ଭୁବନେଶ୍ୱର,୨୪/୦୬: ଟାଇମ୍ସ ଅଫ୍‌  ଇଣ୍ଡିଆ ଗ୍ରୁପ ପକ୍ଷରୁ ସ୍ଥାନୀୟ ଏକ ତାରକା ହୋଟେଲରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ‘ଟାଇମ୍ସ ହେଲ୍‌ଥ ଆଇକନ’  ୨୦୨୫ ଆୱାର୍ଡ କାର୍ଯ୍ୟକ୍ରମ । ଏଥିରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଯୋଗଦାନ ଲାଗି ଆଇଏମ୍‌ଏସ୍‌ ସମ୍‌ ହସ୍ପିଟାଲକୁ ୧୨ରୁ ଉଦ୍ଧ୍ୱର୍ ଆୱାର୍ଡ  ମିଳିଛି । ସ୍ପେସିଆଲିଟି, ସୁପରସ୍ପେସିଆଲିଟି ଏବଂ  ମଲ୍ଟି ସ୍ପେସିଆଲିଟିର ବିଭିନ୍ନ ବିଭାଗରେ ଏହି  ପୁରସ୍କାର ହାସଲ କରିଛି ହସ୍ପିଟାଲ । 

ଭୁବନେଶ୍ୱରର ସମ୍‌ ୧ କ୍ୟାମ୍ପସ ସହ ସମ୍‌  ଅଲ୍ଟିମେଟ୍‌ ମେଡିକେୟାର,ଏମର୍ଜିଂ ହସ୍ପିଟାଲ  ଭାବେ ସମ୍‌ କ୍ୟାମ୍ପସ ୨ ଫୁଲନଖରା, ଦକ୍ଷିଣ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ  ଯୋଡ଼ିଥିବା ବ୍ରହ୍ମପୁର ଶିତଳାପଲ୍ଲୀ ସମ୍‌ ୩  ଏବଂ ସମ୍‌ ଡେଣ୍ଟାଲ ସାଇନ୍ସ ଏହା ମଧ୍ୟରେ  ସାମିଲ ହୋଇଛି । ସେହିଭଳି ବ୍ୟକ୍ତିଗତ  ବର୍ଗରେ ସମ୍‌ ହସ୍ପିଟାଲର ବିଶେଷଜ୍ଞ ଡ.  ପ୍ରଦୀପ ଶେଖର ପାତ୍ର, ଡ. ପ୍ରଦୀପ କୁମାର  ଦେ, ଡ. ପ୍ରିୟଙ୍କା ସାମଲ, ଡ. ଲଗ୍ନଜିତ ଦାସଙ୍କୁ  ମଧ୍ୟ ଟାଇମ୍ସ ହେଲ୍‌ଥ ଆଇକନ ଆୱାର୍ଡ ମିଳିଛି ।  

ଲୋକଙ୍କୁ ଅତ୍ୟାଧୁନିକ, ସୁଲଭ ଏବଂ  ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଣ ଦିଗରେ  ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଅଧୀନରେ ଆଇଏମ୍‌ଏସ୍‌ ସମ୍‌ ହସ୍ପିଟାଲ  ନିରନ୍ତର ସେବା ଯୋଗାଣ ଜାରି ରହିଛି । ସୋଆ  ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକଙ୍କ ଗିଭିଂ ବ୍ୟାକ୍‌ ଟୁ ସୋସାଇଟି ମୂଳ  ମନ୍ତ୍ର ନେଇ ହସ୍ପିଟାଲ ଏହାର ଦୃଢ଼ ଅଭିବୃଦ୍ଧି  ଯାତ୍ରା ଜାରି ରଖିଛି । ଏହି ଆୱାର୍ଡ ଗିଭିଂ ବ୍ୟାକ୍‌  ଟୁ ସୋସାଇଟି ପ୍ରତି ରହିଥିବା ପ୍ରତିବଦ୍ଧତାର  ପ୍ରମାଣ । ଏହା ଆଗକୁ ଆହୁରି ଭଲ କାମ  କରିବାରେ ପ୍ରୋତ୍ସାହିତ କରିବ ବୋଲି ସମ୍‌  ହସ୍ପିଟାଲ ପକ୍ଷରୁ କୁହାଯାଇଛି ।  

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ  ହରି ବାବୁ ଶ୍ରୀ କମ୍ଭମପତି । ଏହି ଅବସରରେ  ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଯୋଗଦାନ  ରଖିଥିବା ଡାକ୍ତର ଏବଂ ଅନୁଷ୍ଠାନଗୁଡ଼ିକୁ  ୫୨ଟି ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଏମ୍ସ  ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶୀ ଡ.  ଅଶୋକ ମହାପାତ୍ର, ଉନ୍ନୟନ କମିଶନର ଅନୁ ଗର୍ଗ, ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ,  ଓଡ଼ିଶା ବାଇଟ୍‌ସ ପ୍ରତିଷ୍ଠାତା ସନ୍ଦୀପ ମିଶ୍ର, ଏମ୍ସ  ଭୁବନେଶ୍ୱରର ଡିନ୍‌ ପ୍ରଶାନ୍ତ ରାଘବ ମହାପାତ୍ର, ଟାଇମ୍ସ ଗ୍ରୁପ ଭୁବନେଶ୍ୱରର ବରିଷ୍ଠ ଅଧିକାରୀ  ମନୋଜ ଦାସ ଉପସ୍ଥିତ ରହି ବ୍ୟକ୍ତି ବିଶେଷଙ୍କୁ  ସମ୍ବର୍ଦ୍ଧିତ କରିଥିଲେ ।  

ଏଥିରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ  କହିଲେ, ସ୍ୱାସ୍ଥ୍ୟ ସେବାରେ ଓଡ଼ିଶା ଆଖିଦୃଶିଆ  ଅଗ୍ରଗତି ଜାରି ରଖିଛି । ସ୍ୱାସ୍ଥ୍ୟ କ୍ଷେତ୍ର  ଭିତ୍ତିଭୂମି ଦୃଢ଼ୀକରଣ ଲାଗି ରାଜ୍ୟ ବଜେଟ୍‌  ବ୍ୟୟବରାଦକୁ ନିରନ୍ତର ବଢ଼ାଉଛି । କେନ୍ଦ୍ର  ସରକାର ମଧ୍ୟ ରାଜ୍ୟକୁ ସହାୟତା ଦେଉଛନ୍ତି ।  ସ୍ୱାସ୍ଥ୍ୟ ସେବାରେ ଦେଶର ପୂର୍ବଭାଗରେ  ଓଡ଼ିଶା ଡେଷ୍ଟିନେସନ ଭାବେ ଉଭା ହେଉଛି ।  ଡାକ୍ତରମାନେ ସମାଜର ପ୍ରକୃତ ହିରୋ ।  କୋଭିଡ୍‌ ବେଳେ ଡାକ୍ତରଙ୍କ ନିଷ୍ଠାପର ଏବଂ  କଠିନ ପରିଶ୍ରମ ଯୋଗୁ ବହୁଲୋକ ମହାମାରୀ  କବଳରୁ ରକ୍ଷା ପାଇଲେ । କୋଭିଡ୍‌ରେ  ଡାକ୍ତରଙ୍କ ସାହସ ଆମ ପାଇଁ ଚିରନମସ୍ୟ । 

ଡାକ୍ତର ମହାପାତ୍ର କହିଲେ, ଭୁବନେଶ୍ୱର  ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ହବ୍‌ ଭାବେ ବିକଶିତ  ହୋଇଛି । ରାଜ୍ୟରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ  ସେବା ଯୋଗାଉଥିବା ହସ୍ପିଟାଲ ସଂଖ୍ୟାରେ  ଦ୍ରୁତ ଅଭିବୃଦ୍ଧି ହେଉଛି । ତେବେ ସାରା  ଦେଶରେ ଡାକ୍ତରଙ୍କ ଅଭାବ ସ୍ୱାସ୍ଥ୍ୟ କ୍ଷେତ୍ର  ଲାଗି ବଡ଼ ଆହ୍ୱାନ। ଏହି ସମସ୍ୟା ସମାଧାନ  ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୃଢ଼ୀକରଣ ଲାଗି ଆହୁରି  ଉଦ୍ୟମ ଲୋଡ଼ା । ବର୍ତ୍ତମାନ ସମୟରେ ସୁସ୍ଥ  ଜୀବନଶୈଳୀ ନିହାତି ଆବଶ୍ୟକ । 

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ  କହିଲେ, ୨୦୩୬ ସୁଦ୍ଧା ରାଜ୍ୟ ୫୦୦ ବିଲିୟନ  ଡଲାର ଅର୍ଥନୀତିରେ ରୂପାନ୍ତରିତ ହେବ ।  ଦେଶର ଜିଡିପିକୁ ଏହି ସମୟରେ ରାଜ୍ୟ  ୫% ଯୋଗଦାନ ଦେବ ।  ସମୃଦ୍ଧି, ମମାବେଶୀ ଏବଂ  ସୁସ୍ଥ ଓଡ଼ିଶା ଗଠନ ଦିଗରେ  ଭିଜନ ଡକ୍ୟୁମେଣ୍ଟରେ  ଲକ୍ଷ୍ୟ ରଖାଯାଇଛି । ରାଜ୍ୟ  ଏହି କ୍ରମରେ ସ୍ୱାସ୍ଥ୍ୟ  ଭିତ୍ତିଭୂମିକୁ ଆହୁରି ସୁଦୃଢ଼  କରିବ ।  

ଏମ୍ସର ଡିନ୍‌ ଶ୍ରୀ  ମହାପାତ୍ର କହିଲେ, ରାଜ୍ୟର  ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଖିଦୃଶିଆ  ରୂପାନ୍ତରଣ ହୋଇଛି । ଏହି ଧାରା  ଆଗାମୀ ଦିନରେ ଆହୁରି ଦୃଢ଼  ହେବାକୁ ଯାଉଛି । ଓଡ଼ିଶା ବାଇଟ୍ସର  ସଂସ୍ଥାପକ ଶ୍ରୀ ମିଶ୍ର କହିଲେ,  ଏଭଳି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବା  କ୍ଷେତ୍ର ଏବଂ ଅନୁଷ୍ଠାନଗୁଡ଼ିକର  ମନୋବଳ ବଢ଼ାଇବାରେ  ସହାୟକ ହେବ।