ବାରଙ୍ଗ,୦୭/୧୨: ନନ୍ଦନକାନନରେ ଏଣିକି ସୁରକ୍ଷିତ ଭାବେ ନୌକା ବିହାରର ମଜା ନେବେ ପର୍ଯ୍ୟଟକ । ଘରୋଇକରଣ ଯୋଗୁ ନୌକା ବିହାର ବନ୍ଦ ରହିଥିଲା । ଏବେ ଏହାକୁ ଚଳାଇବା ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହାତକୁ ନେଇଛନ୍ତି । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ଟି ବୋଟ୍ ଅଣାଯାଇଛି । ସେଥିରେ ୬ଟି ଦୁଇ ଜଣିଆ ଓ ୬ଟି ୪ ଜଣିଆ ବୋଟ୍ ରହିଛି । କାଞ୍ଜିଆ ହ୍ରଦ ସଫେଇ କାର୍ଯ୍ୟ ମଧ୍ୟ ଚାଲିଛି । ତେଣୁ ନନ୍ଦନକାନନ ପ୍ରତିଷ୍ଠା ଦିବସ ପୂର୍ବରୁ ନୌକା ବିହାର ସୁବିଧା ମିଳିବ ବୋଲି ସୂଚନା ମିଳିଛି ।
ଘରୋଇକରଣ ଯୋଗୁ ସମ୍ପୃକ୍ତ ସଂସ୍ଥା ମନମାନି ଚଳାଇଥିଲା । ବିପଦପୂର୍ଣ୍ଣ ଭାବରେ ପର୍ଯ୍ୟଟକଙ୍କୁ ବିନା ସୁରକ୍ଷା ଜ୍ୟାକେଟ୍ରେ ବୁଲାଉଥିଲେ । ଏପରିକି ଛୋଟ ଛୋଟ ପିଲାଙ୍କୁ ନୌକା ବିହାର କରାଉଥିଲେ । ଘରୋଇ କମ୍ପାନିମାନେ ଟଙ୍କା ରୋଜଗାର ପାଇଁ ନିୟମ ମାନୁନଥିଲେ । କିନ୍ତୁ ଏବେ ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ନୌକା ବିହାର ମଜା ନେଇ ପାରିବେ । ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ମଧ୍ୟରେ କାଞ୍ଜିଆ ହ୍ରଦରେ ନୌକା ବିହାର ସ୍ଥଳ ରହିଛି । ଏଠିକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଦୀର୍ଘ ଦିନ ହେବ ନୌକା ବିହାର ବନ୍ଦ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ । ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣଙ୍କ ଉଦ୍ୟମରେ ନୌକା ବିହାର ଘରୋଇକରଣରୁ ମୁକ୍ତ ହୋଇଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।