ନବରଙ୍ଗପୁର/ ରାଇଘର, ୮।୧୦(ଆପ) : ଛତିଶଗଡ-ଓଡିଶା ସୀମାନ୍ତ ରାଇଘର ଥାନା କୁନ୍ଦେଇ ପଞ୍ଚାୟତର ସିମରଡିହୀ ଗାଁର ଏକ ମକା ଜମିରୁ କଲରାପତରିଆ ବାଘର ମୃତଦେହ ବନବିଭାଗ ଉଦ୍ଧାର କରିଛି । କଲରାପତରିଆ ବାଘର ବୟସ ୨ରୁ ୩ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି। ବାଘର ଶରୀରର କୌଣସି ସ୍ଥାନରେ କ୍ଷତବିକ୍ଷତର ଚିହ୍ନନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବାଘର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ଛତିଶଗଡର ସୀତାନଦୀ ବ୍ୟାଘ୍ର ଅଭ୍ୟାୟରଣ୍ୟରୁ ବାଘ ଆସିଥିବା ବନବିଭାଗ ସନ୍ଦେହ କରୁଛି। କାରଣ ଘଟଣାସ୍ଥଳ ଠାରୁ ମାତ୍ର ୧ କି.ମି ଦୂରରେ ସୀତାନଦୀ ବ୍ୟାଘ୍ର ଅଭ୍ୟାୟରଣ୍ୟ ରହିଛି। ଘଟଣା ସ୍ଥଳରେ ଡିଏଫଓ ସୁଭେନ୍ଦୁ ପ୍ରସାଦ ବେହେରା ପହଞ୍ଚି ତଦନ୍ତ କରିଛନ୍ତି। ଶବବ୍ୟବଛେଦ ପରେ ବାଘର ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି। ବାଘର ଶବକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି। ଗୁରୁବାର ପାପଡାହାଣ୍ଡି ମୃଗବିହାରରେ ଶବବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ଛତିଶଗଡ-ଓଡିଶା ସୀମାର ସିମରଡିହୀ ଅଞ୍ଚଳରେ କଲରାପତରିଆ ବାଘ ଚଳପ୍ରଚଳ କରୁଥିଲା । ମକା ଜମିରେ ବାଘର ମୃତଦେହ ପଡିଥିବା ବୁଧବାର ସକାଳେ ସିମରଡିହୀ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବନବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବାଘକୁ ହତ୍ୟା କରି ମକା ଜମିରେ ଫିଙ୍ଗିଦିଆଯାଇଛି ନାଁ ଅନ୍ୟ କୌଣସି କାରଣରୁ ବାଘର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଧା ଅସ୍ପଷ୍ଟ ରହିଛି ।