କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ କ୍ଷମତା ଲଢ଼େଇ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ବିଲ୍ ଅନୁମୋଦନ କ୍ଷମତା, ବୁଲା କୁକୁର ସମସ୍ୟା, ପ୍ରଦୂଷଣର ବିଷ ବଳୟ, ସାଇବର ଅପରାଧର ମୁକାବିଲା ଏବଂ ୱାକଫ ସଂଶୋଧନ ଆଇନ ଭଳି ଆଇନ ଓ ଅଦାଲତ ପ୍ରସଙ୍ଗକୁ ନେଇ ବିଦାୟୀ ବର୍ଷ ବେଶ୍ ଚର୍ଚ୍ଚାରେ ରହିଥିଲା । ସୁପ୍ରିମକୋର୍ଟ ସାମ୍ବିଧାନିକ ଭୂମିକା, ଡିଜିଟାଲ ଗଭର୍ଣ୍ଣାନ୍ସ ଓ ମୌଳିକ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ହାଇକୋର୍ଟ ମଧ୍ୟ ଘରୋଇ ହିଂସା, ଭରଣପୋଷଣ ଓ ଅପରାଧ ନ୍ୟାୟ ଉପରେ ସେମାନଙ୍କର ରାୟ ଶୁଣାଇ ଦେଶର ଶାସନ ବ୍ୟବସ୍ଥା ଓ ଆଇନଗତ ବ୍ୟାଖ୍ୟାର ରୂପାନ୍ତରଣ କରିଥିଲେ । ବିଦାୟୀ ବର୍ଷର ଭଳି କିଛି ଆଇନ ଓ ଅଦାଲତ ପ୍ରସଙ୍ଗକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ।

ରାଷ୍ଟ୍ରପତିଙ୍କ ସନ୍ଦର୍ଭ

କୌଣସି ବିଲ୍‌କୁ ଅନୁମୋଦନ କରିବା ସକାଶେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ସମସ୍ୟସୀମା ଧାର୍ଯ୍ୟ କରିବା ପ୍ରସଙ୍ଗ ବିଦାୟୀ ବର୍ଷରେ ବେଶ୍ ଚର୍ଚ୍ଚାରେ ରହିଥିଲା । ତାମିଲନାଡୁ ରାଜ୍ୟପାଳ ବିଧାନସଭାରେ ଆଗତ ଅନେକ ବିଲ୍କୁ ଅଟକାଇ ରଖିଥିବାରୁ ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ ଗତ ମେ ମାସରେ ରାଜ୍ୟପାଳଙ୍କୁ ବିଲ୍ ଉପରେ ମୋହର ମାରିବା ଲାଗି ୩ମାସ ସମୟସୀମା ଧାର୍ଯ୍ୟ କରିଥିଲେ । ରାଷ୍ଟ୍ରପତି ମଧ୍ୟ କୌଣସି ବିଲ୍କୁ ୩ ମାସ ଭିତରେ ଅନୁମୋଦନ ଦେବାକୁ ବେଞ୍ଚ କହିଥିଲେ । ଯାହାକୁ ନେଇ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କ ନିକଟରେ କେତେକ ପ୍ରଶ୍ନ ଉଠାଇଥିଲେ । ଯାହାକୁ ରାଷ୍ଟ୍ରପତି ସନ୍ଦର୍ଭ ବୋଲି କୁହାଯାଇଥିଲା । ତେବେ ସୁପ୍ରିମକୋର୍ଟ ତାଙ୍କର ଚୂଡାନ୍ତ ରାୟରେ କହିଥିଲେ କି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ବିଲ୍ ଅନୁମୋଦନର ସମୟ ସୀମା କୋର୍ଟ ଧାର୍ଯ୍ୟ କରିପାରିବେ ନାହିଁ । କିନ୍ତୁ ବିଲ୍ ଅଧିକ ଦିନ ପକାଇ ରଖାଯିବା କ୍ଷେତ୍ରରେ ଅଦାଲତ ନିଶ୍ଚିତ ଭାବେ ହସ୍ତକ୍ଷେପ କରିବେ ।

ନୂଆ ପ୍ରଧାନ ବିଚାରପତି

ବିଦାୟୀ ବର୍ଷରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ବି.ଆର ଗଭଇ ଅବସର ନେବା ପରେ ତାଙ୍କ ସ୍ଥାନରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନିଯୁକ୍ତି ମିଳିଥିଲା । ସେ ନଭେମ୍ବର ୨୪ରେ ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହ ବିଦାୟୀ ବର୍ଷରେ ସୁପ୍ରିମକୋର୍ଟରେ ଆଉ ୩ ଜଣ ନୂଆ ବିଚାରପତି ନିଯୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜଷ୍ଟିସ ଏନ୍.ଭି ଅଞ୍ଜରିଆ, ଜଷ୍ଟିସ ବିଜୟ ବିଷ୍ଣୋଇ ଏବଂ ଜଷ୍ଟିସ୍ ଏ.ଏସ ଚନ୍ଦୁରକର । ସେହିଭଳି ୩୦ଜଣ ଆଡଭୋକେଟ ଓ ବିଚାର ବିଭାଗୀୟ ଅଧିକାରୀଙ୍କୁ ଆହ୍ଲାବାଦ ହାଇକୋର୍ଟ ସମେତ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । କିଛି ହାଇକୋର୍ଟରେ ନୂଆ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲା ବେଳେ କିଛି ହାଇକୋର୍ଟର ବିଚାରପତିଙ୍କ ବଦଳି ମଧ୍ୟ ହୋଇଥିଲା । ଏଥିସହ ବିଦାୟୀ ବର୍ଷରେ କିଛି ହାଇକୋର୍ଟରେ ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ।

ଲଟେରୀ ଟିକସ କ୍ଷମତା

୨୦୨୫ ଫେବ୍ରୁଆରୀରେ ସୁପ୍ରିମକୋର୍ଟ ଲଟେରୀ ଉପରେ ଟିକସ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଲଟେରୀ ଉପରେ ଟିକସ ଲଗାଇବାର କ୍ଷମତା କେବଳ ରାଜ୍ୟ ସରକାରଙ୍କର ରହିଛି । କେନ୍ଦ୍ର ସରକାର ଟିକସ ଲଗାଇପାରିବେ ନାହିଁ । ଅର୍ଥ ଆଇନ ଅନୁସାରେ ଲଟେରୀ ବିତରକଙ୍କ ଉପରେ ସେବାକର ଲଗାଇବା ଲାଗି କେନ୍ଦ୍ର ସରକାର ଦର୍ଶାଇଥିବା ଯୁକ୍ତିକୁ ବିଚାରପତି ବି.ଭି ନାଗରତ୍ନା ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଖାରଜ କରିଥିଲେ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଥିବା ରାଜ୍ୟ ତାଲିକା ଭିତରେ ଏଣ୍ଟ୍ରି-୬୨ ଅଧୀନରେ ବେଟିଂ ଓ ଗ୍ୟାମ୍ବଲିଂ ରହିଛି । ଲଟେରୀ ଯୋଜନା ହେଉଛି ବେଟିଂ ଓ ଗ୍ୟାମ୍ବଲିଂ ପରିସର ଅନ୍ତର୍ଭୁକ୍ତ । ତେଣୁ ଲଟେରୀ ଉପରେ ଟିକସ ବସାଇବାର କ୍ଷମତା କେବଳ ରାଜ୍ୟ ସରକାରଙ୍କର ରହିଛି ।

ପରିବେଶ କ୍ଷତି ରାୟ

୨୦୨୫ ଅଗଷ୍ଟରେ ସୁପ୍ରିମକୋର୍ଟ ପରିବେଶ ଉପରେ ଐତିହାସିକ ରାୟ ଶୁଣାଇଥିଲେ । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ପରିବେଶ କ୍ଷତି କରୁଥିବା ସଂସ୍ଥାମାନଙ୍କ ଠାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କ୍ଷତିପୂରଣ ଆଦାୟ କରିପାରିବ । ଅର୍ଥାତ ଏଭଳି ସଂସ୍ଥାମାନଙ୍କ ଉପରେ ଟିକସ ଲଗାଯାଇପାରିବ । କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ ୧୯୭୪ ଜଳ ଆଇନର ଧାରା ୩୩-କ ଏବଂ ୧୯୮୧ ବାୟୁ ଆଇନର ଧାରା ୩୧-କ ଅନୁସାରେ କ୍ଷତି କରୁଥିବା କିମ୍ବା ବିପଦ ସୃଷ୍ଟି କରୁଥିବା ସଂସ୍ଥାମାନଙ୍କ ଉପରେ ଟିକସ ବସାଇବାର ସାମ୍ବିଧାନିକ ତଥା ବୈଧାନିକ କ୍ଷମତା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରହିଛି । ଏଥିସହ ୨୦୧୨ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରିଥିଲେ । ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ, ପରିବେଶ ବାବଦରେ ଟିକସ ବସାଇବାର କ୍ଷମତା କେବଳ କୋର୍ଟଙ୍କର ରହିଛି ।

ଡିଜିଟାଲ ଆକ୍ସେସ

ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଡିଜିଟାଲ ଆକ୍ସେସ (ଡିଜିଟାଲ ପହୁଞ୍ଚ)କୁ ମୌଳିକ ଅଧିକାର ବୋଲି ରାୟ ଦେଇଥିଲେ । ଏଥିସହ ଅନଲାଇନ କଣ୍ଟେଣ୍ଟ ବିଶେଷକରି ଅଶ୍ଳୀଳତା ଉପରେ କଠୋର କଟକଣା ଲଗାଇବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏପ୍ରିଲ ୩୦ରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଥିଲେ ଯେ ଡିଜିଟାଲ ଆକ୍ସେସ ହେଉଛି ସମ୍ବିଧାନର ଧାରା ୨୧ ଅନୁସାରେ ଏକ ଜୀବନଧାରଣ କରିବାର ଅଧିକାର । ଏହି ସୁବିଧା ସମସ୍ତଙ୍କୁ ଏପରିକି ଏସିଡ ଆକ୍ରମଣର ଶିକାର ଏବଂ ଦୃଷ୍ଟିହୀନଙ୍କୁ ମଧ୍ୟ ମିଳିବା ଆବଶ୍ୟକ । ସେହିଭଳି ନଭେମ୍ବରରେ ସର୍ବୋଚ୍ଚ ଅଦାଲତ ଅନ୍ୟ ଏକ ରାୟରେ କହିଥିଲେ ଯେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳତା ଏବଂ ଦେଶବିରୋଧୀ ବିଷୟବସ୍ତୁ ଉପରେ ରୋକ୍ ଲଗାଯିବା ଆବଶ୍ୟକ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ବିଭିନ୍ନ ମିଡିଆ ହାଉସ୍ ଏବଂ ଓଟିଟି ସଂସ୍ଥାମାନଙ୍କରେ ଥିବା ସେଲ୍‌ଫ  ମେକାନିଜିମ ବ୍ୟବସ୍ଥା ପ୍ରଭାବହୀନ ହୋଇଯାଇଛି । ତେଣୁ ସରକାର ଏ ଦିଗରେ ଆବଶ୍ୟକ ଆଇନ ଆଣିବାକୁ କୋର୍ଟ ପରାମର୍ଶ ଦେଇଥିଲେ ।

ପାଞ୍ଚ କୋଟି ନିର୍ବାହ ଧନ

ଜଣେ ମହିଳା ତାଙ୍କ ସ୍ୱାମୀ ଠାରୁ ଛାଡପତ୍ର ବଦଳରେ ୫ କୋଟି ଟଙ୍କାର ଆଲିମନି (ନିର୍ବାହ ଧନ) ପାଇବା ଲାଗି ସୁପ୍ରିମକୋର୍ଟ ଆସିବା ଘଟଣା ବିଦାୟୀ ବର୍ଷରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ମାତ୍ର ବର୍ଷକ ତଳେ ସେମାନଙ୍କ ବିବାହ ହୋଇଥିବା ବେଳେ ଏତେ ଟଙ୍କା ମହିଳା ଦାବି କରିବା କୋର୍ଟଙ୍କୁ ଚକିତ କରିଥିଲା । ସ୍ୱାମୀ ତାଙ୍କୁ ୩୫-୪୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ସର୍ବୋଚ୍ଚ ଅଦାଲତ ମହିଳାଙ୍କୁ ଉପଯୁକ୍ତ ଅର୍ଥ ନେବା ଲାଗି ପରାମର୍ଶ ଦେଇଥିଲେ । ନଚେତ ଏ ଦିଗରେ ଅଦାଲତ ହସ୍ତକ୍ଷେପ କରି ଅର୍ଥ ଧାର୍ଯ୍ୟ କରିବେ ବୋଲି କହିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସାମାଜିକ ସ୍ଥିତି, ଆର୍ଥିକ କ୍ଷମତା, ଆବଶ୍ୟକତା, ରୋଜଗାର କରିବାର କ୍ଷମତା ଓ ବିବାହର ଅବଧିକୁ ନେଇ ଆଲିମନି ଧାର୍ଯ୍ୟ କରାଯିବା ଆବଶ୍ୟକ । ତେଣୁ ସୁପ୍ରିମକୋର୍ଟର ମେଡିଏସନ ସେଣ୍ଟରକୁ ଯାଇ ସେଠାରେ ଆପୋସ ଆଲୋଚନା କରିବାକୁ ସର୍ବୋଚ୍ଚ ଅଦାଲତ ଉଭୟଙ୍କୁ କହିଥିଲେ ।

ଦିଲ୍ଲୀ ବାୟୁ ପ୍ରଦୂଷଣ

ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିଦାୟୀ ବର୍ଷରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା । ବାୟୁ ଗୁଣବତ୍ତା ମାନ ବିପଜ୍ଜନକ ସ୍ତରରେ ପହଞ୍ଚିଥବା ବେଳେ ସୁପ୍ରିମକୋର୍ଟ ତାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ମାସକୁ ଦୁଇଥର ମାମଲାର ଶୁଣାଣି କରାଯିବ ବୋଲି କହିଥିଲେ । ଦିଲ୍ଲୀରେ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା ବେଳେ ଅଦାଲତ ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର ପ୍ରଦୂଷଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ବାୟୁ ଗୁଣାବତ୍ତା ପରିଚାଳନା କମିଶନ (ସିଏକ୍ୟୁଏମ୍)କୁ କ୍ଷମତା ପ୍ରଦାନ କରିଥିଲେ । ସେହିଭଳି ପ୍ରଦୂଷଣ ହ୍ରାସ କରିବା ଲାଗି ଦିଲ୍ଲୀ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେପଟେ ପଞ୍ଜାବ ଓ ହରିୟାଣା ସରକାର ମଧ୍ୟ ସେମାନଙ୍କ ରାଜ୍ୟରେ ନଡାଜଳା ହ୍ରାସ ଲାଗି ପଦକ୍ଷେପ ନିଆଯାଇଥିବା କହିଥିଲେ । କୋର୍ଟ ପ୍ରଦୂଷଣ ବୃଦ୍ଧି ଦୃଷ୍ଟିରୁ ଅଦାଲତକୁ ବ୍ୟକ୍ତିଗତ ଭାବେ ନଆସି ଭର୍ଚୁଆଲରେ ସାମିଲ ହେବାକୁ ଓକିଲମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ପିଲାମାନଙ୍କୁ କିଭଳି ଏହି ବାୟୁ ପ୍ରଦୂଷଣରୁ ମୁକ୍ତ ରଖାଯିବ ସେହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ବୁଲା କୁକୁର ସମସ୍ୟା

ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ବୁଲା କୁକୁରଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ତାକୁ ରୋକିବା ଲାଗି ସୁପ୍ରିମକୋର୍ଟ ଗତ ଅଗଷ୍ଟରେ ଦିଲ୍ଲୀ ପ୍ରଶାସନକୁ ସବୁ ବୁଲା କୁକୁରଙ୍କୁ ଧରି ଆଶ୍ରୟ ସ୍ଥଳରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସେମାନଙ୍କ ବଂଶ ଯେଭଳି ବିସ୍ତାର ହୋଇ ନପାରିବ ସେଥିପାଇଁ ସେମାନଙ୍କୁ ଟିକା ଓ ରାବିଜ ସଂକ୍ରମଣ ରୋକିବାକୁ ଇଞ୍ଜେକସନ ଦେବା ଲାଗି କହିଥିଲେ । ଏହି ଆଦେଶ ସବୁ ରାଜ୍ୟ ପାଇଁ ଲାଗୁ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ । କିନ୍ତୁ ଏହି ଆଦେଶ କାର୍ଯ୍ୟକାରୀ କରି ନଥିବାରୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ବିବାଦ ସୃଷ୍ଟି ହେବା ପରେ ସୁପ୍ରିମକୋର୍ଟ ମୁଖ୍ୟ ସଚିବଙ୍କୁ ହାଜିରାରୁ ମୁକ୍ତ କରିବା ସହ ବୁଲା କୁକୁରଙ୍କୁ ଯେଉଁଠାରୁ ଧରାଯିବ ଇଞ୍ଜେକସନ ଦେବା ପରେ ପୁଣି ସେଠାରେ ସେମାନଙ୍କୁ ଛାଡିବାକୁ କହିଥିଲେ । ଏଥିସହ ହସ୍ପିଟାଲ, ସ୍କୁଲ, ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନକୁ କୁକୁରମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ବାଣ ବନ୍ଦକୁ ନା

ବିଦାୟୀ ବର୍ଷରେ ଦୀପାବଳିରେ ବାଣ ଫୁଟାଯିବ କି ନାହିଁ ତାକୁ ନେଇ ଲାଗି ରହିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଦେଶରେ ସମ୍ପୂର୍ଣ୍ଣ ବାଣ ବନ୍ଦ କରିବା ସମ୍ଭବ ନୁହେଁ । ତେଣୁ କେବଳ ସବୁଜ ବାଣ ଫୁଟାଇବା ଲାଗି ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଥିଲେ । ପାରମ୍ପରିକ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଯିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ ବୋଲି କହିଥିଲେ । କିନ୍ତୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ସବୁଜ ବାଣ ସହ ପାରମ୍ପରିକ ବାଣ ଫୁଟିଥିଲା । ଯାହାଦ୍ୱାରା ବାୟୁ ପ୍ରଦୂଷଣ ବହୁମାତ୍ରାରେ ବଢ଼ିଯାଇଥିଲା । ସୁପ୍ରିମକୋର୍ଟ ବାଣ ଫୁଟା ଲାଗି ଅନୁମତି ଦେଇଥିବାରୁ ବାୟୁ ପ୍ରଦୂଷଣ ବଢ଼ିଲା ବୋଲି ଅଭିଯୋଗ ମଧ୍ୟ ହୋଇଥିଲା।

ୱାକଫ ସଂଶୋଧନ ଆଇନ

କେନ୍ଦ୍ର ସରକାର ଆଣିଥିବା ନୂଆ ୱାକଫ ଆଇନକୁ ନେଇ ବର୍ଷ ତମାମ ଚର୍ଚ୍ଚା ଲାଗି ରହିଥିଲା । ସରକାର ୧୯୨୩ ମସିହା ଅର୍ଥାତ ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ୱାକଫ ଆଇନରେ ସଂଶୋଧନ କରିଥିଲେ । ଏଥିପାଇଁ ଗତ ଏପ୍ରିଲରେ ନୂଆ ଆଇନ ଆଣିଥିଲେ । ୱାକଫ ସମ୍ପତ୍ତିର ଉପଯୁକ୍ତ ପରିଚାଳନା, ପାରଦର୍ଶିତା ଓ ସ୍ୱଚ୍ଛତା ଆଣିବା ହେଉଛି ଏହାର ଉଦ୍ଦେଶ୍ୟ । କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ନୂଆ ୱାକଫ ଆଇନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ୬୫ ମାମଲା ଆସିଥିଲା । ସୁପ୍ରିମକୋର୍ଟ ଯଦିଓ ପୁରା ଆଇନ ଉପରେ ରୋକ୍ ଲଗାଇ ନଥିଲେ, ତେବେ ଏହାର କେତେକ ବ୍ୟବସ୍ଥା ଉପରେ ରହିତାଦେଶ ଜାରି କରିଥିଲେ । ଯାହା ବିରୋଧୀମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଦେଇଥିଲା । ବର୍ତ୍ତମାନ ଏହି ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ।

ଜଜ୍‌ଙ୍କ ଘରେ ନୋଟ୍ ବିଡା

ମାର୍ଚ୍ଚ ମାସରେ ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ବିଡା ବିଡା ନୋଟ୍ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ଜଷ୍ଟିସ ସିହ୍ନାଙ୍କ ବାସଭବନରେ ମାର୍ଚ୍ଚ ୧୪ରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିବା ନିଆଁ ଲିଭାଇବା ବେଳେ ଜଷ୍ଟିସ ସିହ୍ନାଙ୍କ ଷ୍ଟୋର ରୁମରୁ ବିଡାବିଡା ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ ଓ ଅଧାଜଳା ନୋଟ ପାଇଥିଲେ । ଚର୍ଚ୍ଚା ହୋଇଥିଲା କି ଏହି ନୋଟର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ । କିନ୍ତୁ ଜଷ୍ଟିସ ବର୍ମା ଏହି ଟଙ୍କାକୁ ନିଜର ନୁହେଁ ବୋଲି କହିଥିଲେ । ଶେଷରେ ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ କମିଟି ଗଢ଼ିଲେ । ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିଲେ । ଏଥିସହ ତାଙ୍କୁ କୌଣସି ନ୍ୟାୟିକ କ୍ଷମତା ଦିଆଯାଇନଥିଲା । ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲେ ମଧ୍ୟ ସେ ମନା କରିଥିଲେ । ତେଣୁ ଲୋକସଭାର ସାଂସଦମାନେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ।