ରାଇରଙ୍ଗପୁର,୦୩/୦୬: ରାସ୍ତା କଡ଼ ଗଛରେ ପିଟିହେଲା ଟ୍ରେଲର୍ । ଗାଡ଼ି ଭିତରେ ଚାପି ହୋଇ ଚାଲିଗଲା ହେଲପର୍ର ଜୀବନ । ମୃତ ହେଲପର୍ ଜଣକ ବାଦାମ ପାହାଡ଼ ଥାନା ପୁରୁଣା ପାଣି ଗ୍ରାମର କାଳୀ ଚରଣ ନାଏକ (୨୫ ବର୍ଷ) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ରାଞ୍ଚି ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ପୁରୁଣାଘାଟି ଠାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଟାଟାରୁ ଲୁହାପଥର ଖାଲି କରି ବାଦାମ ପାହାଡ଼ ଖଣି ଅଭିମୁଖେ ଟ୍ରେଲରଟି ବାହାରିଥିଲା । ୨୨୦ ନମ୍ବର ଜାତୀୟ ରାଜପଥ ପୁରୁଣାଘାଟି ଠାରେ ରାସ୍ତା କଡ଼ ଗଛରେ ଗାଡ଼ିଟି ପିଟି ହୋଇଥିଲା । ଫଳରେ ହେଲପର୍ ଗାଡ଼ି ଭିତରେ ଚାପି ହୋଇ ଜାବନ ହାରିଥିଲେ । ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହେଲପର୍ଙ୍କ ମୃତଦେହ ଉଦ୍ଧାର କରିଥିଲେ । କାଳୀ ଚରଣ ନାଏକ ଏକ ମାସ ତଳେ ବିବାହ କରିଥିଲେ । ଏହି ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।