ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ରେ ପାକିସ୍ତାନୀ ନାଗରିକଙ୍କ ପ୍ରବେଶ ନିଷେଧ। ଏଥିପାଇଁ ୟୁଏଇ ପ୍ରତିବନ୍ଧକ ଲଗେଇଛି। ତାର ସାଧାରଣ ଭିସା ଜାରି କରିବା ଅଣ ଆନୁଷ୍ଠାନିକ ଭାବେ ରୋକି ଦେଇଛି। ପାକିସ୍ତାନର ଅତିରିକ୍ତ ଗୃହ ସଚିବ ସଲମାନ ଚୌଧୁରୀ ଗୁରୁବାର ସିନେଟ୍ର ସ୍ଥାୟୀ ମାନବାଧିକାର ସମିତିକୁ କହିଛନ୍ତି ଯେ, ୟୁଏଇ ନୀଳ ପାସପୋର୍ଟ (ସରକାରୀ) ଓ କୂଟନୈତିକ ପାସପୋର୍ଟ ବ୍ୟତୀତ ସମସ୍ତ ପାକିସ୍ତାନୀ ପାସପୋର୍ଟଧାରୀଙ୍କୁ ଅଣ ଆନୁଷ୍ଠାନିକ ଭାବେ ଭିସା ପ୍ରଦାନ ବନ୍ଦ କରି ଦେଇଛି। ସେ କହିଛନ୍ତି ,ୟୁଏଇ ଓ ସାଉଦୀ ଆରବ ଉଭୟ ହିଁ ପାକିସ୍ତାନୀ ପାସପୋର୍ଟ ଉପରେ ଆନୁଷ୍ଠାନିକ / ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଏଡ଼ାଇ ଯାଉଛନ୍ତି , କାରଣ ଥରେ ଆନୁଷ୍ଠାନିକ ନିଷେଧ ଲାଗୁ ହେବା ପରେ ଏହାକୁ ଉଠାଇବା ବହୁତ ମୁସ୍କିଲ ହୋଇଯାଏ।
ସମିତିର ଅଧ୍ୟକ୍ଷ ସିନେଟର ୱଲିଦ୍ ଇକବାଲ ଓ ସିନେଟର ସମିନା ମୁମତାଜ ଜହରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ତାଙ୍କ ଅନୁସାରେ, ଏହି ପଦକ୍ଷେପ ସେହି ଘଟଣା ଗୁଡ଼ିକ ପରେ ନିଆଯାଇଛି , ଯେଉଁଥିରେ ପାକିସ୍ତାନୀ ପର୍ଯ୍ୟଟକ ଓ ଭିଜିଟ୍ ଭିସାଧାରୀ ୟୁଏଇରେ ଅବୈଧ କାର୍ଯ୍ୟକଳାପ ଓ ଅପରାଧ ଗୁଡ଼ିକରେ ଲିପ୍ତ ଥିବା ଜଣା ପଡ଼ିଛି। ସମିନା ଜହରୀ କହିଛନ୍ତି ଯେ, ୟୁଏଇର ମୁଖ୍ୟ ଚିନ୍ତା ଏହା ଯେ, ପାକିସ୍ତାନରୁ ଆସୁଥିବା ଲୋକ ସେଠାରେ ପହଞ୍ଚି ଅପରାଧିକ କାର୍ଯ୍ୟକଳାପ ଗୁଡ଼ିକରେ ସାମିଲ ହେଉଛନ୍ତି। ଏବେ ବହୁତ କମ୍ ଭିସା ଜାରି ହେଉଛି, ତାହା ମଧ୍ୟ ଖୁବ୍ ମୁସ୍କିଲ ପ୍ରକ୍ରିୟା ପରେ।
ଉଲ୍ଲେଖନୀୟ ଯେ, ଏହି ସମସ୍ୟା ଗତ ଅନେକ ମାସ ହେବ ଚାଲି ଆସୁଛି। ଜୁଲାଇ ୨୦୨୫ରୁ ପାକିସ୍ତାନୀ ଆବେଦନ ଗୁଡ଼ିକର ବ୍ୟାପକ ଭାବେ ପ୍ରତ୍ୟାଖ୍ୟାନ କରାଯାଉଛି। ପାକିସ୍ତାନର ଗୃହମନ୍ତ୍ରୀ ,ମୋହସିନ ନକଭି ,ତାଙ୍କ ୟୁଏଇ ପ୍ରତିପକ୍ଷଙ୍କ ସହ ଏହି ପ୍ରସଙ୍ଗ ଉଠାଇ ଥିଲେ। ଜୁଲାଇ ୧୧ରେ ଏକ ବୈଠକରେ , ୟୁଏଇ ଉପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ, ସେଫ୍ଟନାଣ୍ଟ ଜେନେରାଲ ଶେଖ୍ ସୈଫ୍ ବିନ୍ ଜାୟେଦ୍ ଅଲ୍ ନହୟାନ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ ଭିସା ରୋକ୍କୁ ହଟାଯାଇ ନାହିଁ।