ନୂଆଦିଲ୍ଲୀ ୨୧/୦୩: ବୈଜ୍ଞାନିକମାନେ ମହାକାଶରେ ବିଶାଳ ଜଳ ଭଣ୍ଡାର ଠାବ କରିଛନ୍ତି । ଏହି ସ୍ଥାନକୁ ଅଦ୍ୟାବଧି ମନୁଷ୍ୟ କିମ୍ବା ମହାକାଶଯାନ ପହଞ୍ଚି ପାରିନାହିଁ । ଏହା ପୃଥିବୀଠୁ ୧୨୦୦ କୋଟି ଆଲୋକ ବର୍ଷ ଦୂରରେ ଅଛି । ବାଦଲ ଅବସ୍ଥାରେ ଏହି ଜଳ ରହିଛି । ଏଥିରେ ପୃଥିବୀର ସମସ୍ତ ମହାସାଗରଠୁ ୧୪୦ ଲକ୍ଷ କୋଟି ଗୁଣ ଅଧିକ ପାଣି ଅଛି । ଆମ ବ୍ରହ୍ମାଣ୍ଡ କେତେ ବିଶାଳ ଏଥିରୁ ଜଣାପଡ଼େ । ଜଳର ଏହି ବାଦଲ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ସମୟର । ଏହି ସମୟରେ ଆକାଶଗଙ୍ଗା ସୃଷ୍ଟି ହେଉଥିଲେ । ବ୍ଲାକ୍ହୋଲ ନିଜ ଚତୁଃପାର୍ଶ୍ୱ ଗ୍ୟାସ୍ ଓ ଧୂଳିକଣାକୁ ଆକାର ଦେଉଥିଲେ । ଏହି ବାଦଲ ଏକ କ୍ୱାସାର ଆଖପାଖରେ ଅଛି, ଯାହାର କେନ୍ଦ୍ରରେ ଏକ ବଡ଼ ବ୍ଲାକ୍ହୋଲ ରହିଛି । ବ୍ଲାକ୍ହୋଲ ଏତେ ଭାରୀ ଯେ ସୂର୍ଯ୍ୟଠୁ ତା’ର ଓଜନ ୨୦୦୦ କୋଟି ଗୁଣ ଅଧିକ । ବ୍ଲାକ୍ହୋଲ ଚତୁଃପାର୍ଶ୍ୱରେ ଉତ୍ତପ୍ତ ଗ୍ୟାସ୍ ଅଛି, ଯେଉଁଥିରେ ଜଳର ବାଷ୍ପ ବହୁତ ଅଧିକ ।
ବୈଜ୍ଞାନିକମାନେ ଏହି ଆବିଷ୍କାରକୁ ନେଇ ଖୁବ୍ ଚକିତ, କାରଣ ଜୀବଜଗତ ପାଇଁ ଜଳ ଅତ୍ୟନ୍ତ ଜରୁରି । ଯଦି ବ୍ରହ୍ମାଣ୍ଡର ପ୍ରାରମ୍ଭିକ ସମୟରେ ଏତେ ଜଳ ଥିଲା, ତେବେ ଜୀବଜଗତର ପ୍ରାରମ୍ଭ ଆମ କଳ୍ପନାଠୁ ବହୁ ପୂର୍ବରୁ ହୋଇସାରିଥିବ । ଏଥିରୁ ସ୍ପଷ୍ଟ ହୁଏ ଯେ ଜଳ ଓ ଜୀବନ ନିମନ୍ତେ ଆବଶ୍ୟକ ବସ୍ତୁ କେବଳ ଆମ ସୌରମଣ୍ଡଳ ମଧ୍ୟରେ ସୀମିତ ନୁହେଁ, ସମଗ୍ର ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ । ଏହି ବାଦଲ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ରସାୟନକୁ ବୁଝିବାରେ ସାହାଯ୍ୟ କରିଛି । ବୈଜ୍ଞାନିକମାନେ ଏଥିରୁ ଜାଣିପାରିଛନ୍ତି ଯେ ବ୍ରହ୍ମାଣ୍ଡ କେବଳ ନକ୍ଷତ୍ର ଓ ଗ୍ରହମାନଙ୍କର ସମୂହ ନୁହେଁ, ବରଂ ଏଥିରେ ଅତ୍ୟନ୍ତ ଜଟିଳ ରାସାୟନିକ ପ୍ରକ୍ରିୟା ଜାରି ରହିଛି । ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ବ୍ରହ୍ମାଣ୍ଡରେ ବହୁ ପୂର୍ବରୁ ଉପସ୍ଥିତ ଥିଲା ।
ଆହୁରି ପଢ଼ନ୍ତୁ...ଆଗକୁ ମଣିଷକୁ ନଚାଇବ କି ଏଆଇ ?
ବ୍ରହ୍ମାଣ୍ଡ କେତେ ପୁରୁଣା ଓ ରହସ୍ୟମୟ, କୋଟି କୋଟି ଆଲୋକ ବର୍ଷ ଦୂର ଆଲୋକ ତାହା ଦର୍ଶାଏ । ବ୍ରହ୍ମାଣ୍ଡ ସମ୍ପର୍କରେ ଆମ ଜ୍ଞାନ କେତେ କମ୍, ସଦ୍ୟ ଆବିଷ୍କାର ତାହା ଦର୍ଶାଇଛି । ବ୍ରହ୍ମାଣ୍ଡରେ ଅଗଣିତ ରହସ୍ୟ ରହିଛି । ଏହି ବ୍ରହ୍ମାଣ୍ଡୀୟ ବାଦଲ କେବଳ ଏକ ବୈଜ୍ଞାନିକ ଆବିଷ୍କାର ନୁହେଁ, ବରଂ ବ୍ରହ୍ମାଣ୍ଡର ଅନ୍ୟ ସ୍ଥାନରେ ଜୀବନର ସମ୍ଭାବନାର ସଙ୍କେତ ଦେଇଛି । ଏ ନେଇ ଅଧିକ ଅନ୍ୱେଷଣ ଜରିଆରେ ବ୍ରହ୍ମାଣ୍ଡର ରହସ୍ୟ ବୁଝିବାକୁ ବୈଜ୍ଞାନିକମାନେ ପ୍ରୟାସ କରୁଛନ୍ତି ।