ପୁରୀ, ୦୨/୧୧: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚୁକ ବ୍ରତ । ପ୍ରଥମ ଦିବସ ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ନିଦ୍ରାରୁ ଉଠିବେ ଶ୍ରୀହରି । ଏହି ଅବସରରେ ଶ୍ରୀବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ବେଶ ଦର୍ଶନ ସହ ପଞ୍ଚତୀର୍ଥ ବୁଲି ପଞ୍ଚୁକ ବ୍ରତ ପାଳିବେ । ଏଣୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଚଳିତ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ । ପଞ୍ଚୁକର ଅନ୍ତିମ ଦିବସ କାର୍ତ୍ତିକ ପୂର୍ଣ୍ଣମୀ ତଥା ରାସ ପୂର୍ଣ୍ଣିମାରେ ଠାକୁରଙ୍କ ସୁନାବେଶ ହେବ । ଆଷାଢ଼ ଶୁକ୍ଳ ଏକାଦଶୀରେ ଠାକୁରେ ନିଦ୍ରା ଯାଇଥିଲେ । ୪ ମାସ ପରେ ଅର୍ଥାତ୍ ହରିଉତ୍ଥାପନ ଏକାଦଶୀ ଅବସରରେ ନିଦ୍ରାରୁ ଉଠିବେ । ଶ୍ରୀମନ୍ଦିରରେ ହରିଉତ୍ଥାପନ ନୀତି ସମ୍ପନ୍ନ ହେବ । ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ପରେ ମହାପ୍ରଭୁଙ୍କର ଏହି ନୀତି ହେବ । ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ହେବ ।
ପଞ୍ଚୁକର ପ୍ରଥମ ଦିନ ରବିବାର ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ । ଅବକାଶ ନୀତି ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପରିଧାନ କରିବେ ଠାକୁରେ । ଏହି ବେଶରେ ଶ୍ରୀବିଗ୍ରହ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ ମୂଷଳ ଆଦି ଅଳଙ୍କାର ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ । ଦ୍ୱାଦଶୀ କ୍ଷୟ ଥିବାରେ ସୋମବାର ଠାକୁରଙ୍କ ଡାଳିକିଆ ତଥା ତ୍ରିବିକ୍ରମ ବେଶ ହେବ । ସେହିଦିନ ବଡ଼ଦେଉଳରେ ଗରୁଡ଼ଉତ୍ଥାପନ ନୀତି ହେବ । ୪ ତାରିଖ ମଙ୍ଗଳବାର ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ । ଶେଷ ଦିନ ୫ ତାରିଖ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦାରୁବ୍ରହ୍ମ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହେବେ । ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଦୁର୍ଲଭ ବେଶରେ ବିଭୂଷିତ କରିବେ ।