କୋଲକାତା,୧୩।୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଲ୍ଟ ଲେକ୍ ଷ୍ଟାଡିୟମରେ ଘଟିଥିବା ଅଘଟଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ସେ ନିଜେ ମଧ୍ୟ ହଜାର ହଜାର ଖେଳପ୍ରେମୀ ଓ ପ୍ରଶଂସକଙ୍କ ସହ ତାଙ୍କର ପ୍ରିୟ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ସେଠାରେ ଘଟିଥିବା ଅବ୍ୟବସ୍ଥା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ମୁଖ୍ୟମନ୍ତ୍ରୀ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଲିଓନେଲ୍ ମେସି ଏବଂ ସମସ୍ତ କ୍ରୀଡା ପ୍ରେମୀଙ୍କୁ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ରାଜ୍ୟର ପ୍ରତିଛବିକୁ କ୍ଷତି ପହଞ୍ଚାଇଛି।

ମମତା ବାନାର୍ଜୀ ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନର ଘୋଷଣା କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅଶିମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟିରେ ରାଜ୍ୟର ମୁଖ୍ୟ ସଚିବ ସଦସ୍ୟ ଅଛନ୍ତି। ତଦନ୍ତ କମିଟିକୁ ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପ୍ରତି ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଷ୍ଟାଡିୟମରେ ପ୍ରବେଶ, ବସିବା ବ୍ୟବସ୍ଥା ଏବଂ ମଞ୍ଚକୁ ନେଇ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଲିଓନେଲ ମେସିଙ୍କୁ ନିକଟରୁ ଦେଖିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏକାଠି ହୋଇଥିଲେ। କିନ୍ତୁ ପରେ ଅଧିକାଂଶ ଦର୍ଶକ ତାଙ୍କର ଗୋଟିଏ ଝଲକ ମଧ୍ୟ ପାଇ ପାରିନଥିଲେ। ଏହା ପରିସ୍ଥିତିକୁ ଆହୁରି ଉତ୍ତେଜନାମୂଳକ କରିଥିଲା। କିଛି ଲୋକ ଉତ୍ୟକ୍ତ ହୋଇ ଷ୍ଟାଡିୟମରେ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଜୋରଦାର ଭାଇରାଲ ହେବାରେ ଲାଗିଛି।