରିବ। ଏହି ପ୍ରକଳ୍ପ ଜରିଆରେ ଓଡ଼ିଶା ବିଶ୍ୱ ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ ଏବଂ ଡିଜିଟାଲ୍ ଭିତ୍ତିଭୂମିର ଏକ ପ୍ରମୁଖ ହବ୍ ଭାବେ ଉଭା ହେବାକୁ ଯାଉଛି।
ଆହୁରି ମଧ୍ୟ ପଢନ୍ତୁ : ବର୍ଷକରେ ହୋଇଛି ୪୮, ୦୦୦ କୋଟିର ବ୍ୟାଙ୍କିଂ ଠକେଇ : RBI
ଦେଖନ୍ତୁ ଏହି ଭିଡିଓ - 'ଏନକାଉଣ୍ଟର କରିବା ପୋଲିସର ଉଦ୍ଦେଶ୍ୟ ନୁହେଁ, ଅପରାଧୀ ଯଦି ପୋଲିସଙ୍କୁ ଟାର୍ଗେଟ କରିବେ..' : DG YB Khurania