କଟକ,୨୦/୦୧: ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପାଇବା ପାଇଁ ପୂର୍ବ ଚାଲାଣ ବା ଜରିମାନା ପଇଠ କରିବା ଆଉ ବାଧ୍ୟତାମୂଳକ ନୁହେଁ । ଅର୍ଥାତ୍ ଜରିମାନା ବାକି ଥିବା ଆଳରେ କେହି ପ୍ରଦୂଷଣ ସାର୍ଟିଫିକେଟ୍ ଦେବାକୁ ମନା କରିପାରିବେ ନାହିଁ । ଗାଡ଼ି ଉପରେ ଯେକୌଣସି ପ୍ରକାର ଜରିମାନା ବା ଚାଲାଣ କଟିଥିଲେ ବି ପ୍ରଦୂଷଣ ସାର୍ଟିଫିକେଟ୍ ବାହାରିବାରେ ଆଉ କୌଣସି ସମସ୍ୟା ହେବ ନାହିଁ । ଯଦିଓ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇ ନାହିଁ କିନ୍ତୁ ଏକ ଭିତିରିଆ ଆଦେଶ ଜାରି କରାଯାଇଛି । ଏହି ଆଦେଶ ଫଳରେ ଏବେ ଚାଲାଣ ପଇଠ କରିନଥିଲେ ମଧ୍ୟ ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ରରୁ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଯାଉଛି । ସାଧାରଣ ଲୋକଙ୍କ ତୀବ୍ର ଅସନ୍ତୋଷ ଆଗରେ ଶେଷରେ ପରିବହନ ବିଭାଗ ନରମ ପଡ଼ିବା ସହ ଭିତିରିଆ ଏହି ନିୟମ କୋହଳ କରିଦେଇଛି ।
କିନ୍ତୁ ଏହି ନିୟମ କୋହଳକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି । ଯଦି କେନ୍ଦ୍ରୀୟ ମୋଟର ଯାନ ଆଇନ ବଳରେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଜରିମାନା ଆଦାୟ ବାଧ୍ୟତାମୂଳକ କରାଯାଇଥିଲା ତାହେଲେ ଏବେ ପୁଣି କେଉଁ ନିୟମ ଆଳରେ ଜରିମାନାକୁ ଛାଡ୍ (ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ହେଉ ପଛେ) କରାଗଲା । ଯଦି ନିୟମରେ ଏଭଳି କିଛି ବ୍ୟବସ୍ଥା ରହିଥିଲା ତାହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଜରିମାନା ଆଳରେ କାହିଁକି ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରଶ୍ନ ଉଠିଛି ।
ପରିବେଶ ପ୍ରଦୂଷଣ ହ୍ରାସ ଉଦ୍ଦେଶ୍ୟରେ ପ୍ରତି ଗାଡ଼ି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ଏଥିସହ ନୂଆ କଟକଣା ଯୋଡ଼ିଦିଆଗଲା କି ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ତେଲ ମନା । ପରିବହନ ବିଭାଗର ଏଭଳି ମନମୁଖି ନିୟମ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ପ୍ରଦୂଷଣ ସାର୍ଟିଫିକେଟ୍ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଥିଲେ ମଧ୍ୟ ଏହି ଜରିମାନା ପାଇଁ ଅନେକ ଲୋକ ସାର୍ଟିଫିକେଟ୍ ବାହାର କରିପାରିଲେ ନାହିଁ । ଦ୍ୱିତୀୟରେ କୋର୍ଟକୁ ଚାଲିଯାଇଥିବା ଚାଲାଣଗୁଡ଼ିକ ଉପରେ ପରିବହନ ବିଭାଗର କୌଣସି ପ୍ରକାର ସ୍ପଷ୍ଟୀକରଣ ନଥିଲା । କେବଳ ଅଳ୍ପ କିଛି ଚାଲାଣକୁ କୋର୍ଟରୁ ଫେରାଇ ଅଣାଯାଇ ପାରୁଥିଲାବେଳେ ଅନ୍ୟଗୁଡ଼ିକ କ୍ଷେତ୍ରରେ କିଛି କରାଯାଇପାରିଲା ନାହିଁ । ଯଦି ଜଣେ ଲୋକର ଚାଲାଣ କୋର୍ଟକୁ ଚାଲିଯାଇଛି ତାହା ଅଦାଲତଙ୍କ ବିଚାର ନସରିବା ପର୍ଯ୍ୟନ୍ତ ସାଧାରଣ ଲୋକଟିଏ କିଛି କରିପାରିବ ନାହିଁ । ଏଥିରେ ପରିବହନ ବିଭାଗ ମଧ୍ୟ କୌଣସି ପ୍ରକାର ସହଯୋଗ କରିପାରିଲା ନାହିଁ । କିନ୍ତୁ ଏଭଳି କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ଅଧିକ ବଢ଼ିଯାଇଥିଲା ।
ଯେଉଁ ଚାଲାଣଗୁଡ଼ିକ କୋର୍ଟକୁ ଚାଲିଯାଇଥିଲା ସେସବୁ ପରିବହନ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଥିଲା । ଆଗପଛ କିଛି ଚିନ୍ତା ନକରି ଏଭଳି ଏକ ନିୟମକୁ ଲଦି ଦେଇଥିବା ପରିବହନ ବିଭାଗ ଏବେ ନିଜର କିଛି ନିଷ୍ପତ୍ତିରୁ ଓହରିବା ଆରମ୍ଭ କରିଛି । କୌଣସି ପ୍ରକାର ନିୟମ ନଥାଇ ପେଟ୍ରୋଲ ନମିଳିବା ପାଇଁ ଦେଇଥିବା ଆଦେଶ ଏବେ ଏହି ବିଭାଗ ପାଇଁ ସବୁଠାରୁ ଚିନ୍ତାର କାରଣ ହୋଇଛି । ଫଳରେ ଏହି ନିୟମକୁ ଲାଗୁ କରିନପାରି ବାରମ୍ବାର କେବଳ ସମୟ ଗଡ଼ାଇ ଚଲାଚାଲିଛି । ଦ୍ୱିତୀୟରେ ଜରିମାନାକୁ ମଧ୍ୟ ଏହି ସାର୍ଟିଫିକେଟ୍ ପାଇଁ ବାଧ୍ୟତାମୂଳକ କରାଯିବା ଅସନ୍ତୋଷର କାରଣ ହେବାପରେ ଏଥିରେ ମଧ୍ୟ କୋହଳ କରାଯାଇଛି । ତେଲ କଟକଣାକୁ ଲାଗୁ କରିବା ପରେ ପରିବହନ ବିଭାଗ ଜରିମାନା ଆଦାୟକୁ ଅଧିକ ପ୍ରାଧାନ୍ୟ ଦେଇଥିଲା । ଏଥିପାଇଁ ଆଇନର ମଧ୍ୟ ଆଳ ଦେଖାଯାଇଥିଲା । କିନ୍ତୁ ଏବେ ସେହି ପରିବହନ ବିଭାଗ ନିୟ କୋହଳ କରିବା ସାଧାରଣରେ ଆଶ୍ୱସ୍ତି ଆଣି ଦେଇଥିଲାବେଳେ ବିଭାଗର ମନମୁଖ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।