• ଲିଓନେଲ ସେମିଙ୍କ ପାଇଁ ବ୍ଳାକରେ ବିକ୍ରି ହୋଇଥିଲା ଟିକେଟ
  • ୪ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ଥିଲା ଟିକେଟର ଦାମ୍ !
  • ଅସନ୍ତୁଷ୍ଟ ପ୍ରଶଂସକ ବଖାଣୁଛନ୍ତି ଅବ୍ୟବସ୍ଥାର କଥା
  • ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୪/୧୨: କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍ ଷ୍ଟାର ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ବିବାଦୀୟ ହୋଇପଡ଼ିଛି। ଯେଉଁ ଷ୍ଟାଡିୟମରେ ପ୍ରଶଂସକମାନେ ମେସିଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ, ସେହି ଷ୍ଟାଡିୟମର ହିଁ ସେମାନଙ୍କୁ ସବୁଠାରୁ ନିରାଶ ହେବାକୁ ପଡ଼ିଥିଲା। ୨୫ ବର୍ଷୀୟ ସବ୍ୟସାଚୀ ଘୋଷ ପିଲାଦିନରୁ ମେସିଙ୍କ ପ୍ରଶଂସକ। ଶନିବାର ସକାଳେ ସଲ୍ଟ ଲେକ୍ ଷ୍ଟାଡିୟମ ଯିବା ଏବଂ ପିଲା ଦିନର ଷ୍ଟାର ମେସିଙ୍କୁ ଭେଟିବା ତାଙ୍କ ପାଇଁ କୌଣସି ବଡ଼ ଉତ୍ସାହ ଠାରୁ କମ୍ ନଥିଲା। କିନ୍ତୁ ଅପରାହ୍ନ ସୁଦ୍ଧା ତାଙ୍କର ଉତ୍ସାହ କ୍ରୋଧରେ ପରିଣତ ହୋଇଥିଲା। ସମୟ ନଷ୍ଟ ହୋଇଥିଲା, ଟଙ୍କା ନଷ୍ଟ ହୋଇଥିଲା ବୋଲି ସେ କୁହନ୍ତି।

ସବ୍ୟସାଚୀ ଏକା ନଥିଲେ, ହଜାର ହଜାର ପ୍ରଶଂସକଙ୍କ ମନର ଭାବନା ମଧ୍ୟ ନିରୁତ୍ସାହିତ ଥିଲା। ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତାରେ ଘୋଷ କହିଛନ୍ତି, "ମୁଁ ୪,୦୦୦ ଟଙ୍କା ଖର୍ଚ୍ଚ କରିଥିଲି, କିନ୍ତୁ ମେସିଙ୍କ ଗୋଟିଏ ଝଲକ ମଧ୍ୟ ପାଇପାରିଲି ନାହିଁ। ଯଦି ତାଙ୍କୁ ଷ୍ଟାଡିୟମରେ ବୁଲିବାକୁ ଅନୁମତି ଦିଆଯାଇଥାନ୍ତା, ତେବେ ଆମେ ତାଙ୍କୁ ଦେଖିପାରିଥାନ୍ତୁ। ମେସିଙ୍କୁ ଦେଖିବା ପାଇଁ ବିଦେଶ ଯାତ୍ରା କରିବା ପାଇଁ ମୋ ପାଖରେ ଯଥେଷ୍ଟ ଟଙ୍କା ନାହିଁ, କିନ୍ତୁ ଏଠାରେ ଭିଆଇପିମାନେ ଫଟୋ କ୍ଲିକ୍ କରିବାରା ବ୍ୟସ୍ତ ଥିଲେ।"

ସବ୍ୟସାଚୀ ୪୦୦୦ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଅନେକ ପ୍ରଶଂସକ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ ପାଇବାକୁ ଦେଇଥିଲେ। ଏହା ବ୍ୟତୀତ, ମେସିଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଟିକେଟ ବ୍ଳାକ୍ରେ ମଧ୍ୟ ବିକ୍ରି ହୋଇଥିଲା, ଯାହାର ମୂଲ୍ୟ ୩ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା। ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ଦୀପ୍ କହିଛନ୍ତି ଯେ, ଯେତେବେଳେ ପ୍ରଶଂସକମାନେ ଅନୁଭବ କଲେ ଯେ, ସେମାନେ ମେସିଙ୍କୁ ଭେଟିପାରିବେ ନାହିଁ, ସେମାନଙ୍କର କ୍ରୋଧ ବଢ଼ିଥିଲା ଏବଂ ପଡ଼ିଆ ଭିତରକୁ ପାଣି ବୋତଲ ଫିଙ୍ଗଯାଇଥିଲା।

ଏହି ସମ୍ପର୍କିତ ଖବର ପଢ଼ନ୍ତୁ:ମମତା ସରକାର ବଦନାମ୍ କରିଦେଲେ, ମେସିଙ୍କ ଇଭେଣ୍ଟ ଉପରେ ବିଦେଶୀ ଗଣମାଧ୍ୟମର ରିପୋର୍ଟ ସେୟାର କରି ବର୍ଷିଲା ବିଜେପି

ଆର୍ଜେଣ୍ଟିନା ଷ୍ଟାର ଫୁଟବଲର୍ ୨୨ ମିନିଟ୍ ମଧ୍ୟରେ ଷ୍ଟାଡିୟମ ଛାଡ଼ି ଚାଲିଯିବାର ଜାଣିବା ମାତ୍ରେ ପ୍ରଶଂସକମାନେ ଉତ୍ତେଜିତ ହୋଇଗଲେ। ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଲା। ଗୋଆରୁ ଆସିଥିବା ସୋନୁ ସେହି ଗଣ୍ଡଗୋଳକୁ ମନେ ପକାଇ କହିଛନ୍ତି, "ମୁଁ ଷ୍ଟାଡିୟମରୁ ରାଜନେତାଙ୍କ ପୋଷ୍ଟରଗୁଡ଼ିକୁ ଘରକୁ ନେଇଯାଉଛି। ଅତି କମରେ ଆମେ ମନେ ରଖିବୁ ଯେ ମେସି ଥରେ କୋଲକାତା ଆସିଥିଲେ। ମୁଁ ତାଙ୍କୁ ଅଟୋଗ୍ରାଫ୍, ସେଲ୍ଫି କିମ୍ବା ଠିକ୍ ଭାବରେ ଦେଖିବାକୁ ପାଇ ନଥିଲି।"

ପ୍ରଶାସନିକ ଅବହେଳା:

ପ୍ରଶାସନିକ ସ୍ତରରେ ଅବହେଳା ସ୍ପଷ୍ଟ ଦେଖାଯାଉଥିଲା। ଏପରି ପରିସ୍ଥିତି ହେବ ବୋଲି କେହି ଆଶା କରିନଥିଲେ। ଯେତେବେଳେ ମେସି ସଲ୍ଟ ଲେକ୍ ଷ୍ଟାଡିୟମରେ ପହଞ୍ଚିଲେ, ସେତେବେଳେ ସାରା ଷ୍ଟାଡିୟମରେ "ମେସି, ମେସି!" ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ମେସି ତାଙ୍କ ସାଥୀ ଖେଳାଳି ଲୁଇସ୍ ସୁଆରେଜ୍ ଏବଂ ରୋଡ୍ରିଗୋ ଡି ପଲଙ୍କ ସହିତ ପହଞ୍ଚିଥିଲେ। ଏହି ସମୟରେ, ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅରୂପ ବିଶ୍ୱାସ ଫଟୋ ଉଠାଇଥିଲେ। କିଛି ଭିଆଇପି ଅତିଥି ମେସିଙ୍କୁ କ୍ଲବର ପ୍ରସିଦ୍ଧ ମେରୁନ୍-ସବୁଜ ଜର୍ସି ଉପହାର ଦେଉଥିଲେ। କିନ୍ତୁ ଏପଟେ ସାଧାରଣ ପ୍ରଶଂସକମାନେ ମେସିଙ୍କ ଗୋଟିଏ ଝଲକ ପାଇଁ ଆଗ୍ରହୀ ଥିଲେ ମଧ୍ୟ ସବୁ ଆଶା, ଆଶରେ ରହିଯାଇଥିଲା।

ତମାମ ଅବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ଅରୂପ ବିଶ୍ୱାସ ଜାତୀୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କାର୍ଯ୍ୟକ୍ରମ ପରେ ଶନିବାର ରାତିରେ ଆୟୋଜକ ସତାଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ମଧ୍ୟ ଆୟୋଜକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ମେସିଙ୍କ ସହିତ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଥିଲେ, କିନ୍ତୁ ହଜାର ହଜାର ଲୋକଙ୍କୁ ସମ୍ଭାଳିବା ପାଇଁ ସେମାନଙ୍କ ସଂଖ୍ୟା ପର୍ଯ୍ୟାପ୍ତ ନଥିଲା।

ମେସିଙ୍କୁ ନେଇ କୋଲକାତାରେ ହଙ୍ଗାମା: ହନିମୁନ୍ ବାତିଲ କରି ମେସିଙ୍କୁ ଦେଖିବାକୁ ଆସିଥିଲେ, ହତାଶ ହୋଇ ଫେରିଗଲେ ଦମ୍ପତି

ଶନିବାର ସକାଳେ ମେସିଙ୍କ ଏକ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ମେସି ଏହାକୁ ବ୍ୟକ୍ତିଗତ ଭାବରେ ଉଦଘାଟନ କରିବାର ଆଶା କରାଯାଉଥିଲା, କିନ୍ତୁ ସେ ଏହା ତାଙ୍କ ହୋଟେଲରୁ ଭର୍ଚୁଆଲ୍ ଭାବରେ କରିଥିଲେ। ଅଭିନେତା ଶାହରୁଖ ଖାନ ନିଶ୍ଚିତ ଭାବରେ ଏହି ଅବସରରେ ମେସିଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଏବଂ ତାଙ୍କ ପୁଅ ମଧ୍ୟ ତାଙ୍କ ସହିତ ଫଟୋ ଉଠାଇଥିଲେ।

ଯଦିଓ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଅନେକ ଦିନ ଧରି ଚାଲିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ଆରମ୍ଭ କରି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗଦେବାକୁ ଯୋଜନା କରାଯାଇଥିଲା, କିନ୍ତୁ ପରିସ୍ଥିତି ଏତେ ବିଗିଡ଼ିଗଲା ଯେ ମେସିଙ୍କୁ ସମୟ ପୂର୍ବରୁ ଷ୍ଟାଡିୟମ ଛାଡ଼ିବାକୁ ପଡ଼ିଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଷ୍ଟାଡିୟମ ଭିତରକୁ ଖାଦ୍ୟ ପ୍ରବେଶ ନିଷେଧ ଥିଲା, କିନ୍ତୁ ଗୋଟିଏ ପାଣି ବୋତଲ ୧୫୦ ଟଙ୍କାରେ ବିକ୍ରି ହେଉଥିଲା। ଯେତେବେଳେ କ୍ରୋଧିତ ପ୍ରଶଂସକମାନେ ଜାଣିବାକୁ ପାଇଲେ ଯେ ମେସି ଚାଲିଯାଇଛନ୍ତି, ସେହି ବୋତଲଗୁଡ଼ିକୁ ସେମାନେ ପଡ଼ିଆକୁ ଫୋପାଡ଼ି ଥିଲେ।

ବିଶେଷଜ୍ଞମାନେ କୁହନ୍ତି ଯେ ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ବ୍ଲକରେ ଜଣେ ଡିସିପି-ପଦବୀ ଅଧିକାରୀ ରହିବା ଉଚିତ ଏବଂ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଜରୁରୀ। ବିଧାନନଗର ପୋଲିସ କମିଶନରେଟର ଜଣେ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ କୌଣସି ଠୋସ୍ ଜରୁରୀକାଳୀନ ଯୋଜନା ନଥିଲା। ସ୍ୱେଚ୍ଛାସେବକ ଅର୍ଥାତ୍ ଭଲୁଣ୍ଟିଅରଙ୍କ ସଂଖ୍ୟା କମ୍ ଥିଲା, ଏବଂ ଅତିଥିମାନେ ମଧ୍ୟ କୌଣସି ପରିସ୍ଥିତିରେ କ'ଣ କରିବେ ସେ ବିଷୟରେ ସ୍ପଷ୍ଟ ନଥିଲେ।

ମେସିଙ୍କୁ ନେଇ ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ସଲ୍ଟ ଲେକ୍ ଷ୍ଟାଡିୟମ ଅଘଟଣ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଘୋଷଣା କଲେ ତଦନ୍ତ କମିଟି