ପୁରୀ, ୨୩/୦୭ : ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ପରମ୍ପରା ମାନବୀୟ ଲୀଳା ଆଧାରିତ । ଜନ୍ମବେଦିରୁ ଫେରିବା ବେଳେ ମାଉସୀ ଘର ନିକଟରେ ରଥ ଅଟକାଇ ପୋଡ଼ପିଠା ଖାଇବା, ରଥାରୂଢ଼ ହୋଇ ଜନ୍ମବେଦିକୁ ଯିବା ସମୟରେ ମାଉସୀ ମା’ଙ୍କୁ ଫଳମୂଳ ଓ ମିଷ୍ଟାନ୍ନ ଭେଟି ଦେବା ଏସବୁ ଏହାର ଜ୍ୱଳନ୍ତ ଉଦାହରଣ । କାଳିଆ ସାଆନ୍ତଙ୍କ ନିକଟରେ ପ୍ରତ୍ୟେକ ଦିନ ନାନାଦି ବ୍ୟଞ୍ଜନ ଲାଗି ହେଉଥିଲେ ମଧ୍ୟ ମାଉସୀ ମା’ ମନ୍ଦିରର ପୋଡ଼ପିଠାର ମୋହ ନିଆରା । ପ୍ରତିବର୍ଷ ଭଳି ଚଳିତବର୍ଷ ବାହୁଡ଼ାଯାତ୍ରାରେ ପ୍ରଭୁଙ୍କ ନିକଟରେ ପୋଡ଼ପିଠା ଭୋଗ ଲଗେଇବାକୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ସାଧାରଣ ପୋଡ଼ ପିଠାଠାରୁ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପୋଡ଼ ପିଠାର ପ୍ରସ୍ତୁତି ଶୈଳୀ ଖୁବ୍ ଭିନ୍ନ । ନାଁ ସିନା ପୋଡ଼ ପିଠା କିନ୍ତୁ ଏହାକୁ ପୋଡ଼ାଯାଇନଥାଏ । ବାଷ୍ପ ଦ୍ୱାରା ସିଝାଇ ପୋଡ଼ ପିଠା ପ୍ରସ୍ତୁତ ହୁଏ । ପରମ୍ପରା ଅନୁଯାୟୀ ମଣିମାଙ୍କ ନିକଟରେ କୌଣସି ବି ପୋଡ଼ାଦ୍ରବ୍ୟ ଲାଗି ହୁଏନାହିଁ । ଏଣୁ ଚତୁର୍ଦ୍ଧାବିଗ୍ରହଙ୍କ ପାଇଁ ପ୍ରସ୍ତୁତ ଅନ୍ୟ ଭୋଗ ଭଳି ପୋଡ଼ାପିଠାର ମଧ୍ୟ ଅନେକ ସ୍ୱତନ୍ତ୍ରତା ରହିଛି । ବର୍ଷକୁ ଥରେ କେବଳ ବାହୁଡ଼ା ଯାତ୍ରା ଦିନ ଏହି ପୋଡ଼ ପିଠା ଭୋଗ ଚତୁର୍ଦ୍ଧା ବିଗ୍ରହଙ୍କୁ ଅର୍ପଣ କରାଯାଇଥାଏ ।
ଗୋଟେ ପିଠା କରିବାକୁ ଲାଗିଯାଏ ୨ ଦିନ
ଅଟା, ଛେନା, ଦେଶୀ ଗାଈ ଘିଅ, କିସ୍ମିସ୍, ଲବଙ୍ଗ, ଗୁଜରାତି, ଅଳେଇଚ ଓ ଅନ୍ୟାନ୍ୟ ସୁଗନ୍ଧିତ ମସଲାରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ । ମାଟି ପଲମରେ ଜଳୀୟ ବାଷ୍ପରେ ପିଠାକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ସିଝାଯାଇଥାଏ । ଏହି ପ୍ରକ୍ରିୟା ପାଇଁ ସ୍ୱତନ୍ତ୍ର ଛାଞ୍ଚ ରହିଛି । ଏଥିପାଇଁ କାଠ ଚୁଲା ବ୍ୟବହାର କରାଯାଏ । ପିଠା ସିଝି ସାରିଲା ପରେ ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ । ଥଣ୍ଡା ହେବା ପରେ ଏହାକୁ ଖଣ୍ଡଖଣ୍ଡ କରି କାଟି ଖାଣ୍ଟି ଗୁଆଘିଅରେ ଛଣାଯାଏ । ଏହା ପରେ ଏହା ନୈବେଦ୍ୟ ଉପଯୋଗୀ ହୋଇଥାଏ । ଗୋଟେ ଭାରୀ ପିଠା ପ୍ରସ୍ତୁତ କରିବାକୁ ପାଖାପାଖି ୨ ଦିନ ସମୟ ଲାଗିଯାଏ । ୭ରୁ ୮ ଦିନ ପର୍ଯ୍ୟନ୍ତ ଏହି ପିଠା ସତେଜ ରହିଥାଏ । ବାହୁଡ଼ାରେ ପ୍ରଭୁ ଜନ୍ମବେଦିରୁ ରତ୍ନ ସିଂହାସନକୁ ଫେରିବା ସମୟରେ ମାଉସୀ ମା’ ମନ୍ଦିର ନିକଟରେ ୩ ରଥ ଅଟକିଥାଏ । ୩ଟି ପାତ୍ରରେ ପ୍ରଭୁଙ୍କୁ ନୈବେଦ୍ୟ ସମର୍ପି ଦିଆଯାଏ ।
ପିଢ଼ିପିଢ଼ି ଧରି ପିଠା କରୁଛନ୍ତି
ବର୍ତ୍ତମାନ ମାଉସୀ ମା’ ମନ୍ଦିରର ମୁଖ୍ୟ ପୂଜକ ଭାବେ ବିଶ୍ୱନାଥ ମିଶ୍ର ଦାୟିତ୍ୱ ତୁଲାଉଛନ୍ତି । ପୋଡ଼ ପିଠା ପ୍ରସ୍ତୁତି ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ । ବିଶ୍ୱନାଥଙ୍କ ପୂର୍ବରୁ ତାଙ୍କ ମଉସା ରଘୁନାଥ ଦାସ ପୋଡ଼ ପିଠା ପ୍ରସ୍ତୁତ କରୁଥିଲେ । ମହାପ୍ରଭୁଙ୍କ ପାଇଁ ଏଭଳି ସେବା କରିବାର ସୁଯୋଗ ପାଇ ବିଶ୍ୱନାଥ ନିଜକୁ ଖୁବ ଭାଗ୍ୟବାନ ମନେ କରୁଥିବା କହିଛନ୍ତି । କୋଟି ଜନ୍ମ ପୁଣ୍ୟବଳରେ ସେ ଏଭଳି ସେବା ଯୋଗେଇ ଦେବାର ସୁଯୋଗ ପାଇଛନ୍ତି । ଗତ ୩୦ ବର୍ଷ ହେବ ସେ ଏହି ସେବାରେ ନିୟୋଜିତ ଅଛନ୍ତି । ଭୋଜନ ପ୍ରିୟ ମହାପ୍ରଭୁଙ୍କ ପାଇଁ ପିଠା ପ୍ରସ୍ତୁତ କରିବା ସମୟରେ ତାଙ୍କୁ ମିଳୁଥିବା ଖୁସିକୁ ସେ ଶବ୍ଦରେ ବୟାନ କରିପାରିବେ ନାହିଁ ବୋଲି କହିଛନ୍ତି ।
କୈକେୟୀ, ଯଶୋଦାଙ୍କ ଅନ୍ୟ ରୂପ ମାଉସୀ ମା’
ପୌରାଣିକ ମତ ଅନୁଯାୟୀ, ମାଉସୀ ମା’ ବା ଦେବୀ ଅର୍ଦ୍ଧାଶିନୀ ହେଉଛନ୍ତି ତ୍ରେତୟା ଯୁଗର ମା’ କୈକେୟୀ, ଦ୍ୱାପରର ମା’ ଯଶୋଦାଙ୍କ ଅନ୍ୟ ରୂପ । ମା’ କୈକେୟୀଙ୍କ ଯୋଗୁ ପ୍ରଭୁ ରାମଚନ୍ଦ୍ର ବନବାସ ଯାଇଥିବାରୁ ତାଙ୍କୁ ଅନେକ ଟାହିଟାପରା ଶୁଣିଥିଲେ । ଏଣୁ ପ୍ରଭୁ ରାମଚନ୍ଦ୍ର କୈକେୟୀଙ୍କୁ ଦ୍ୱାପର ଯୁଗରେ ଯଶୋମତୀ ମା’ ଏବଂ କଳିଯୁଗରେ ମା’ ଅର୍ଦ୍ଧାଶିନୀ ଭାବେ ବାତ୍ସଲ୍ୟ ମମତା ପ୍ରଦାନ କରିବାକୁ ବରଦାନ ଦେଇଥିଲେ । ରାମଚନ୍ଦ୍ରଙ୍କ ବରଦାନ ଅନୁସାରେ ମା’ ଅର୍ଦ୍ଧାଶିନୀ ନିଜ ଆଦାରର ପୁତ୍ରଙ୍କୁ ପୋଡ଼ ପିଠା ଖୁଆଉଛନ୍ତି ।
ଆହୁରି ପଢନ୍ତୁ- Traffic advisory : ବାହୁଡ଼ା, ସୁନାବେଶ ଲାଗି ଯାନବାହନ କଟକଣା... ଏହି ବାଟେ ଗଲେ ମିଳିବ ଜଗା ଦର୍ଶନ