ବନ୍ଧୁ ନା ବଇରୀ? ଏଆଇ ମଣିଷକୁ ସହଯୋଗ କରିବ ନା କାମ ଛଡ଼ାଇ ନେଇ କରିଦବେ ପଙ୍ଗୁ । ସରୁନି ବିତର୍କ । ମାନବ ଇତିହାସରେ କିଛି ଶତାବ୍ଦୀ ପରେ ଭିନ୍ନ ମୋଡ଼ ଆସେ । ଏହା ସଭ୍ୟତାର ଦିଗକୁ ନୂଆ ବାଟ ଦେଖାଏ । ପଥରରୁ ପ୍ରଥମେ ଅଗ୍ନି ବାହାରିଥିଲା । କେହି କଳ୍ପନା କରିନଥିଲେ ଏହି ନିଆଁ ହିଁ ସଭ୍ୟତାର ମୂଳଦୁଆ ପକାଇବ । ଇତିହାସ ଏବେ ଏଆଇର ନୂଆ ଇତିହାସ ଲେଖିବାକୁ ଯାଉଛି ।

​​​​​​​

ଏଆଇ ମଣିଷ ସମାଜ ପାଇଁ ଆଶୀର୍ବାଦ ନା ଅଭିଶାପ? ଆଗକୁ ମଣିଷକୁ ନଚାଇବ କି ଏଆଇ? ଏହା ଏବେ ‘ମିଲିୟନ ଡଲାର’ର ପ୍ରଶ୍ନ ଭାବେ ଉଭା ହୋଇଛି । କିଏ କହୁଛି ଏହା ହେଉଛି ପରିବର୍ତ୍ତର ବାହକ । ଆଉ କାହାର ଯୁକ୍ତି ଚାକିରି ତ ଗିଳିଦେବ, ବୁଦ୍ଧିଆ ଏଆଇ ମଣିଷକୁ କରିବ ଉଠବସ୍ । ହଁ.....ନା । ଚାଲିଛି ଛକି-ଶୂନ । ବିତର୍କରେ ପଡ଼ିନି ପୂର୍ଣ୍ଣଛେଦ । ସମୟ ବଡ଼ ବଳବାନ । ଆଧୁନିକ ଜ୍ଞାନକୌଶଳ ପୃଥିବୀକୁ ଦ୍ରୁତ ବଦଳାଉଛି । ବେତାଳ ଭଳି ଜ୍ଞାନକୌଶଳ ମଣିଷ ଉପରେ ଏବେ ସବାର ହେଲାଣି । ପ୍ରଯୁକ୍ତିବିଦ୍ୟାର ଇତିହାସକୁ ଦେଖିଲେ ଏହା ସତ ଯେ ମାନବ ସଭ୍ୟତାର ଗତିକୁ ନୂଆ ଉଦ୍ଭାବନ ଓ ଆବିଷ୍କାର ବାଟ ଦେଖାଇଛି । ଶିଳ୍ପ ବିପ୍ଲବ କାରଖାନା ଓ ଯନ୍ତ୍ରକୁ ମାନବ ଜୀବନର ଅଂଶ କଲା । କମ୍ପ୍ୟୁଟର ବିପ୍ଲବ ସେହି ପରିବର୍ତ୍ତନକୁ ଡିଜିଟାଲ ଆକାର ଦେଲା । ଏଆଇକୁ ମଣିଷ ଏବେ ଯେତିକି ଡରୁଛି ସେତିକି ଖୋଜୁଛି । ଏଆଇ ଏତେ ଦ୍ରୁତ ଆଗକୁ ଯାଉଛି ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳବାୟୁ, କୃଷିରୁ ପ୍ରଶାସନ ଆଦି କ୍ଷେତ୍ରକୁ ଢ଼େର ପ୍ରଭାବିତ କରୁଛି । ଏଆଇ ଚାକିରି ଖାଇଲାଣି । ବଡ଼ ବଡ଼ କଂପାନୀରେ ଜୋର ଧରିଲାଣି ଛଟେଇ । ଆଗକୁ ମାନବ ସମ୍ବଳ ପାଇଁ ଏ ଆଧୁନିକ ପ୍ରଯୁକ୍ତି ବଡ଼ ବିପଦ ଛିଡ଼ା କରାଇବ ବୋଲି ହେଲାଣି ଭବିଷ୍ୟବାଣୀ ।

ବନ୍ଧୁ ହୋଇ ଚାଲିବ ବାଟ

ଅକଳ୍ପନୀୟ, ଅଦ୍ଭୂତ । ଅବିଶ୍ୱସନୀୟ ଆଉ ବିଚକ୍ଷଣ । ଅନୁମାନଠୁ ଅଧିକ କାମ କରୁଛି ଏଆଇ । ମଣିଷର ମସ୍ତିଷ୍କରୁ ଜନ୍ମ ନେଇଥବା ଏଆଇ ଏବେ ମଣିଷକୁ ଟପିଯିବାକୁ ବସିଛି । କ’ଣ ଏଇ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍? କେଉଁ କାରଣରୁ ଏହା ଏବେ ବଡ଼ ଖବର ପାଲଟିଛି? କୃତ୍ରିମ ବୁଦ୍ଧିମତା ହେଉଛି ଏପରି ଏକ ବ୍ୟବସ୍ଥା ଯାହା କମ୍ପ୍ୟୁଟର ମାଧ୍ୟମରେ ତଥ୍ୟର ଅନୁଶୀଳନ ଓ ବିଶ୍ଲେଷଣ କରି ମଣିଷର ଆବଶ୍ୟକତା ପୂରଣରେ ସକ୍ଷମ । ହେଉଛି । ତାହା ପୁଣି ଖୁବ୍ଶୀଘ୍ର । ଇଣ୍ଟରନେଟ୍ରେ ଥିବା ଲକ୍ଷ ଲକ୍ଷ ୱେବ୍ସାଇଟରୁ କମ୍ ସମୟରେ ତଥ୍ୟ ସଂଗ୍ରହ କରି ସାରାଂଶକୁ ଆମ ଆଗରେ ରଖେ । ଆମ ଜୀବନକୁ ବହୁଳ ଭାବେ ପ୍ରଭାବିତ କରୁଥିବା ପ୍ରାୟ ସବୁକ୍ଷେତ୍ରକୁ ଏଆଇ କଲାଣି ଅବାଧ ପ୍ରବେଶ । କ୍ୟାନ୍ସର ଭଳି ରୋଗ ପାଇଁ ଔଷଧ ତିଆରି କରିପାରୁଛି ଏଆଇ ।

ଇ-କମର୍ସ, ଗେମିଂ, ଗ୍ରାହକ ସେବା, ପରିବେଶ ଅନୁଧ୍ୟାନ, ତଥ୍ୟ ସଂଗ୍ରହ ଓ ଅନୁଶୀଳନ, ପ୍ରଶାସନିକ ଦକ୍ଷତା ବୃଦ୍ଧିରେ ଏଆଇ କମାଲ କରୁଛି । ଭାରତରେ ଷ୍ଟାର୍ଟଅପ୍ ଉଦ୍ୟୋଗ ସହ କୃଷି, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ଏଆଇ ସାଜିଛି ମାଇଲଖୁଣ୍ଟ । ମଣିଷକୁ ଅମର ରଖିବା ଛଡ଼ା ପ୍ରାୟ ଅନ୍ୟ ସବୁ କ୍ଷେତ୍ରରେ ଏଆଇ ଆସ୍ଥାନ ଜମାଇ ସାରିଲାଣି । ଇତିହାସରେ ଗୋଟିଏ ନୂଆ ଅଧ୍ୟାୟ ଲେଖୁଛି ଏଆଇ । ହଠାତ୍ ସମୟ ବଦଳିଛି । ଦୈନନ୍ଦିନ ଜୀବନରେ ଖୋଜା ପଡ଼ୁଛି ଏଆଇ । ସଫ୍ଟୱେର କୋଡିଂ, ଓକିଲଙ୍କ କୋର୍ଟ କାଗଜପତ୍ର ବିଶ୍ଳେଷଣ, ଆକାଉଣ୍ଟାଣ୍ଟଙ୍କ ହିସାବ ଯାଞ୍ଚ କରୁଛି । ଆଶଙ୍କା ପ୍ରକାଶ ପାଇଲାଣି, ଆଗକୁ ମଣିଷ ହାତରୁ କାମ ଛଡ଼ାଇ ନେବ ଏଆଇ । ମଣିଷକୁ ପଙ୍ଗୁ କରିଦେବ । କିନ୍ତୁ କିଛି ଏଆଇ ବିଶେଷଜ୍ଞ ଯୁକ୍ତି କରୁଛନ୍ତି, ବଇରୀ ନୁହଁ ବନ୍ଧୁ ହୋଇ ବାଟ ଚାଲିବ ଏଆଇ ।

କେମ୍ବ୍ରିଜର ମାସାଚୁଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି, ଏଆଇ ବ୍ୟବହାରରୁ ପ୍ରତି ଘଣ୍ଟାରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ୧୪ ପ୍ରତିଶତ ବୃଦ୍ଧି ପାଉଛି । ୫୦ କମ୍ପାନୀର କର୍ମଚାରୀଙ୍କୁ ନେଇ ଆଉ ଏକ ସର୍ବେକ୍ଷଣ କହୁଛି, ଏଆଇ ୭୦ ପ୍ରତିଶତ କର୍ମଚାରୀଙ୍କୁ ଦ୍ରୁତ କାର୍ଯ୍ୟଦକ୍ଷ କରିପାରିଛି । ଏଆଇ ପ୍ରଯୁକ୍ତିବିଜ୍ଞାନର ଦ୍ରୁତ ଅଗ୍ରଗତି ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱର ଜିଡିପିରେ ୧୪ ପ୍ରତିଶତ ବୃଦ୍ଧି ଆଣିବ ।

ଛଟେଇ ଯନ୍ତ୍ରଣାରେ ଛଟପଟ

ରାତିରେ ସୁନେଲି ସ୍ୱପ୍ନ । ସକାକ ପାଇଲା ବେଳକୁ ଅନ୍ତର୍ଦାହ ଆଉ ଛଟପଟ । ନିଦ ଭାଙ୍ଗିଲା ବେଳକୁ ମୋବାଇଲରେ ଦୁଇଟି ମେସେଜ୍ । ‘ଆପଣଙ୍କ ଚାକିରି ସରିଯାଇଛି । ମେଲ୍ ଚେକ୍ କରନ୍ତୁ’ । ମେଲ୍ ଦେଖିଲା ବେଳକୁ ଚାକିରି ନାହିଁ । ଇ-କମର୍ସ କଂପାନୀ ଆମାଜନ ଏମିତି ଶକ୍ତ ଝଟ୍କା ଦେଇଛି ନିଜ କର୍ମଚାରୀଙ୍କୁ । ଡିମୋକ୍ଲିସ୍ର ଖଣ୍ଡା ଭଳି ଏବେ ଏଆଇର କୋକୁଆଭୟ । ନାୟକ ସାଜିଛି ଖଳନାୟକ । ଟିସିଏସ୍, ଟେକମହିନ୍ଦ୍ରାରୁ ଆରମ୍ଭ କରି ମେଟା ଓ ଓରାକଲ ଭଳି ପ୍ରତିଷ୍ଠିତ କମ୍ପାନି ଛଟେଇ ଆରମ୍ଭ କରିଛନ୍ତି । ୨୦୨୬ର ପ୍ରଥମାର୍ଦ୍ଧରେ ଏଯାଏ ପ୍ରାୟ ୩୫ ହଜାର ସଫଟୱେର ପେସାଦାର ଚାକିରି ହରାଇଲେଣି ।

କାୟା ମେଲାଇ ଚାଲିଛି କୃତ୍ରିମ ବୁଦ୍ଧିମତ୍ତା । ଏଆଇର ବ୍ୟାପକ ବଜାର ପ୍ରବେଶ ଚାକିରି ଛଡ଼ାଇ ନେଉଛି । ହଜାର ହଜାର ସଂଖ୍ୟାରେ ଯୁବପିଢ଼ି ଜୀବିକା ହରାଉଛନ୍ତି । ନିବେଶ ଫାର୍ମ ଗୋଲ୍ଡମ୍ୟାନ୍ ସାଚ୍ ରିପୋର୍ଟ କହୁଛି, ଚାକିରି ବଜାରକୁ କବ୍ଜା କରିନେବ ଏଆଇ । ସାରା ବିଶ୍ୱରେ ପ୍ରାୟ ୩୦ କୋଟି ଚାକିରିକୁ ପ୍ରଭାବିତ କରିବ । ମଣିଷର କାମକୁ ହଡ଼ପ କରିନେବ କୃତ୍ରିମ ବୁଦ୍ଧିମତ୍ତା ବିଶିଷ୍ଟ ଆପ୍ ଅବା ସଫ୍ଟୱେର । ବହୁ ରାଷ୍ଟ୍ରୀୟ କଂପାନୀଗୁଡ଼ିକ ମଧ୍ୟ ମଣିଷର ବିକଳ୍ପ ଭାବେ ଏଆଇକୁ କରୁଛନ୍ତି ରେଡ କାର୍ପେଟ୍ ସ୍ୱାଗତ । ସାରା ପୃଥିବୀର ପେସାଦାର ମାନବ ସମ୍ବଳ ଏବେ ଶଙ୍କା ଓ ଆଶଙ୍କାରେ ଛଟପଟ । ମନରୁ ଚାକିରି ହରାଇବାର ଭୟ ଛାଡ଼ୁନି । ଚାକିରି ଯିବାର ଭୟ ଜୀବନକୁ ଯନ୍ତ୍ରଣା ଦେଲାଣି । ମାଇକ୍ରୋସଫ୍ଟ ଏଆଇ ସିଇଓ ମୁସ୍ତାଫା ସୁଲେମାନଙ୍କ ଯୁକ୍ତି ଆସନ୍ତା ବର୍ଷକ ମଧ୍ୟରେ ଏଆଇ ଓକିଲ, ଆକାଉଣ୍ଟାଣ୍ଟ ଭଳି ଚାକିରି ମଧ୍ୟ ଖାଇଯିବ । ଏଆଇ କୋଡିଂରେ ବେଶ ପାରଙ୍ଗମ । ଯଦି ଏମିତି ଅବସ୍ଥା ଲାଗି ରୁହେ କ’ଣ ହେବ ଯୁବପିଢ଼ିଙ୍କ ଭବିଷ୍ୟତ ।

କୃତ୍ରିମ ବୁଦ୍ଧିମତାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ନୂଆ ବିତର୍କ । ଏହାକୁ ନିୟନ୍ତ୍ରଣ କରାନଗଲେ ପରମାଣୁ ଅସ୍ତ୍ରଠାରୁ ଏହା ଭୟଙ୍କର ହେବ । ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ବଡ଼ ବିପଦ ଛିଡ଼ା କରାଇବ ବୋଲି ଟେସ୍ଲା ମୁଖ୍ୟ ଏଲନ୍ ମସ୍କ କହୁଛନ୍ତି । ଏଆଇ ମାନବତାକୁ ସମ୍ପୂର୍ଣ୍ଣ ପୋଛିନେବ । ମଣିଷକୁ ଏକପ୍ରକାର ଅଙ୍ଗୁଳିରେ ନଚାଇବ । ପ୍ରତିଟି କାର୍ଯ୍ୟରେ ଏତେ ପାରଙ୍ଗମ ହେବ ଯେ କୌଣସି କ୍ଷେତ୍ରରେ ମଣିଷ ଖୋଜା ପଡ଼ିବନି । ଏଆଇର ‘ଗଡ୍ଫାଦର’ ଜେଫ୍ରି ହିଣ୍ଟନ୍ ଏ ସତର୍କବାଣୀ କରିଛନ୍ତି । ଦିନେ ଏଆଇ ପାଇଁ ନିଜକୁ ଗୌରବାନ୍ୱିତ ଅନୁଭବ କରୁଥିବା ନୋବେଲ ପୁରସ୍କାର ବିଜେତା କମ୍ପ୍ୟୁଟର ବୈଜ୍ଞାନିକ ହିଣ୍ଟନ ଏବେ ଗ୍ଲାନିରେ ଛଟପଟ । ପ୍ରଯୁକ୍ତି ବିଶେଷଜ୍ଞଙ୍କ ମତ ଯେ ଏଆଇ ନିଶ୍ଚିତ ଅତି-ବୁଦ୍ଧିମତ୍ତା ହାସଲ କରିବାରେ ସମର୍ଥ ହେବ । ଏହା ମଣିଷ ପାଇଁ ଆଣିପାରେ ବଡ଼ ଚାଲେଞ୍ଜ ।

ଏଆଇ ହେଉଛି ଭବିଷ୍ୟତ

ମଣିଷର ମସ୍ତିଷ୍କର କ୍ଷମତାକୁ ଆହ୍ୱାନ ଦେଲା ଭଳି କୌଣସି ଶକ୍ତି ଏଯାଏ ଆତ୍ମପ୍ରକାଶ କରିପାରିନି । ଏଆଇକୁ କୌଣସି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା, ତଥ୍ୟ ବାହାର କରିବା ଅବା ଯୋଜନା ତିଆରି, ସବୁ ପାଇଁ ମଣିଷର ମସ୍ତିଷ୍କ ଦରକାର । କାୟା ମେଲାଇ ଚାଲିଛି କୃତ୍ରିମ ବୁଦ୍ଧିମତ୍ତା । ଏଆଇର ବ୍ୟାପକ ବଜାର ପ୍ରବେଶ ଚାକିରି ଛଡ଼ାଇ ନେଉଛି । ହଜାର ହଜାର ସଂଖ୍ୟାରେ ଯୁବପିଢ଼ି ଜୀବିକା ହରାଉଛନ୍ତି ।

ମାନବ ଇତିହାସରେ କିଛି ଶତାବ୍ଦୀ ପରେ ଏକ ମୋଡ଼ ଆସେ । ଯାହା ସଭ୍ୟତାର ଦିଗକୁ ନୂଆ ବାଟ ଦେଖାଏ । ଯେତେବେଳେ ପଥରରୁ ପ୍ରଥମେ ଅଗ୍ନି ସୃଷ୍ଟି ହୋଇଥିଲା, କେହି କଳ୍ପନା କରିନଥିଲେ ଯେ, ସେହି ଅଗ୍ନି ସଭ୍ୟତାର ମୂଳଦୁଆ ହେବ । ନିକଟରେ ଭାରତରେ ଏଆଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ସେଠି ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଏଆଇ ହେଉଛି ଭାରତ ଭଳି ବିଶାଳ ଭୂଖଣ୍ଡର ଭବିଷ୍ୟତ । କୃତ୍ରିମ ବୁଦ୍ଧିମତ୍ତା ଏକ ବଡ଼ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରୁଛି । ଏଆଇ ମେସିନଗୁଡ଼ିକୁ ବୁଦ୍ଧିମାନ କରୁଛି । ଏହା ମାନବ କ୍ଷମତାକୁ ବହୁ ଗୁଣ ବୃଦ୍ଧି ମଧ୍ୟ କରୁଛି । ଏଆଇର ବିବର୍ତ୍ତନ କିନ୍ତୁ ବେଶ୍ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ଆମେ ଅଣଦେଖା କଲେ ଭାରତ ବିଶ୍ୱ ବିକାଶ ମାନଚିତ୍ରରେ ପଛରେ ରହିଯିବନି? ହାତୀ ଭଳି ଜୀବ ମଣିଷଠୁ ଶକ୍ତିଶାଳୀ ହେଲେ ବି ସେମାନଙ୍କୁ ମଣିଷ ନିଜ ନିୟନ୍ତ୍ରଣରେ ରଖିପାରୁଛି ।

ଏଆଇକୁ ନେଇ ଖାଲି ଭୟଭୀତ ହେଲେ ହେବନି । ଦ୍ରୁତଭାବେ ପରିବର୍ତ୍ତନଶୀଳ ପୃଥିବୀରେ ଆଗକୁ ଯିବାକୁ ହେଲେ ଆମକୁ ସମୟ ସହ ପାଦ ମିଳାଇବାକୁ ହେବ । ଏଆଇକୁ ସମ୍ବେଦନଶୀଳ ଓ ଦାୟିତ୍ୱବାନ କରିବାକୁ ହେବ । ଏଆଇ ବ୍ୟବହାରରେ ଆମର ମହତ୍ତ୍ୱାକାଂକ୍ଷା ସହ ଦାୟିତ୍ୱ ପ୍ରତିଫଳିତ ହେବା ଜରୁରୀ । ପ୍ରତି ପରିବର୍ତ୍ତନ ସମାଜ, ବ୍ୟବସ୍ଥା ଉପରେ ପ୍ରଭାବ ପକାଏ । ଏହି ପରିବର୍ତ୍ତନର ଆହ୍ୱାନକୁ ଗ୍ରହଣ କରିବା ହିଁ ମଙ୍ଗଳକର ହେବ । ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ଏହା କ’ଣ ବୁଦ୍ଧିମାନ ମଣିଷକୁ ବୁଝାଇବାକୁ ପଡ଼ିବ? ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’- ଏହା ହେଉ ଏଆଇର ମୂଳମନ୍ତ୍ର ।