ମୁମ୍ବାଇ ୧୯/୦୬: ହଲିଉଡ୍‌ ଅଭିନେତା ଟମ୍‌ କ୍ରୁଜ୍‌ ଗଭର୍ନର୍ସ ଆୱାର୍ଡସ୍‌-୨୦୨୫ରେ ସମ୍ମାନଜନକ ଅସ୍କାର ପୁରସ୍କାରରେ ସମ୍ମାନିତ ହେବେ। ଟମ୍‌ ୩୫ ବର୍ଷ ପୂର୍ବେ ଅସ୍କାର ପାଇଁ ନୋମିନେଟ୍‌ ହୋଇଥିଲେ । ଏବେ ୨୦୨୫ରେ ସେ  ଅନରାରୀ ଅସ୍କାର ପୁରସ୍କାର ଲାଭ କରିବେ। ୬୨ ବର୍ଷୀୟ ଟମ୍‌ ମିଶନ ଇମ୍ପସିବଲ ଓ ଟପ୍‌ ଗନ୍‌  ଭଳି ବ୍ଲକ୍‌ବଷ୍ଟର ଫିଲ୍ମ ସିରିଜ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ପାଇଁ ପରିଚିତ । ବର୍ନ ଅନ୍‌ ଫୋର୍ଥ ଅଫ୍‌ ଜୁଲାଇ, ଜେରି ମାଗୁଏର ଓ ମଙ୍ଗୋଲିଆ  ପାଇଁ ଅଭିନୟ ଶ୍ରେଣୀରେ ୩ ନୋମିନେସନ୍‌  ଏବଂ ଟପ୍‌ ଗନ୍‌: ମାଭରିକ୍‌ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଶ୍ରେଣୀରେ ନୋମିନେସନ୍‌  ହାସଲ କରିଛନ୍ତି ଟମ୍‌ । 

ସେହିପରି ସଙ୍ଗୀତ  ଓ ଅଭିନୟ ଜଗତର କୁଇନ୍‌ ଡଲି ପାର୍ଟନ୍‌ଙ୍କୁ ମିଳିବ ଜିନ୍‌ ହରଶୋଲ୍ଟ ମାନବତା ପୁରସ୍କାର ।  ଡଲି ‘୯ ଟୁ ୫’ ଓ ‘ଷ୍ଟିଲ୍‌ ମଙ୍ଗୋଲିଆଜ୍‌’ ଭଳି ଫିଲ୍ମରେ କାମ କରିଛନ୍ତି । ତାଙ୍କ ଡଲିଉଡ୍‌  ଫାଉଣ୍ଡେସନ୍‌ ଓ ଇମାଜିନେସନ୍‌ ଲାଇବ୍ରେରୀ ୧୯୯୫ ମସିହାରୁ ପିଲାଙ୍କୁ ୨୮.୫ କୋଟି ପୁସ୍ତକ  ବଣ୍ଟନ କରିଛି । ‘୯ ଟୁ ୫’ ଓ ‘ଟ୍ରାଭେଲିନ୍‌ ଥ୍ରୁ’ ଗୀତ ପାଇଁ ଡଲି ୨ଟି ଅସ୍କାର ପୁରସ୍କାର  ପାଇଁ ନୋମିନେଟ୍‌ ହୋଇଛନ୍ତି । ଏହି ସମ୍ମାନ ସେ ନିଜର ସମାଜ ସେବା ପାଇଁ  ପାଇବେ । 

ଅନ୍ୟପକ୍ଷେ, ଚମତ୍କାର କୋରିଓଗ୍ରାଫି ପାଇଁ ସମ୍ମାନଜନକ ଅସ୍କାର  ପାଇବେ ଡେବି ଆଲେନ । ସେ ୭ ଥର ଅସ୍କାର ସମାରୋହର କୋରିଓଗ୍ରାଫି କରିଛନ୍ତି । ୪ ଥର ସେ ଏମି ଆୱାର୍ଡସ୍‌ ପାଇଁ  ନୋମିନେଟ୍‌ ହୋଇଛନ୍ତି । ପ୍ରଡକ୍ସନ୍‌ ଡିଜାଇନର ୱେନ ଥୋମାସ  ମଧ୍ୟ ସମ୍ମାନଜନକ ଅସ୍କାର ଦ୍ୱାରା ସମ୍ମାନିତ ହେବେ । ଟମ୍‌ଙ୍କ ସମେତ ଏମାନେ ଆସନ୍ତା ନଭେମ୍ବର ୧୬ ତାରିଖରେ ଲସ୍‌  ଏଞ୍ଜେଲସଠାରେ ଆୟୋଜିତ ହେବାକୁ ଥିବା ୧୬ତମ ଗଭର୍ନର୍ସ  ଆୱାର୍ଡସ୍‌ ସମାରୋହରେ ସମ୍ମାନିତ ହେବେ ।