କୋଲକାତା,୧୨/୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌କୁ ସଫଳତା ମିଳିଛି । ଦୁର୍ଗାପୁର ଥାନା ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି । କ୍ରାଇମସ୍ପଟ୍‌ରେ ତଦନ୍ତକାରୀ ଟିମ୍ ତନାଘନା କରୁଛି । ମୋବାଇଲ୍ ଫୋନ୍‌ ଟ୍ରାକ୍‌ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ଫେରାର ଥିବା ଅଭିଯୁକ୍ତଙ୍କୁ ଡ୍ରୋନ୍ ମାଧ୍ୟମରେ ଖୋଜୁଛି  ସ୍ପେସାଲ୍ ଟିମ୍ । 

​​​​​​​ଘଟଣା ବାବଦରେ ପୁଲିସ୍‌ ସୂଚନା ପାଇବା ପରେ ଘଟଣାସ୍ଥଳର ଆଖପାଖ ଜଙ୍ଗଲରେ ରାତିତମାମ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ମୋବାଇଲ୍ ଫୋନ୍ ଟ୍ରେସ୍ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ବି ୨ ଜଣ ଫେରାର ଅଛନ୍ତି । ପ୍ରଥମେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁଙ୍କୁ ଅଟକ ରଖାଯାଇଥିଲା । ପରିବାର ଲୋକଙ୍କର ସନ୍ଦେହ ଥିବା ଛାତ୍ରୀଙ୍କ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି । ଅପରାଧୀଙ୍କୁ ଚିହ୍ନଟ କରିବାକୁ କ୍ୟାମ୍ପସରେ ସିସିଟିଭି ଫୁଟେଜ ଏବଂ ସୁରକ୍ଷା-ବ୍ୟବସ୍ଥାର ଯାଞ୍ଚ କରିଛି ।

​​​​​​​ସୂଚନା ମୂତାବକ, ପୀଡ଼ିତା ଛାତ୍ରୀ ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର । ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଦ୍ୱିତୀୟ ବର୍ଷର ଛାତ୍ରୀ । ଏହି ଘଟଣା ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଘଟିଛି ଏବଂ ପୀଡ଼ିତା ହସ୍ପିଟାଲ ଆଇସିୟୁରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଶୁକ୍ରବାର ରାତି ପ୍ରାୟ ୮ଟା ୩୦ରୁ ୯ଟା ମଧ୍ୟରେ ଛାତ୍ରୀ ଜଣକ ଜଣେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଖାଇବାକୁ ଯାଇଥିଲେ । ସେଠାରୁ ରାତି ପ୍ରାୟ ୧୦ଟା ବେଳେ ଫେରୁଥିବା ବେଳେ ବାଟରେ ୩ଜଣ ଲୋକ ଅଟକାଇଥିଲେ । ପୁରୁଷ ବନ୍ଧୁ ଜଣକ ଛାତ୍ରୀଙ୍କୁ ସେଠାରେ ଛାଡ଼ି ଦୌଡ଼ି ପଳାଇଥିଲେ । ଅଭିଯୁକ୍ତମାନେ ଛାତ୍ରୀଙ୍କ ଠାରୁ ମୋବାଇଲ ଫୋନ୍‌ ଓ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ । ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ୍‌ରେ ଅଭିଯୋଗ କଲେ ପରିଣତି ଭୟାବହ ହେବ ବୋଲି ଧମକ ଦେଇ ସେଠାରୁ ପଳାଇଥିଲେ । 

​​​​​​​ସେପଟେ ପୀଡ଼ିତାଙ୍କ ପରିବାର ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫୋନ୍‌ରେ କଥା ହୋଇ ପରିବାରକୁ ସମବେଦନା ଜଣାଇଛନ୍ତି । ରାଜ୍ୟସରକାର ସମସ୍ତ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ।