ଆମ ନନ୍ଦନକାନନ
ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ଏବଂ ଜୀବଜନ୍ତୁମାନଙ୍କ ବଂଶ ବୃଦ୍ଧି ପାଇଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରାୟ ୯ଶହ ଏକର ପରିମିତ ସ୍ଥାନରେ ରହିଛି ନନ୍ଦନକାନନର ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ । ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ଚିଡ଼ିଆଖାନାରେ ପ୍ରାୟ ୧୭୭ ପ୍ରଜାତିର ୫ ହଜାରରୁ ଅଧିକ ଜୀବଜନ୍ତୁ ଅଛନ୍ତି । ଯେଉଁଥିରେ ୧୧୬ ଭାରତୀୟ ଏବଂ ୬୧ ପ୍ରଜାତିର ବିଦେଶୀ ଜୀବଜନ୍ତୁ । ସେଥିରେ ୫୭ ପ୍ରଜାତିର ସ୍ତନ୍ୟପାୟୀ, ୮୨ ପ୍ରଜାତିର ପକ୍ଷୀ, ୩୧ ପ୍ରଜାତିର ସରୀସୃପ ଓ ୭ ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ଏଠାରେ ଶାଗୁଣା, ଗୁରାଣ୍ଡି, ବାଘ ପ୍ରଜନନ କେନ୍ଦ୍ର ସମେତ ରହିଛି ବିଶ୍ୱର ଏକମାତ୍ର ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର । ପୁଣି ଏଠାରେ ରହିଛି ଘଡ଼ିଆଳ କୁମ୍ଭୀର ପୁନରୁଦ୍ଧାର ପ୍ରକଳ୍ପ । ଧଳା ଓ କଳା ମହାବଳ ବାଘ ପାଇଁ ନନ୍ଦନକାନନ ସ୍ୱତନ୍ତ୍ର । ତେଣୁ ବର୍ଷର ବିଭିନ୍ନ ସମୟରେ ନନ୍ଦନକାନନକୁ ଦେଶ ବିଦେଶରୁ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ସମସ୍ତଙ୍କ ମନରେ ଆଗ୍ରହ ଥାଏ ଏଥର କିଛି ନୂଆ ଦେଖିବେ । କିନ୍ତୁ ଚଳିତବର୍ଷ ନନ୍ଦନକାନନକୁ କୌଣସି ନୂଆ ଜୀବଜନ୍ତୁ ଆଣିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ଇତିମଧ୍ୟରେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ଅଦଳ ବଦଳ ପ୍ରକ୍ରିୟାରେ ଅନେକ ଜୀବଜନ୍ତୁ ଯାଇଛନ୍ତି ଓ ଆସିଛନ୍ତି । ମାତ୍ର ନୂଆ ଜନ୍ତୁ ଭାବେ ଆମେ ପାଇଛୁ କେବଳ ୫ଟି ପାଣି ଓଧ । ସେମାନେ ଏଯାବତ୍ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ପର୍ଯ୍ୟଟକମାନେ ଦେଖିପାରୁନାହାନ୍ତି । ତଥାପି କିଛି ନୂଆ ନଥିଲେ ମଧ୍ୟ ପର୍ଯ୍ୟଟକମାନଙ୍କୁ ନନ୍ଦନକାନନ ବୁଲିବାକୁ ନୂଆ ନୂଆ ଲାଗେ । ସେଥିପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ଭିତରେ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ ଚାଲିଛି । ଏଥିପାଇଁ ନୂତନ ଖୁଆଡ଼ ସହିତ ସାଜସଜା କାର୍ଯ୍ୟ ଚାଲିଛି । ୧୧ ମାସ ଧରି ବନ୍ଦ ଥିବା ଶିଶୁ ରେଳଗାଡ଼ି ଓ ୧୭ ମାସ ଧରି ବନ୍ଦ ଥିବା ନୌକା ବିହାର ପୁଣି ଆରମ୍ଭ ହୋଇଛି । ଆଗକୁ ନନ୍ଦନକାନନକୁ ‘ଚିତା’ ଅଣାଯିବାର ଯୋଜନା ରହିଛି, ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରିନି । ତେଣୁ ବହୁ ଦୂରରୁ ବିମାନରେ ଆସୁଥିବା ପର୍ଯ୍ୟଟକମାନେ ଯେପରି ତିକ୍ତ ଅନୁଭବ ନେଇ ନଫେରନ୍ତୁ, ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ।
୩୩ରୁ ଊର୍ଦ୍ଧ୍ୱ ଶାବକ ଜନ୍ମ
ଚଳିତ ବର୍ଷ ନନ୍ଦନକାନନରେ ୩୩ରୁ ଅଧିକ ଶାବକ ଜନ୍ମ ନେଇଛନ୍ତି । ପ୍ରଥମ ଥର ୩୦ ଜାନୁୟାରୀରେ ସିମ୍ପାଞ୍ଜି ‘ଦୁର୍ଗା’ ଗୋଟିଏ ଅଣ୍ଡିରା ଶାବକ ଜନ୍ମ ଦେଇଥିଲା । ୨୪ ଫେବ୍ରୁଆରୀରେ ୧୩ ବର୍ଷିୟା ବାଘୁଣୀ ‘ଅଙ୍କିତା’ ୩ୟ ଥର ମା’ହୋଇ ଗୋଟିଏ ଶାବକ ଜନ୍ମ ଦେଲା । ୮ ଜୁନ୍ରେ ବାଘୁଣୀ ‘ମୌସୁମୀ’ ୨ୟ ଥର ମା ହୋଇ ୨ଟି ଶାବକ ଜନ୍ମ ଦେଇଥିଲା । ୬ ନଭେମ୍ବରରେ ଦେଶୀ ଭାଲୁ ‘ତାରା’ ଦୁଇଟି ଶାବକ ଜନ୍ମ ଦେଇଥିଲା । ୩୩ ବର୍ଷ ପରେ ଇଗୁଆନା ୫ଟି ଶାବକ ଜନ୍ମ ଦେଇଥିଲା ।
୧୩ ବର୍ଷ ହେଲା ସାଥୀ ଅପେକ୍ଷାରେ 'ଖୁସି'
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମୁଖ୍ୟ ଆକର୍ଷଣ ଜିରାଫ୍ । ଦୀର୍ଘ ୧୩ ବର୍ଷ ଧରି ସାଥୀ ବିନା ଜୀବନ ବିତାଉଛି ୧୭ ବର୍ଷିୟା ଜିରାଫ୍ ‘ଖୁସି’ । ଅଦଳବଦଳ ପ୍ରକ୍ରିୟାରେ ୨୦୧୨ ଜୁଲାଇ ୧୧ ତାରିଖରେ ବିହାର ପାଟନା ଚିଡ଼ିଆଖାନାରୁ ଖୁସିକୁ ୪ ବର୍ଷ ବୟସ ହୋଇଥିବା ବେଳେ ନନ୍ଦନକାନନ ଅଣାଯାଇଥିଲା । ସାଧାରଣତଃ ମାଈ ଜିରାଫ୍ ୩ରୁ ୫ ବର୍ଷରେ ପ୍ରାପ୍ତ ବୟସ୍କ ହୁଅନ୍ତି । ତେବେ ଖୁସିର ବୟସ ୪ ବର୍ଷ ହୋଇଥିଲାମାନେ ସେ ସମ୍ପୂର୍ଣ୍ଣ ଭାବରେ ମା ହେବା ପାଇଁ ଯୋଗ୍ୟ ଥିଲା । କିନ୍ତୁ କର୍ତ୍ତପକ୍ଷ ତା’ପାଇଁ ସାଥି ଯୋଗାଡ଼ କରିପାରିନଥିଲେ । ୨୦୦୮ ମସିହାରେ ସାଥୀ ଯୋଗାଡ଼ କରାଯାଇଥିଲା । କଲିକତା ଅଲିପୁର ଚିଡ଼ିଆ ଖାନାରୁ ୪ଟି ବାଘ ବଦଳରେ ଅଣ୍ଡିରା ଜିରାଫ୍ ଅଣାଯାଇଥିଲା । କିନ୍ତୁ ବାଟରେ କରେଣ୍ଟ ଲାଗି ଜିରାଫ୍ର ମୃତ୍ୟୁ ହୋଇଥିଲା । ପୁଣି ୨୦୧୬ରେ ଅଲିପୁରରୁ ଗୋଟିଏ ୬ ବର୍ଷର ଅଣ୍ଡିରା ଜିରାଫ୍ ‘ଜୟ’କୁ ଅଣାଯାଇଥିଲା । ଆସିବାର ୫ ଦିନରେ ଜୟର ମୃତ୍ୟୁ ହେବା ପରେ ସେବେଠାରୁ ଏକାକୀ ଜୀବନ ବିତାଉଛି ‘ଖୁସି’ । ୨୦୨୪ରେ କଲିକତା ଅଲିପୁର ଚିଡ଼ିଆଖାନାରୁ ଦେଢ଼ ବର୍ଷର ଅଣ୍ଡିରା ଓ ଏକ ବର୍ଷର ମାଈ ଜିରାଫ ଅଣାଯାଇଛି । କିନ୍ତୁ ସେମାନେ ଖୁସିର ସାଥି ହୋଇପାରିବେ ନାହିଁ ।
ଉଦ୍ଘାଟନ ହୋଇ ବନ୍ଦ ପ୍ରସ୍ଥାନ ପଥ
ପର୍ଯ୍ୟଟନ ୠତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରାସ୍ତା ହୋଇଥିବାରୁ ପ୍ରବଳ ଗହଳି ହୁଏ । ତେଣୁ ମୁଖ୍ୟ ରାସ୍ତାରେ ଗହଳି କମ କରିବା ପାଇଁ ୨୦୨୦ ମସିହାରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ପୂର୍ବରୁ ପ୍ରସ୍ଥାନ ପଥକୁ ସେତେବେଳର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । କିନ୍ତୁ ଉକ୍ତ ପଥକୁ କର୍ତ୍ତୃପକ୍ଷ ଆଉ ଖୋଲି ନଥିଲେ । ତେଣୁ ବିଭିନ୍ନ ଅସୁବିଧା ମଧ୍ୟରେ ପର୍ଯ୍ୟଟକ ଯାତାୟାତ କରୁଥିଲେ । ପୁଣି ଦୁଇବର୍ଷ ପରେ କର୍ତ୍ତୃପକ୍ଷ ଏହି ପ୍ରସ୍ଥାନ ପଥରେ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରି ନବୀକରଣ କରିଥିଲେ । ପ୍ରସ୍ଥାନ ପଥର ଗୋଟିଏ କଡ଼ରେ ଏକ ଛୋଟ ବଗିଚା ନିର୍ମାଣ କରାଯିବା ସହିତ ସେଥିରେ ‘ସି ୟୁ ଏଗେନ’ର ଏକ ସେଲ୍ଫି ପଏଣ୍ଟ ତିଆରି କରିଥିଲେ । ଏହାର ଅନ୍ୟ ପଟରେ ସବୁ ବର୍ଗ ପାଇଁ ଶୌଚାଳୟ ନିର୍ମାଣ କରାଯାଇଥିଲା । ଆଶାଥିଲା ପ୍ରସ୍ଥାନ ପଥ ଖୋଲାଯିବ । କିନ୍ତୁ ତାହା ହୋଇପାରିଲାନାହିଁ ।
‘ଓରାଙ୍ଗଓଟାଙ୍ଗ୍’ ଖୁଆଡ଼ରେ ଷ୍ଟମ୍ପଟେଲ୍ଡ ମାଙ୍କଡ଼
୬୦(ଖ) ଖୁଆଡରେ ରହୁଥିବା ଏକ ମାତ୍ର ମାଈ ଓରାଙ୍ଗଉଟାନ(ବିନି) ୨୦୧୯ ଏପ୍ରିଲ ୩୦ରେ ୪୧ ବର୍ଷ ବୟସରେ ପ୍ରାଣ ହରାଇଥିଲା । ପ୍ରାଣୀ ଉଦ୍ୟାନରେ ଗିବନ ଭଳି ସେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିଲା । ତାର ମୃତ୍ୟୁ ହେବା ପରେ ଆଉ ଓରାଙ୍ଗଓଟାଙ୍ଗ୍ ଆଣିବା ପରିବର୍ତ୍ତେ କର୍ତ୍ତୁପକ୍ଷ ସେଠାରେ ଷ୍ଟମ୍ପଟେଲ୍ଟ ମାଙ୍କଡମାନଙ୍କୁ ଛାଡିଛନ୍ତି । ୨୦୦୩ ନଭେମ୍ବର ୨୦ରେ ପୁନେ ସ୍ଥିତ ରାଜୀବ ଗାନ୍ଧି ଜୁଲୋଜିକାଲ ପାର୍କରୁ ୨୫ ବର୍ଷ ବୟସ ହୋଇଥିବା ବେଳେ ବିନିକୁ ଅଦଳ ବଦଳ ପ୍ରକ୍ରିୟାରେ ଅଣାଯାଇଥିଲା ।
ଅପ୍ରାପ୍ତ ବୟସରେ ‘ଜୟଶ୍ରୀ’ ମା’
ମାତ୍ର ୩୪ ମାସ ବୟସରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’ । ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା’ବାଘୁଣୀ ଭାବେ ‘ଜୟଶ୍ରୀ’ ରେକର୍ଡ କରିଛି । ଅପ୍ରାପ୍ତ ବସୟରେ ମା’ ହୋଇଥିବା ଏହି ବାଘୁଣୀ ୩ଟି ଛୁଆ ଜନ୍ମ ଦେଇଛି । ସେଥିରୁ ୨ଟିର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ଜୀବିତ ରହିଛି । ଚିନ୍ତାର ବିଷୟ ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ ଶାବକଟିକୁ ଉଦ୍ଧାର କରି ଶିଶୁଯତ୍ନ ଗୃହକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ଜୀବିତ ଗୋଟିଏ ଶାବକକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ବାଘୁଣୀମାନେ ୩ ରୁ ୪ ବର୍ଷ ବୟସ ଏବଂ ବାଘମାନେ ୪ରୁ ୫ବର୍ଷ ବୟସରେ ପ୍ରାପ୍ତବୟସ୍କ ହୋଇଥାନ୍ତି । କିନ୍ତୁ ‘ଜୟଶ୍ରୀ’ ଓ ତା’ସହିତ ମିଳନ ହୋଇଥିବା ବାଘ ‘ଅମିତ’ ଉଭୟ ୩୪ ମାସ ବୟସର ହୋଇଥିବାବେଳେ ଶାବକ ଜନ୍ମଦେବା ଆଶ୍ଚର୍ଯ୍ୟର କଥା । ଗୋଟିଏ ପଟେ ‘ଜୟଶ୍ରୀ’ ମାତ୍ର ୩୪ମାସ ବୟସରେ ଶାବକ ଜନ୍ମ ଦେବା ନନ୍ଦନକାନନ ଇତିହାସରେ ପ୍ରଥମ ଘଟଣା ହୋଇଥିବାବେଳେ ତା’ ସହିତ ମିଳନ ହୋଇଥିବା ବାଘ ‘ଅମିତ’ ପ୍ରାପ୍ତବୟସ୍କ ହେବା ମଧ୍ୟ ଆଶ୍ଚର୍ଯ୍ୟର କଥା । ଉଭୟ ‘ଜୟଶ୍ରୀ’ ଓ ‘ଅମିତ’ ବାଘୁଣୀ ‘ଅଙ୍କିତା’ ଓ ବାଘ ‘ନନ୍ଦନ’ ଔରସରୁ ୨୦୨୩ ଫେବ୍ରୁଆରୀ ୧୭ ତାରିଖରେ ଜନ୍ମ ହୋଇଥିଲେ ।
ଦୁଇ ହାତୀ, ଦୁଇ ସିଂହ ଓ ୩ ବାଘ ଛୁଆଙ୍କୁ ହରାଇଛି ପ୍ରାଣୀ ଉଦ୍ୟାନ
ଚଳିତ ବର୍ଷ ନନ୍ଦନ କାନନରେ ୩୦ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଦୁଇ ସିଂହ, ୩ ବାଘଛୁଆ ଓ ଉଦ୍ଧାର ହୋଇ ଏଠାକୁ ଆସିଥିବା ୨ ହାତୀଙ୍କ ମୃତ୍ୟୁ ନନ୍ଦନକାନନ ପାଇଁ ବଡ଼ କ୍ଷତି ଥିଲା । ଜାନୁୟାରୀ ୬ରେ କରଞ୍ଜିଆରୁ ଉଦ୍ଧାର ହୋଇ ଆସିଥିବା ଏକ ଅସୁସ୍ଥ ହାତୀ ଓ ଜାନୁଆରୀ ୨୨ରେ ମୟୂରଭଞ୍ଜରୁ ଉଦ୍ଧାର ହୋଇଆସିଥିବା ୬ ବର୍ଷର ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଜାନୁୟାରୀ ୧୫ରେ ଧଳା ବାଘୁଣୀ ରୁପାର ଅଢ଼େଇ ବର୍ଷର ଛୁଆ, ପୁଣି ଜୁନ ୧ ତାରିଖରେ ରୁପାର ୭ ମାସ ଛୁଆର ମୃତ୍ୟୁ ହୋଇଥିଲା । ଅଗଷ୍ଟ ୨୪ରେ ବାଘୁଣୀ ମୌସୁମୀର ୨ ମାସର ଛୁଆ ଆଖି ବୁଜିଥିଲା । ସେହିପରି ୮ ବର୍ଷର ସିଂହୀ ରେୱା ଛୁଆ ଜନ୍ମ ଦେବା ପରେ ହଠାତ୍ ପ୍ରାଣ ହରାଇଥିଲା । ରେୱା ଅଦଳବଦଳ ପ୍ରକ୍ରିୟାରେ ୨୦ ଡିସେମ୍ବର ୨୦୨୦ରେ କମଳାନେହେରୁ ପ୍ରାଣୀ ସଂଘ୍ରାଳୟରୁ ଆସିଥିଲା । ସିଂହ ଜିତ ସହିତ ୩ଥର ମିଳନରେ ସେ ୯ଟି ଛୁଆ ଜନ୍ମ ଦେଇଥିଲା । ମେ ୧୪ ତାରିଖରେ ୧୬ ବର୍ଷିୟ ସିଂହ ‘ଆକାଶ’ର ମୃତ୍ୟୁ ହୋଇଥିଲା । ଆକାଶ ୪ ନଭେମ୍ବର ୨୦୧୪ରେ ଅଦଳବଦଳ ପ୍ରକ୍ରିୟାରେ ବେଙ୍ଗାଲୁରୁରୁ ଆସିଥିଲା ।
ସବୁଆଡେ ଖୋଳାତଡ଼ା
ବିଶ୍ୱସ୍ତରୀୟ ହେବ ନନ୍ଦନକାନନ । ତେଣୁ ୨୦୨୫ ଆରମ୍ଭରୁ ଚାଲିଛି ନିର୍ମାଣ, ମରାମତି ଓ ଭିତ୍ତିଭୂମି ପ୍ରସ୍ତୁତି । ବର୍ଷ ସରିଗଲା ହେଲେ ଏହି କାମ ସେମିତି ଧିମେଇ ଚାଳିଛି । ଯେଉଁଆଡ଼େ ଦେଖିବେ ଖାଲି ଖୋଳାତଡ଼ା । ଏକ ମାସ କହି ବର୍ଷସାରା ଚାଲିଛି ମୁଖ୍ୟ ଫାଟକ କାମ । ଭାଲୁ, କଲରାପତରିଆ ବାଘ, ଜଙ୍ଗଲୀ ବିରାଡ଼ି, ଚିତା, କୁମ୍ଭୀର ଖୁଆଡ ସହିତ ମୁଖ୍ୟ ଫାଉଣ୍ଟେନ, ପାର୍କ, ପାଣି ନିଷ୍କାସନ ଡ଼୍ରେନ ସମେତ ବିଭିନ୍ନ କାର୍ଯ୍ୟ ଚାଲିଛି । ସେପଟେ ପ୍ରସ୍ଥାନ ପଥ କାର୍ଯ୍ୟ ୩ ବର୍ଷ ହେଲା ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନି ।
ପିତୃ ସ୍ନେହରୁ ବଞ୍ଚିତ ‘ପୁଷ୍ପା’ ଓ ‘ସୁରଜ’
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପିତୃ ସ୍ନେହରୁ ବଞ୍ଚିତ ହୋଇଛନ୍ତି ଦୁଇ ସିମ୍ପାଞ୍ଜି ଛୁଆ ‘ପୁଷ୍ପା’ ଓ ‘ସୁରଜ’ । ବାର୍ଦ୍ଧକ୍ୟ କାରଣରୁ ୨୦୨୪ ଡିସେମ୍ବର ୩୦ ତାରିଖରେ ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ‘ଜୁଲୁ’ ସହିତ ମାଈ ସିମ୍ପାଞ୍ଜି ‘ରାଖି’ର ମିଳନ ହୋଇଥିଲା । ଫଳରେ ୨୦୨୪ ଡିସେମ୍ବର ୨୯ରେ ‘ରାଖି’ ଏକ ଛୁଆ ‘ପୁଷ୍ପା’କୁ ଜନ୍ମ ଦେଇଥିଲା । ପୁଷ୍ପା ଜନ୍ମର ଗୋଟିଏ ଦିନ ପରେ ‘ଜୁଲୁ’ର ମୃତ୍ୟୁ ହୋଇଥିଲା । ‘ଜୁଲୁ’ର ମୃତ୍ୟୁ ହେବାର ଏକ ମାସ ପରେ ତା’ ସାଥି ‘ଦୁର୍ଗା’ ୩୦ ଜାନୁୟାରୀ ୨୦୨୫ରେ ଏକ ଅଣ୍ଡିରା ଛୁଆ ‘ସୁରଜ’କୁ ଜନ୍ମ ଦେଇଥିଲା । ସୁରଜ ଥିଲା ‘ଜୁଲୁ’ର ଶେଷ ସନ୍ତକ । ତେବେ ଦୁର୍ଗା ଛୁଆ ‘ସୁରଜ’କୁ ଗ୍ରହଣ କରିନଥିଲା । ତେଣୁ ସୁରଜର ଠିକଣା ଏବେ ପ୍ରାଣୀ ଉଦ୍ୟାନର ଶିଶୁ ଯତ୍ନ କେନ୍ଦ୍ର ।
ଗଣ୍ଡା ‘ନନ୍ଦ’ ଖୁଆଡ଼ରେ ଜଳହସ୍ତୀ
ଗଣ୍ଡା ଏକ ଭାରତୀୟ ଜନ୍ତୁ, କିନ୍ତୁ ଏବେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୧୯୭୯ରେ ଆସାମର ଗୌହାଟିରୁ ୩ବର୍ଷ ବୟସ ହୋଇଥିବା ବେଳେ ଗୋଟିଏ ଅଣ୍ଡିରା ଗଣ୍ଡା ‘ନନ୍ଦ’କୁ ନନ୍ଦନକାନନ ଅଣାଯାଇଥିଲା । ଦୀର୍ଘ ୩୭ ବର୍ଷ ଧରି ପ୍ରାଣୀ ଉଦ୍ୟାନରେଏକାକି ପର୍ଯ୍ୟଟକଙ୍କୁ ମନୋରଞ୍ଜନ କରୁଥିଲା ‘ନନ୍ଦ’ । ୨୮ ସେପ୍ଟେମ୍ବର ୨୦୧୬ରେ ୪୦ ବର୍ଷ ବୟସରେ ତାର ମୃତ୍ୟୁ ହୋଇଥିଲା । ଏହା ପରେ ଆଉ ଗଣ୍ଡା ଅଣାଯାଇନାହିଁ । ଉକ୍ତ ଖୁଆଡ଼ରେ ଜଳହସ୍ତୀ ରଖାଯାଇଛି ।
‘ଜେବ୍ରା’ ଜାଗାରେ ଓଟପକ୍ଷୀ
୨୦୧୪ ମସିହାରେ ଇସ୍ରାଏଲରୁ ୪ଟି ଜେବ୍ରା ନନ୍ଦନକାନନକୁ ଅଣାଯାଇଥିଲା । ସେମାନଙ୍କୁ ଜିରାଫ ସମ୍ମୁଖ ୩୪ ନଂ ଖୁଆଡ଼ରେ ରଖାଯାଇଥିଲା । ୨୪ ସେପ୍ଟେମ୍ବର ୨୦୧୭ ଅର୍ଥାତ ଆସିବାର ମାତ୍ର ୩ବର୍ଷ ମଧ୍ୟରେ ଗୋଟିକ ପରେ ଗୋଟିଏର ମୃତ୍ୟୁ ହେବା ପରେ ଖୁଆଡ଼ଟି ପରିତ୍ୟକ୍ତ ହୋଇଗଲା । ଏବେ ସେଠାରେ ଓଟପକ୍ଷୀ ରଖାଯାଇଛି । ଖୁଆଡ଼ରେ ଜେବ୍ରା ରହିବା ପାଇଁ ଅତି ସୁନ୍ଦର ଭାବରେ ନିର୍ମାଣ କରାଯାଇଥିଲା । ପର୍ଯ୍ୟଟକ ଜେବ୍ରାଙ୍କୁ ଦେଖିବା ପାଇଁ ଏଠାରେ ଏକ ଗ୍ୟାଲେରି ନିର୍ମାଣ କରାଯାଇଛି । କିନ୍ତୁ ଗ୍ୟାଲେରି ଉପରେ ଠିଆ ହୋଇ ଲୋକେ ଓଟପକ୍ଷୀ ଦେଖୁଛନ୍ତି ।
ବଦଳିଲା ମୁଖ୍ୟ ଫାଉଣ୍ଟେନର ଚିତ୍ର
ନନ୍ଦନକାନନ ମୁଖ୍ୟତଃ ବାଘ ପାଇଁ ପ୍ରସିଦ୍ଧି ଲାଭ କରିଛି । ତେଣୁ ପ୍ରାଣୀ ଉଦ୍ୟାନ ପ୍ରବେଶ କରିବା ମାତ୍ରେ ବାଘ ସହିତ ଏକ ବାହାରୁଥିବା ଫାଉଣ୍ଟେନ ରହିଥିଲା । ଏବେ ପ୍ରାଣୀ ଉଦ୍ୟାନକୁ ପ୍ରବେଶ କଲେ ବାଘ ବଦଳରେ ଲୋକେ ଦେଖିବେ ହାତୀ । ହାତୀଟି ଷ୍ଟିଲରେ ନିର୍ମାଣ ହୋଇଛି । ଫାଉଣ୍ଟେନରୁ ବହାରୁଥିବା ପାଣି ସହିତ ହାତୀଟି ଲୋକଙ୍କୁ ଆକର୍ଷିତ କରିବ ।
ବ୍ୟାଟେରି ଗାଡ଼ିରେ ବସିବାକୁ ଟଙ୍କା ଦେଇ ଲମ୍ବା ଲାଇନ୍
ଯେଉଁ ପର୍ଯ୍ୟଟକ ଚାଲି ଚାଲି ବୁଲିପାରିବେ ନାହିଁ, ସେମାନେ ବ୍ୟାଟେରି ଗାଡ଼ିରେ ବୁଲିବାକୁ ବ୍ୟବସ୍ଥା ରହିଛି । ତେଣୁ ପର୍ଯ୍ୟଟକ ଟିକଟ କାଟିବା ପାଇଁ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ୁଛି । ସେପଟେ ଟିକଟ ଯଦି ମିଳିଲା ତେବେ ବୁଲିବା ବେଳେ ସରିସୃପ ଉଦ୍ୟାନ ଓ ହାତୀ ଶାଳ ସମୁଖ ବ୍ୟାଟେରୀ ଗାଡ଼ି ଷ୍ଟପରେ ମଧ୍ୟ ଲମ୍ବା ଲାଇନରେ ପର୍ଯ୍ୟଟକଙ୍କୁ ଠିଆ ହେବାକୁ ପଡ଼ୁଛି । ବଡ଼ କଥା ଯେଉଁ ବୟସ୍କ କିମ୍ବା ଚାଲି ପାରୁନଥିବା ପର୍ଯ୍ୟଟକ ଚାଲି ଚାଲି ଦେଖି ପାରିବେ ନାହିଁ ସେମାନେ ବ୍ୟାଟେରି ଗାଡ଼ି ନେବା ପାଇଁ ଏବଂ ନେବା ପରେ ଠିଆ ହେବାକୁ ପଡ଼ୁଛି । ତାହାଲେ ଏହା କଣ ନନ୍ଦନକାନନର ପର୍ଯ୍ୟଟକଙ୍କୁ ସମ୍ମାନ ବୋଲି ବାହାର ରାଜ୍ୟର ପର୍ଯ୍ୟଟକମାନେ କହିଛନ୍ତି । ସେପଟେ ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡ଼ିଆ ଖାନାରେ ସାମିଲ ହେବାକୁ ଯାଉଥିବା ବେଳେ ପର୍ଯ୍ୟଟକଙ୍କ ପ୍ରତି ଏଭଳି ଅସମ୍ମାନ ନିଶ୍ଚିତ ନନ୍ଦନକାନନ ପ୍ରତି ଖରାପ ପ୍ରଭାବ ପଡ଼ୁଛି । ଏଥିପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା କଥା । କିନ୍ତୁ ବିଭାଗୀୟ ଅଧିକାରୀ ବ୍ୟାଟେରି ଠିକାଦାର ସହିତ ହାତ ବାରିଶ୍ କରିଥିବାରୁ ଏଭଳି ଦୃଷ୍ୟ ଦେଖିବାକୁ ମିଳୁଛି । ଏହା ବର୍ଷ ସାରା ଭିଡ଼ ସମୟରେ ଦେଖିବାକୁ ମିଳୁଥିବାରୁ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ଦରକାର ।
ଆସିଛନ୍ତି ଓ ଯାଇଛନ୍ତି
ଚଳିତ ବର୍ଷ ଗୋଟିଏ ଥର ଅଦଳବଦଳ ପ୍ରକ୍ରିୟାରେ ଜନ୍ତୁ ଆସିଛନ୍ତି । ଯାହା ପର୍ଯ୍ୟଟକଙ୍କୁ ନିରାଶ କରିଛି । ୨୫ ବର୍ଷ ତଳେ ବଂଶ ଲୋପ ପାଇଥିବା ପାଣି ଓଧ ଅଣାଯାଇଛି । ଡିସେମ୍ବର ୫ରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗୁଜୁରାଟ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡ଼େନ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ଅଦଳବଦଳ ପ୍ରକ୍ରିୟା ହୋଇଥିଲା । ଏଥିରେ ଗୁଜୁରାଟରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସିଥିଲେ । ସେଥିରେ ୩ଟି ଅଣ୍ଡିରା, ୨ଟି ମାଈ ପାଣି ଓଧ, ୨ଟି ଅଣ୍ଡିରା ଧୂସର ଗଧିଆ, ୫ଟି ଅଣ୍ଡିରା ଓ ୫ଟି ମାଈ ଭାରତୀୟ ପଥର କଇଁଛ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରୁପେଲି କୁକୁଟ ଆସିଥିଲେ । ସେମାନଙ୍କୁ ଏବେ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଡିସେମ୍ବର ୬ ତାରିଖରେ ଅଦଳ ବଦଳ ପ୍ରକ୍ରିୟାରେ ଗୁଜୁରାଟ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡ଼େନକୁ ପ୍ରଥମ ପର୍ଯ୍ୟାୟରେ ୩ ପ୍ରଜାତିର ୧୦ ଜୀବଜନ୍ତୁ ଯାଇଛନ୍ତି । ସେଥିରେ ୩ଟି ଚଉସିଙ୍ଗା (ଗୋଟିଏ ଅଣ୍ଡିରା ଓ ୨ଟି ମାଈ), ୨ ଟି ମାଈ କୁଟୁରା, ୫ଟି ଭାରତୀୟ ବିଲୁଆ ( ୨ଟି ଅଣ୍ଡିରା ଓ ୩ଟି ମାଈ) ଅଛନ୍ତି । ଦ୍ୱତୀୟ ପର୍ଯ୍ୟାୟରେ ଦୁଇ ପ୍ରଜାତୀର ୪ ଜୀବଜନ୍ତୁ ଯିବେ । ସେଥିରେ ୨ ଟି ମହାବଳ ବାଘ (ଅଣ୍ଡିରା ଓ ମାଈ), ୨ ଟି ମାଈ ଧୂସର ଗଧିଆ ଅଛନ୍ତି । ଏହି ଅଦଳ ବଦଳ ପ୍ରକ୍ରିୟା ଦ୍ୱାରା ନନ୍ଦନକାନନ କେବଳ ଗୋଟିଏ ନୂଆ ଜନ୍ତୁ ପାଇଛି ।