ନୂଆଦିଲ୍ଲୀ, ୧୯।୫: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଖବର ଭାଇରାଲ ହୋଇଥାଏ । ନିକଟରେ ଏଭଳି ଏକ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି, ଯାହାକୁ ଦେଖିବା ପରେ ନେଟିଜେନ୍ସ କହୁଛନ୍ତି "ଏମାନେ ତ ଫିଲ୍ମ 'ଶୋଲେ'ର ଜୟ-ବୀରୁଙ୍କୁ ବି ପଛରେ ପକାଇ ଦେଲେ !" ସାଧାରଣତଃ ଆପଣ ସାଙ୍ଗମାନଙ୍କୁ ଏକାଠି ବ୍ୟବସାୟ କରୁଥିବା, ପାଠ ପଢ଼ୁଥିବା କିମ୍ବା ଦୁନିଆ ବୁଲୁଥିବାର ଦେଖିଥିବେ । ହେଲେ ତିନିଜଣ ଜିଗ୍ରୀ ଦୋସ୍ତ ନିଜ ସମ୍ପର୍କକୁ ସାରା ଜୀବନ ପାଇଁ ଅମର କରିବାକୁ ଯେଉଁ ଅଭିନବ ଉପାୟ ଆପଣାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଦାବି କରାଯାଉଛି ଯେ, ଏହି ତିନି ବନ୍ଧୁ କୌଣସି ଅଜଣା ଝିଅକୁ ନୁହେଁ, ବରଂ ପରସ୍ପରର ଭଉଣୀଙ୍କୁ ବିବାହ କରିଛନ୍ତି । ଅର୍ଥାତ୍, କାଲି ଯେଉଁମାନେ ପରସ୍ପରର ସାଙ୍ଗ ଥିଲେ ସେମାନେ ଆଜିଠାରୁ ସମ୍ପର୍କରେ ପରସ୍ପରର ଶଳା ଏବଂ ଭିଣୋଇ ହେବେ ।

ଭାଇରାଲ୍ ହେଉଥିବା ଏହି ରୋମାଞ୍ଚକର କାହାଣୀରେ ଏହି ତିନିଜଣ ହେଉଛନ୍ତି ପିଲାଦିନର ସାଙ୍ଗ । ସ୍କୁଲ୍ରୁ କଲେଜ୍ ଏବଂ ତା'ପରେ ଚାକିରି କିମ୍ବା ବ୍ୟବସାୟର ସଂଘର୍ଷମୟ ଦିନଗୁଡ଼ିକରେ ସେମାନେ ସବୁବେଳେ ଛାଇ ଭଳି ଏକାଠି ରହିଥିଲେ । ସେମାନଙ୍କ ବନ୍ଧୁତା ଏତେ ଗଭୀର ଥିଲା ଯେ, ତିନୋଟି ପରିବାର ମଧ୍ୟରେ ମଧ୍ୟ ବେଶ୍ ଆତ୍ମୀୟତା ଗଢ଼ି ଉଠିଥିଲା । ଘରର ଯେକୌଣସି ଶୁଭକାର୍ଯ୍ୟ ହେଉ, ତିନି ଜଣ ସବୁବେଳେ ଆଗରେ ରହୁଥିଲେ । ଯେତେବେଳେ ବିବାହ ବୟସ ହେଲା, ସେତେବେଳେ ସେମାନେ ଏମିତି ଏକ ଯୋଜନା କଲେ, ଯାହା ସାଧାରଣତଃ କେବଳ ଚଳଚ୍ଚିତ୍ରର ପରଦାରେ ହିଁ ଦେଖିବାକୁ ମିଳେ । ନିଜର ବନ୍ଧୁତାକୁ ସାରା ଜୀବନ ପାଇଁ ଏକ ପବିତ୍ର ସମ୍ପର୍କରେ ବାନ୍ଧିବା ପାଇଁ ସେମାନେ ନିଜ ନିଜ ଘରେ ଆଲୋଚନା କରିଥିଲେ । ପରିବାରର ସମ୍ମତି କ୍ରମେ, ସେମାନେ ପରସ୍ପରର ଭଉଣୀଙ୍କୁ ବିବାହ କରିବାକୁ ସ୍ଥିର କଲେ ଏବଂ ଏକାଠି ସମାନ ମଣ୍ଡପରେ ତିନିଜଣ ଯାକ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

ବର୍ତ୍ତମାନ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏହି ଅନନ୍ୟ ବିବାହର ଏକ ସ୍ପେଶାଲ୍ ଫଟୋସୁଟ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଇଣ୍ଟରନେଟ୍ ୟୁଜର୍ସମାନେ ଏହାକୁ ଦେଖି ‘ଅଜବ ପ୍ରେମର ଗଜବ କାହାଣୀ’ ବୋଲି ଆଖ୍ୟା ଦେଇଛନ୍ତି । ଫଟୋରେ ତିନି ବନ୍ଧୁ ପରସ୍ପରର ଭଉଣୀମାନଙ୍କୁ ବିବାହ କରି ବେଶ୍ ଖୁସି ଥିବା ଦେଖିବାକୁ ମିଳୁଛି । ଏହି ଫଟୋକୁ ଦେଖି ଲୋକେ ଭିନ୍ନ ଭିନ୍ନ ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, "ଶଳା ବି ନିଜେ, ଭିଣୋଇ ବି ନିଜେ ! ଯଦି କେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ, ତେବେ ମଧ୍ୟସ୍ଥି କିଏ ସାଜିବ ?" ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, "ଏମିତି ବନ୍ଧୁତା ସତରେ ଭାଗ୍ୟରେ ଥିଲେ ମିଳେ, ଏବେ କୌଣସି ପର୍ବପର୍ବାଣୀରେ କାହାକୁ ଶ୍ୱଶୁର ଘର ଯିବାକୁ ପଡ଼ିବନି ।" ତେବେ ଏହି ସମସ୍ତ ଚର୍ଚ୍ଚା ଭିତରେ ଇଣ୍ଟରନେଟ୍ରେ ଏକ ସସପେନ୍ସ ମଧ୍ୟ ରହିଛି । ଏହି କାହାଣୀ ଶତପ୍ରତିଶତ ସତ ନା କେହି କେବଳ ଏକ ମଜାଦାର କ୍ୟାପସନ୍ ସହ ଫଟୋସେୟାର କରି ମନଗଢ଼ା କାହାଣୀ ତିଆରି କରିଛି, ସେନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । କିନ୍ତୁ ଏହି କାହାଣୀ ସତ ହେଉ ବା ମିଛ, ଏହା ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନର ସବୁଠାରୁ ବଡ଼ ଖୋରାକ ସାଜିଛି ।

ଆହୁରି ପଢ଼ନ୍ତୁ... ଏଠାରେ ମରିବା ଆଇନଗତ ଅପରାଧ, ଶେଷ ନିଶ୍ୱାସ ନେବା ପୂର୍ବରୁ ସହରରୁ ବିଦା କରିଦିଏ ପ୍ରଶାସନ