ଲଣ୍ଡନ,୨୦/୧୧: ଆଗାମୀ ୨୦୨୬ ଫିଫା ବିଶ୍ୱକପ୍କୁ ବିଶ୍ୱର ସୁବୁଠୁ ଛୋଟ ଦେଶ ଭାବେ କୁରାକାଓ ଯୋଗ୍ୟତା ଅର୍ଜନ କରିଛି । ଦୀର୍ଘ ୫୨ ବର୍ଷ ପରେ ହାଇତି ପୁନର୍ବାର ବିଶ୍ୱକପ ଖେଳିବାକୁ ଯାଉଥିବାବେଳେ ଉଜବେକିସ୍ତାନ, ଜୋର୍ଡାନ ଓ କେପ ଭର୍ଡି ଅନ୍ୟ ନବାଗତ ଭାବେ ଆଗାମୀ ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୧୯୭୪ ପରେ ହାଇତି ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରିୟା, ନରୱେ ଓ ସ୍କଟଲାଣ୍ଡ ୧୯୯୮ ବିଶ୍ୱକପ୍ ପରେ ପୁନର୍ବାର ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ଓ କତାର ପ୍ରଥମ କରି ଯୋଗ୍ୟତା ଅର୍ଜନ କରିଛନ୍ତି । ପୂର୍ବରୁ ଉଭୟ ଦେଶ ଆୟୋଜକ ଭାବେ ବିଶ୍ୱକପ୍ ଖେଳିଥିଲେ ।
ଆମେରିକା, କାନାଡ଼ା ଓ ମେକ୍ସିକୋ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିବେ । ପ୍ରଥମ ଥର ବିଶ୍ୱକପ୍ର ଦଳ ସଂଖ୍ୟା ୪୨ରୁ ୪୮କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଉତ୍ତର, କେନ୍ଦ୍ର ଆମେରିକା ଓ କାରବୀୟ ଦେଶରୁ ବିଶ୍ୱକପ ଯୋଗ୍ୟତା ପାଇଁ ମାତ୍ର ୩ଟି ସ୍ଥାନ ରହିଥିଲା । ଏଥିରୁ ମେକ୍ସିକୋ ଓ ୟୁଏସଏ ୨ଟି ସ୍ଥାନ କବ୍ଜା କରୁଥିଲେ । ବାକି ଗୋଟିଏ ସ୍ଥାନ ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ୁଥିଲା । ଏଥର ଦଳ ସଂଖ୍ୟା ବୃଦ୍ଧି ସାଙ୍ଗକୁ କାନାଡ଼ା, ୟୁଏସଏ ଓ ମେକ୍ସିକୋ ଆୟୋଜକ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଥିଲେ । ଫଳରେ ବାକି ଦେଶ ପାଇଁ ବିଶ୍ୱକପ୍ ଟିକେଟ୍ ହାସଲ କରିବା ସହଜ ହୋଇଥିଲା ।
୨୦୧୦ ଭୂମିକମ୍ପରେ ଧ୍ୱଂସ ହୋଇ ଯାଇଥିବା ହାଇତି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବା ପଛରେ ୟୁରୋପର ହାତ ରହିଛି । ଫୁଟବଲ୍ ଦଳର ସମସ୍ତ ଖେଳାଳି ୟୁରୋପରେ ରହୁଛନ୍ତି । ଏପରିକି ଅନେକ ଖେଳାଳି ନିଜ ଦେଶ ଦେଖି ନାହାନ୍ତି । ଦଳର କୋଚ୍ ସେବାଷ୍ଟିଆନ ମିଗ୍ନେ ମଧ୍ୟ କେବେ ନିଜ ଦେଶକୁ ଯାଇ ନାହାନ୍ତି । ହାଇତି ଯୋଗ୍ୟତା ପର୍ଯ୍ୟାୟର ସମସ୍ତ ମ୍ୟାଚ୍ କୁରାକାଓରେ ଖେଳିଥିଲା । କୁରାକାଓର ଆୟତନ ମୁମ୍ବାଇ ସହରର ୩ଭାଗରୁ ଭାଗେ ହେବ । ଏହାର ଜନ ସଂଖ୍ୟା ୧୫୬୦୦୦ । ୨୦୧୦ରେ ନେଦରଲାଣ୍ଡ୍ସ ଠାରୁ କୁରାକାଓ ସ୍ୱାଧୀନ ହୋଇଥିଲା । ଯୋଗ୍ୟତା ରାଉଣ୍ଡ୍ର ଏହି ଦେଶ ଗୋଟିଏ ହେଲେ ମ୍ୟାଚ ହାରି ନଥିଲା ।
ବିଶ୍ୱକପ୍ ଦଳ ସଂଖ୍ୟା ବୃଦ୍ଧି ଫଳରେ ଲାଭବାନ ହୋଇଥିବା ଅନ୍ୟ ମହାଦେଶ ହେଉଛି ଏସିଆ । ଏସିଆରୁ ୪ଦଳ ଯୋଗ୍ୟତା ଅର୍ଜନ କରିବାର ଫର୍ମାଟ୍ ରହିଥିଲା । ଏଥର ଏହି ସଂଖ୍ୟା ୮କୁ ବୃଦ୍ଧି କରାଯାଇଛି । ଯାହା ଫଳରେ ଉଜବେକିସ୍ତାନ ଓ ଜୋର୍ଡାନ ପ୍ରଥମ କରି ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ପାଇଛନ୍ତି।