ଖରାଦିନେ ଶରୀରରେ ଜଳୀୟଅଂଶକୁ ବଜାୟ ରଖିବା ନିହାତି ଆବଶ୍ୟକ । ନଚେତ୍ ଶରୀରରୁ ଜଳୀୟଅଂଶ ହ୍ରାସ ପାଇ ମୁଣ୍ଡ ବୁଲାଇ ଥାଏ । ତେଣୁ ଆଜିକାଲି ଲୋକେ ସାଧାରଣ ପାଣି ବଦଳରେ ଏଥିରେ କିଛି ସ୍ବାସ୍ଥ୍ୟକର ଫଳ କିମ୍ବା ରସ ମିଶାଇ ଡେଟକ୍ସ ପାନୀୟ ପ୍ରସ୍ତୁତ କରି ପିଉଛନ୍ତି ।ଏହି ପାନୀୟ ଶରୀରକୁ ଜଳୀୟଅଂଶ ପ୍ରଦାନ କରିବା ସହିତ ଆବଶ୍ୟକ ଭିଟାମିନ ଓ ମିନରାଲ୍ ମଧ୍ୟ ଯୋଗାଇଥାଏ । ପ୍ରତିଦିନ ଏହାକୁ ପିଇବା କରିବା ଦ୍ବାରା ଏହା ଆପଣଙ୍କ ଦୈନନ୍ଦିନ ଜୀବନର ଏକ ସ୍ବାସ୍ଥ୍ୟକର ଦିନଚର୍ଯ୍ୟାର ଅଂଶବିଶେଷ ପାଲଟିଯାଏ ।
ପାଣି ସହିତ କିଛି ପରିମାଣରେ ଫଳ, ପରିବା କିମ୍ବା ଔଷଧୀୟ ପତ୍ରର ମିଶ୍ରଣ ଦ୍ବାରା ଡେଟକ୍ସ ପାନୀୟ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ସମସ୍ତ ସାମଗ୍ରୀକୁ ଏକତ୍ର କରି ପାଣିରେ ମିଶାଇ ଦିଆଯାଏ ଓ କିଛି ଘଣ୍ଟା ପାଇଁ ଏଗୁଡିକୁ ଛାଡ଼ି ଦିଆଯାଏ । ଫଳରେ ସମସ୍ତ ପୋଷକ ତତ୍ତ୍ବ ପାଣିରେ ମିଶିବା ସହିତ ଏହାର ସ୍ବାଦ ମଧ୍ୟ ବୃଦ୍ଧି ପାଇଥାଏ । ଏହି ଡେଟକ୍ସ ପାନୀୟ ପିଇବା ଦ୍ବାରା ଶରୀରରୁ ବିଷାକ୍ତ ଦ୍ରବ୍ୟ ବାହାରିଯାଇଥାଏ । ଏହା ଶରୀରରେ ପାଚନ ପ୍ରକ୍ରିୟାକୁ ମଧ୍ୟ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଆପଣ ନିଜ ତ୍ବଚାରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ ।
କାକୁଡି ଓ ଲେମ୍ବୁ ଡେଟକ୍ସ ପାନୀୟ: ଶରୀର ପାଇଁ ଆଉ ଏକ ଉପକାରୀ ଡେଟକ୍ସପାନୀୟ ହେଉଛି କାକୁଡି ଓ ଲେମ୍ବୁ ମିଶ୍ରିତ ପାନୀୟ । କାକୁଡି ଶରୀରକୁ ଥଣ୍ଡା ରଖିବାକୁ ସାହାଯ୍ୟ କରିଥାଏ ଓ ଶରୀରରେ ଜଳୀୟଅଂଶକୁ ନିୟନ୍ତ୍ରଣ କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କାକୁଡି ଓ ଲେମ୍ବୁକୁ ପତଳା ଭାବେ କାଟି ନିଅନ୍ତୁ । ଏହାକୁ ଏକ ବୋତଲ ପାଣିରେ ପକାଇନିଅନ୍ତୁ । ଏଥିରେ କିଛି ମାତ୍ରାରେ ଅଦା ପକାନ୍ତୁ । କିଛି ଘଣ୍ଟା ପାଇଁ ଏହାକୁ ଛାଡି ଦିଅନ୍ତୁ । ପରବର୍ତ୍ତି ସମୟରେ କିଛି କିଛି ସମୟ ଅନ୍ତରାଳରେ ଏହାକୁ ପିଅନ୍ତୁ । ଏହି ପାନୀୟ ଖରା ଦିନରେ ଆପଣଙ୍କ ପାଇଁ ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ ।
ଲେମ୍ବୁ ଓ ପୁଦିନା ଡେଟକ୍ସ ପାନୀୟ: ଏହି ଡେଟକ୍ସ ପାନୀୟ ତିଆରି କରିବା ସବୁଠାରୁ ସହଜ । ଏଥିପାଇଁ ବୋଟଲ ବା ଜଗ୍ରେ କିଛି ମାତ୍ରାରେ ପାଣି ନିଅନ୍ତୁ । ସେଥିରେ ପତଳା କଟାଯାଇଥିବା ଲେମ୍ବୁକୁ କାଟି ମିଶାନ୍ତୁ । ଶେଷରେ କିଛି ପରିମାଣର ପୁଦିନା ପତ୍ର ମିଶାଇ ଫ୍ରିଜରେ ରଖି ଦିଅନ୍ତୁ । ଏହି ବୋତଲକୁ 2-3 ଘଣ୍ଟା ଛାଡିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଲେମ୍ବୁ ଓ ପୁଦିନା ଡେଟକ୍ସ ପାନୀୟ । ଏହାକୁ ଆପଣ ସାରା ଦିନ କିଛି କିଛି ମାତ୍ରାରେ ପିଅନ୍ତୁ ।
ସେଓ ଓ ଡାଲଚିନି: ଆପଣଙ୍କୁ ଯଦି ସାମାନ୍ୟ ମିଠା ସ୍ବାଦ ପସନ୍ଦ ତେବେ ଆପଣ ଏହି ଡେଟକ୍ସ ପାନୀୟ ପିଇପାରିବେ । ଏଥିରେ ଆପଣ ସେଓ ଓ ଡାଲଚିନି ଯୁକ୍ତ ଡେଟକ୍ସ ପାନୀୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣ ସେଓକୁ କାଟି ନେଇ ଏଥିରେ କିଛି ମାତ୍ରାରେ ଖଣ୍ଡ ଡାଲଚିନି ମିଶାନ୍ତୁ ଓ ଏହାକୁ ପାଣିରେ ମିଶାଇ ସାରା ରାତି ଭିଜିବାକୁ ସମୟ ଦିଅନ୍ତୁ । ସକାଳେ ଏହି ଡେଟକ୍ସ ପାନୀୟକୁ ଆପଣ ପିଇ ପାରିବେ। ଯାହା ସେଓ ଓ ଡାଲଚିନି ଯୋଗୁଁ ସାମାନ୍ୟ ମିଠା ସ୍ବାଦ ଦେଇଥାଏ ।