କୋରାପୁଟ/ମୋହନା,୧୪/୫ : ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ଆମ୍ପାବାଲି ପଂଚାୟତର କନ୍ଧପୁଟାବନ୍ଧ ଗ୍ରାମରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ନାବାଳିକା ଓ ଗୋଟିଏ ପୁରୁଷ ଅଛନ୍ତି । ମୃତକ ହେଲେ ଗେମେଲ ତୁମ୍ବାଇ(୫୮), ଗେମେଲ କମି (୧୩), ଗେମେଲ କ୍ରିଷ୍ଣା(୪୭) । ନାବାଳିକା ଗେମେଲ କମି ଓ ଗେମେଲ କ୍ରିଷ୍ଣା ସମ୍ପର୍କରେ ବାପ ଝିଅ ବୋଲି ଜଣାପଡ଼ିଛି।ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁସାରେ, ସକାଳ ସମୟରେ ୩ଜଣ ସମସ୍ତେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ କାଳ ବୈଶାଖୀ ଘୋଟି ଆସିଥିଲା । ଫଳରେ ଉଭୟ ତିନି ଜଣ ଯାଇ ଚାଷ ଜମି ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ । ଠିକ୍ ଏତିକିବେଳେ ଏକ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ସମସ୍ତେ ସେହିଠାରେ ହିଁ ଟଳିପଡ଼ିଥିଲେ ।
ଏହି ଘଟଣାରେ ତହସିଲଦାର ମୃତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦,୦୦୦ଟଙ୍କା ଜରୁରୀକାଳୀନ ସହାୟତା ରାଶି ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ଯୋଗାଇ ଦେଇଥିବା ଜଣା ପଡ଼ିଛି। ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ଶବ ବ୍ୟବଛେଦ ପରେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଦେବେନ୍ଦ୍ର ଧାରୁଆ କହିଛନ୍ତି ।
ସେହିଭଳି ଘନ ଘନ ବଜ୍ରପାତ ଯୋଗୁଁ ଦୋହଲିଲା ଗଜପତି ଜିଲ୍ଲା ମୋହନା l ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପାଗ ଶୁଖିଲା ଥିବା ସହ ସାମାନ୍ୟ ଗୁଳଗୁଲି ହେଉଥିଲା l ତେବେ ଅପରାହ୍ନ ପ୍ରାୟ ସାଢେ ୨ଟାରେ ଅଚାନକ ପାଗ ବଦଳିବା ସହ ପବନ ବର୍ଷା ଆରମ୍ଭ ହୋଇଥିଲା l ପବନ ସହ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତରେ ଭୟଭୀତ ହୋଇଯାଇଥିଲେ ଲୋକେ l ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ ଦୋହଲି ଯାଇଥିଲା ମୋହନା l ସେହିପରି ଚାନ୍ଦିପୁଟ, ଚନ୍ଦ୍ରଗିରି ଓ ଅଡ଼ବା ଅଞ୍ଚଳରେ ମଧ୍ୟ ବର୍ଷା ସହ ବଜ୍ରପାତ ହୋଇଛି l ତେବେ ବଜ୍ରପାତରେ କେଉଁଠି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି l
ଅନ୍ୟପଟେ ବଜ୍ରପାତରେ ଗୋଟିଏ ପରିବାରର ଦୁଇ ଜା ଗୁରୁତର ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଡକରପଙ୍କl ଗାଁରେ l ଗୁରୁତର ଦୁଇ ଜା ହେଲେ ମାଜିନି ରଇତ ଓ ଅନାମି ରଇତ l ଦୁଇ ଗୁରୁତରଙ୍କୁ ପରିବାର ଲୋକେ ପ୍ରଥମେ ବିରିକୋଟି ପରେ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି l ଦୁଇ ଜା ବାଡ଼ିପଟେ ଥିବାବେଳେ ବଜ୍ରପାତ ହୋଇଥିଲା l ଫଳରେ ବେହୋସ ହୋଇ ତଳେ ପଡିଯାଇଥିଲେ ଦୁଇ ଜା l