ନୂଆଦିଲ୍ଲୀ, ୪।୪: ସାଧାରଣ ଖାଉଟିଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି । କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦର ବୃଦ୍ଧି ପରେ ଏବେ ସିଏନଜି (CNG) ମଧ୍ୟ ମହଙ୍ଗା ହୋଇଛି । ପ୍ରମୁଖ ଗ୍ୟାସ୍ ବିତରକ ସଂସ୍ଥା ଟରେଣ୍ଟ ଗ୍ୟାସ୍ ନିଜର ସିଏନଜି ଦରରେ ବୃଦ୍ଧି ଘୋଷଣା କରିଛି । ରେଣ୍ଟ ଗ୍ୟାସ୍ ପକ୍ଷରୁ ସିଏନଜି ଦରରେ ପ୍ରତି କିଲୋଗ୍ରାମ ପିଛା ୨.୫୦ ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବରୁ ଘରୋଇ ତୈଳ କମ୍ପାନୀ 'ନାୟରା' ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ସାରିଥିବା ବେଳେ ଏବେ ସିଏନଜି ମହଙ୍ଗା ହେବା ଫଳରେ ଯାତାୟାତ ଖର୍ଚ୍ଚ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ତେବେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​ଦାଦ୍ରା ନଗର ହାଭେଲିରେ ନାଇଟ୍ରୋଜେନ ଗୋଦାମରେ ବିସ୍ଫୋରଣ: ଚାରି ମୃତ, ୬ ଗୁରୁତର

ସାଧାରଣ ଜନତା ଓ ଅଟୋ ଚାଳକ ଚିନ୍ତାରେ:

ଇନ୍ଧନ ଦରର ଏହି କ୍ରମାଗତ ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ପଟେ ପରିବା ଦର ବଢ଼ୁଥିବା ବେଳେ ଅନ୍ୟପଟେ ଇନ୍ଧନ ମହଙ୍ଗା ହେବା ଫଳରେ ମାସିକ ବଜେଟ୍ ବିଗିଡ଼ିବାରେ ଲାଗିଛି ।

ଜୀବିକା ଉପରେ ପ୍ରଭାବ: ଅଟୋ-ରିକ୍ସା ଚାଳକମାନେ ଏହି ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସିଏନଜି ଦର ବଢ଼ିବା ଫଳରେ ସେମାନଙ୍କର ଲାଭ କମିଯାଉଛି, ଯାହା ସେମାନଙ୍କ ଗୁଜୁରାଣ ମେଣ୍ଟାଇବାରେ ବଡ଼ ବାଧକ ସାଜିଛି ।

କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମଧ୍ୟ ମହଙ୍ଗା:

ଏପ୍ରିଲ ୧ ତାରିଖରୁ ଦେଶର ପ୍ରମୁଖ ସହରଗୁଡ଼ିକରେ କମର୍ସିଆଲ୍ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି । ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ପିଛା ୧୯୫.୫୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଏହାର ମୂଲ୍ୟ ୨,୦୭୮.୫୦ ଟଙ୍କାରେ ପହଞ୍ଚିଛି । ଛୋଟ ସିଲିଣ୍ଡରଗୁଡ଼ିକର ଦରରେ ମଧ୍ୟ ବୃଦ୍ଧି ଘଟିଛି । ଆଶ୍ୱସ୍ତିର କଥା ଯେ, ଘରୋଇ ରୋଷେଇ ଗ୍ୟାସ୍ ଦର ମାର୍ଚ୍ଚ ମାସ ପରଠାରୁ ଅପରିବର୍ତ୍ତିତ ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଛି । ଏହାର ସିଧାସଳଖ ପ୍ରଭାବ ଘରୋଇ ବଜାରର ଇନ୍ଧନ ଦର ଉପରେ ପଡ଼ୁଥିବା ଅନୁମାନ କରାଯାଉଛି ।