ଭୁବନେଶ୍ୱର,୧୨/୪ : ଚଳିତ ବର୍ଷ ଏପ୍ରିଲ ୧୬ ରୁ ୧୮ ତାରିଖ ଦେଶର ୨୫ ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି ବୋଲି ଗଣମାଧ୍ୟମକୁ ସମ୍ବୋଧନ କରି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସଂସଦରେ ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ ଚର୍ଚ୍ଚା କେବଳ ଦେଶର ନାରୀଶକ୍ତିକୁ ୨୦୨୯ ମସିହାରେ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଦେବନାହିଁ ବରଂ ୨୦୪୭ ମସିହାରେ ବିକଶିତ ଭାରତର ସ୍ୱପ୍ନକୁ ସଫଳ ରୂପାୟନ କରିବାର ଆଧାରଶୀଳା ହେବ । ଏହା ମହିଳାଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶର ରାସ୍ତା ଖୋଲିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । “ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ନେତୃତ୍ୱ” - ୭ ‘ ସ ' ହେଉଛି ନାରୀ ଅଧିକାର ପାଇଁ ମୂଳ ଆଧାର । ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନୁହେଁ ବରଂ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଦୀର୍ଘଦିନର ବହୁ ପ୍ରତିକ୍ଷିତ ଶୁଭ ମୁହୁର୍ତର ଅୟମାରମ୍ଭ ସହ ଏପ୍ରିଲ ୧୬ରୁ ୧୮ ଭିତରେ ମୋଦୀଜିଙ୍କ ନେତୃତ୍ୱରେ ଦୃଢ଼ ନିର୍ଣ୍ଣୟ ନେବାର ଶକ୍ତିକୁ ସାର ବିଶ୍ୱ ଦେଖିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ମହିଳାଙ୍କ ମାଲିକାନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନରେ ଘରେ ଘରେ ପାଇପ ଯୋଗେ ପାନୀୟଜଳ, ଜନଧନ ଯୋଜନାରେ ବ୍ୟାଙ୍କଖାତା, ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ମହିଳା ସ୍ୱାଭିମାନ ଓ ସଶକ୍ତିକରଣର ସୁଦୃଢ ମୂଳଦୁଆ ଉପରେ ମାତୃ ଶକ୍ତିବନ୍ଦନ ଅଧିନୟମର ୩୩ ପ୍ରତିଶତ ମହିଳା ସ୍ଥାନ ସଂରକ୍ଷଣର ସୁଦୃଶ୍ୟ ଅଟାଳିକା ଠିଆହେବାକୁ ଯାଉଛି । ଏହିକ୍ରମରେ ମୋଦୀଙ୍କ ମାର୍ଗଦର୍ଶନରେ ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣର ପଥପ୍ରଦର୍ଶକ ହୋଇଛି ।
ମହିଳା ମୋଦୀଜିଙ୍କ ଶାସନର ପ୍ରାଣକେନ୍ଦ୍ର । ଗର୍ଭବତୀ ମହିଳାଙ୍କ ପାଇଁ ମାତୃ ବନ୍ଦନା ହେଉ ବା ପିଏମ ପୋଷଣ, ସୁରକ୍ଷିତ ମାତୃତ୍ୱ ଅଭିଯାନ, ସକ୍ଷମ ଅଙ୍ଗନବାଡ଼ି, ମିଶନ ଇନ୍ଦ୍ରଧନୁଷ, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଆଦି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ନାରୀଶକ୍ତି ପାଇଁ ଅଖଣ୍ଡ ନିଷ୍ଠାର ପରିଚାୟକ । ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନ ଗୁଡ଼ିକ ଉତ୍ସବ ରୂପରେ ପାଳନ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଘରେ ବସି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ ରାଲି, ଶୋଭାଯାତ୍ରା ଓ ସଭା ମାଧ୍ୟମରେ ନାରୀଶକ୍ତିର ବିଜୟର ଏହି ମହାନ ଦିନ ଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟର ମାତୃଶକ୍ତି ସମାଜିକ ଗଣମାଧ୍ୟମରେ ନିଜ ସମର୍ଥନ ଜାହିର କରି ନିଜେ ମହିଳା ହେବାର ଗର୍ବକୁ ଆହୁରି ସଗର୍ବେ ପରିପ୍ରକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି । ଏହି ଅବସରରେ ସାଂସଦ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟସ୍ତରର ‘‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’’ ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ସେ ମଧ୍ୟ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସଫଳ ମହିଳାମାନେ ଅଂଶଗ୍ରହଣ କରିବେ। ସରକାରୀ, ଶିକ୍ଷା, ବିଜ୍ଞାନ, କ୍ରୀଡା, ଉଦ୍ୟୋଗୀତା, ଗଣମାଧ୍ୟମ, ସାମାଜିକ କାର୍ଯ୍ୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସମ୍ମେଳନରେ ଏକତ୍ରିତ ହେବେ। ଭାରତର ବିକାଶ ମାର୍ଗ ଗଠନରେ ମହିଳାମାନଙ୍କ ଅଧିକ ଅଂଶଗ୍ରହଣ ଲାଗି ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ସମ୍ମେଳନ ଆୟୋଜନ କରାଯାଉଛି। ଏହା ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଶାସନ ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କର ବର୍ଦ୍ଧିତ ଭୂମିକାକୁ ମଧ୍ୟ ଉଜ୍ଜ୍ୱଳ କରିବ।