ଭୁବନେଶ୍ୱର ୨୩/୧୨: ବାହାଡ଼ା ଦାନ୍ତ, ଦାନ୍ତ ମଧ୍ୟରେ ଫାଙ୍କ ଓ ଉଚ୍ଚା ମାଢ଼ି ଜନିତ ତ୍ରୁଟି ଅନେକଙ୍କ ପାଇଁ ସମସ୍ୟା  ସୃଷ୍ଟି ହୋଇଥାଏ । ଦାନ୍ତ ତେଢ଼ାମେଢ଼ା ରହିଲେ ଭଲ ଭାବେ ବ୍ରସ୍‌ କରିହୁଏ ନାହିଁ । ଫଳରେ ଦାନ୍ତ ଫାଙ୍କରେ ଖାଦ୍ୟପଦାର୍ଥ ଜମି ପଚିଯାଏ । ଏହା ଯୋଗୁଁ ପାଟିରୁ ଦୁର୍ଗନ୍ଧ ବାହାରେ । ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ  ପାଇରିଆ ହୋଇ ଦାନ୍ତ ହଲିବା ଓ ପଡ଼ିବା ଆଦି  ଆଶଙ୍କା ସୃଷ୍ଟି ହୋଇଥାଏ ।

ଦାନ୍ତ ବାହାଡ଼ା ହେବାର କାରଣ 

ବଂଶାନୁକ୍ରମିକ, ଜନ୍ମଗତ ସମସ୍ୟା ଯୋଗୁଁ ପିଲାଙ୍କର  ଦାନ୍ତ ବାହାଡ଼ା ହେବା ସହ ଦାନ୍ତ ମଧ୍ୟରେ ଫାଙ୍କ ରହିବା  ଓ ଉଚ୍ଚା ମାଢ଼ି ଆଦି ଅସାମଞ୍ଜସ୍ୟ ଦେଖା ଦେଇଥାଏ ।  ସେହିପରି ଜନ୍ମର ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ୟାକୁ  ନେଇ ମଧ୍ୟ ଦାନ୍ତ ଓ ମାଢ଼ି ଆଦିରେ ତ୍ରୁଟି ଦେଖାଦିଏ ।  ନିୟମିତ ଆଙ୍ଗୁଠି ଚୁଚୁମିବା, ଅଭ୍ୟାସଗତ ଭାବେ  ଜିଭ ଠେଲିବା, ଓଠ କାମୁଡ଼ିବା, ଏକାଧିକ ଦାନ୍ତ ପୋକ  ଖାଇବା, ଦୀର୍ଘ ସମୟ ଧରି ଶିଶୁ ବୋତଲରେ କ୍ଷୀର  ପିଇବା, ଶୋଇବା ବେଳେ ନିୟମିତ ପାଟି ମେଲା  କରି ନିଃଶ୍ୱାସ ପ୍ରଶ୍ୱାସ ନେବା ଦ୍ୱାରା ପିଲାର ମାଢ଼ି ଉଚ୍ଚା  ହୋଇଯାଏ ଏବଂ ଉଚ୍ଚା ଦାନ୍ତ ସମସ୍ୟା ସୃଷ୍ଟି ହୋଇଥାଏ । 

 ଚିକିତ୍ସା 

 ତେଣୁ ପିଲା ବୟସରୁ ହିଁ ଏହାର ଚିକିତ୍ସା କରିବା ଦରକାର ।  ଜନ୍ମର ପରବର୍ତ୍ତୀ ସମୟରେ ଅର୍ଥୋଡୋଣ୍ଟିକ୍‌ସଙ୍କ ପରାମର୍ଶ  ନେଇ ୮ ବର୍ଷ ବୟସ ମଧ୍ୟରେ ପିଲାର ଉପର ମାଢ଼ି  ଓ ତଳ ମାଢ଼ିରେ ଉଚ୍ଚାନୀଚ୍ଚା ବା ଅସମାନତା ଥିଲେ  ଚିକିତ୍ସା କରାଇ ନେବେ । ତାହେଲେ ମାଢ଼ିର ଆକାରଗତ  ତ୍ରୁଟିରେ ସୁଧାର ଆସିପାରିବ । ଛୋଟ ବୟସରୁ ପିଲାର  ଯେତେଶୀଘ୍ର ଏହି ଦାନ୍ତ ଓ ମାଢ଼ି ଜନିତ ସମସ୍ୟାର  ଚିକିତ୍ସା କରାଇବେ ସେହି ଅନୁସାରେ ଚିକିତ୍ସା ଫଳପ୍ରଦ  ହେବା ସହ ସ୍ଥାୟୀ ସଫଳତା ମିଳିବ । ୧୦-୧୧ ବର୍ଷ  ବୟସ ବେଳକୁ ସାଧାରଣତଃ ପିଲାର ସ୍ଥାୟୀ ଦାନ୍ତ ଉଠି  ସାରିଥାଏ । ତେଣୁ ସେତେବେଳକୁ କ୍ଲିପିଙ୍ଗ୍‌ ଚିକିତ୍ସା  ଦରକାର ପଡ଼େ । ଅନ୍ୟପକ୍ଷରେ ପିଲା ବୟସରେ  ଯଦି ବି କେହି ଦାନ୍ତ ଓ ମାଢ଼ି ତ୍ରୁଟିର ଚିକିତ୍ସା କରାଇ  ପାରିନାହାନ୍ତି ସେଥିରେ ଆଉ ଅବହେଳା କରିବା କିମ୍ବା  ଖାମଖିଆଲି ହେବା ଉଚିତ ନୁହେଁ । ବିଳମ୍ବରେ ହେଲେ  ମଧ୍ୟ ଅର୍ଥୋଡୋଣ୍ଟିକ୍‌ସଙ୍କ ନିକଟରେ ଚିକିତ୍ସା କରାଇ  ନେବା ଉଚିତ । ଅତ୍ୟାଧୁନିକ କ୍ଲିପିଙ୍ଗ୍‌ ମାଧ୍ୟମରେ ବାହାଡ଼ା  ଦାନ୍ତ ଓ ଉଚ୍ଚା ମାଢ଼ି ଜନିତ ତ୍ରୁଟିର ଚିକିତ୍ସା କରାଯିବା  ଲାଗି ଅନେକ ବ୍ୟବସ୍ଥା ରହିଛି । ମେଟାଲ୍‌, ସେରାମିକ୍‌,  ଲିଙ୍ଗୁଆଲ୍‌, ଆଲାଇନର୍‌ ଆଦି କ୍ଲିପିଙ୍ଗ୍‌ ଟ୍ରିଟ୍‌ମେଣ୍ଟ୍‌ରେ  ଅନେକ ସଫଳତା ମିଳୁଛି । ଏହି ଚିକିତ୍ସା ପ୍ରଣାଳୀରେ  ଅର୍ଥୋଡୋଣ୍ଟିକ୍‌ସ୍‌ଙ୍କ ଦ୍ୱାରା ଦାନ୍ତ ଓ ମାଢ଼ି ଜନିତ ଅନେକ  ତ୍ରୁଟି ଏବଂ ଗ୍ରହଣ ଖଣ୍ଡିଆର ସଫଳ ଚିକିତ୍ସା ହେଉଛି ।

ଡାକ୍ତର ମିତାଲି ମିଶ୍ର, 

ସହକାରୀ ପ୍ରଫେସର, ଏସ୍‌ସିବି ଡେଣ୍ଟାଲ୍‌ ମେଡିକାଲ 

କଲେଜ ଓ ହସ୍ପିଟାଲ୍‌