କୋଲକାତା,୧୪/୧୨: ପ୍ରାୟ ୧୪ ବର୍ଷ ପରେ ଆର୍ଜେଣ୍ଟିନାର ପ୍ରଖ୍ୟାତ ଫୁଟବଲ୍ ତାରକା ମେସି ଆସିଥିଲେ ଭାରତ । ସ୍ଥାନୀୟ ଯୁବ ଭାରତୀ ଷ୍ଟାଡିୟମରେ ତାଙ୍କୁ ଦେଖିବାକୁ ତାଙ୍କର ବହୁ ପ୍ରଶଂସକ ଆସିଥିଲେ । ହେଲେ ସେମାନେ ଭଲ ଭାବେ ମେସିଙ୍କୁ ଦେଖିନପାରିବାରୁ ଗ୍ୟାଲେରୀରୁ ଚେୟାର ଭାଙ୍ଗି ପଡ଼ିଆକୁ ଫିଙ୍ଗିଥିଲେ । ପଡ଼ିଆ ମଝିରେ ମେସିଙ୍କ ଚାରିପାଖରେ ଏତେ ଭିଡ଼ ଥିଲା ଯେ ଗ୍ୟାଲେରୀରୁ କିଛି ଦେଖାଯାଉନଥିଲା । ସେହି କ୍ରୋଧରେ ପଡ଼ିଆରେ ପାଣି ବୋତଲ ଫିଙ୍ଗାଯାଇଥିଲା । ଫଳରେ ମେସି ଧାର୍ଯ୍ୟ ସମୟ ପୂର୍ବରୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ । ଏହାପରେ ପଡ଼ିଆରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ଦର୍ଶକମାନେ ବହୁ ସଂଖ୍ୟାରେ ପଡିଆରେ ପ୍ରବେଶ କରିଥିଲେ । ତେବେ ମେସିଙ୍କୁ ଦେଖିବା ପାଇଁ ଏକ ଦମ୍ପତି ମଧ୍ୟ ଯୁବ ଭାରତୀକୁ ଆସିଥିଲେ । ସେମାନେ ଏକ ସାଇନବୋର୍ଡ ଧରିଥିଲେ ଯେଉଁଥିରେ ଲେଖାଥିଲା, ଆମେ ଗତ ଶୁକ୍ରବାର ବିବାହ କରିଛୁ, କିନ୍ତୁ ଆମେ କେବଳ ମେସିଙ୍କୁ ଦେଖିବା ପାଇଁ ଆମର ହନିମୁନ୍ ବାତିଲ କରିଛୁ । ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ସେମାନେ କହିଥିଲେ, ଆମେ ମେସିଙ୍କ ପ୍ରଶଂସକ । ତେଣୁ ଆମେ ଏଠାକୁ ମେସିଙ୍କୁ ଦେଖିବାକୁ ଆସିଥିଲୁ । ହେଲେ ହତାଶ ହୋଇ ଘରକୁ ଫେରୁଛୁ।