ନୂଆଦିଲ୍ଲୀ ୦୬/୦୬: ଶୋଷରେ ଚାଲିଗଲା ୫୦ ଜୀବନ । ଉତ୍ତର ନାଇଜରରେ ସାହାରା ମରୁଭୂମିର ଏକ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଖରାପ ହୋଇଯିବାରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତକମାନେ ମାଲୀରେ ଏକ ମୁସଲିମ୍ ପର୍ବରେ ଯୋଗଦେଇ ଫେରୁଥିଲେ । ସେମାନଙ୍କ ପାଖରେ ପିଇବା ପାଣି ସରିଗଲା । ଆସାମାକାରୁ ୮୦ କିମି ପଶ୍ଚିମରେ ସେମାନେ ଫସିରହିଲେ, ଯାହା ନାଇଜର ଓ ଆଲଜେରିଆ ମଧ୍ୟରେ ସୀମା ପାର୍ କରିବାର ଏକ ପ୍ରମୁଖ ସ୍ଥାନ ।

ଏଭଳି ଏକ ପ୍ରତିକୂଳ ପରିବେଶରେ ସେମାନେ ଫସିଗଲେ, ଯେଉଁଠି ତାପମାତ୍ରା ଚରମରେ ପହଞ୍ଚିଯାଏ ଏବଂ ଯୋଗାଣ ବ୍ୟବସ୍ଥାର ଅଭାବ ଯୋଗୁ ବଞ୍ଚିବା ଅତ୍ୟନ୍ତ ଜଟିଳ ହୋଇପଡ଼େ । ଏହି ହୃଦୟବିଦାରକ ଘଟଣାରେ କେବଳ ଦୁଇ ଜଣ ବଞ୍ଚିଲେ ଏବଂ ଆସାମାକା ମରୁଭୂମି ପାର କରି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ସୂଚନା ଦେଲେ । ଟ୍ରକ୍ଟି ମାଲୀ ସହର ତେଲହାଣ୍ଡେକ୍ରୁ ବାହାରିଥିଲା, କିନ୍ତୁ ନିର୍ଦ୍ଧାରିତ ମାର୍ଗରୁ ଲକ୍ଷ୍ୟଚ୍ୟୁତ ହୋଇଗଲା । ଅନେକ ଦିନ ଧରି ଟ୍ରକ୍ ଚାଳକ ଓ ଯାତ୍ରୀମାନେ ବାରମ୍ବାର ଗାଡ଼ି ମରାମତି କରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନଙ୍କର ସବୁ ପ୍ରୟାସ ଶେଷରେ ବିଳଫ ହେଲା । ଶେଷରେ ଜଣ ଜଣ କରି ୪୯ ଜଣ ପ୍ରାଣ ହରାଇଲେ । ଅଚଳ ଟ୍ରକ୍ ତଳେ ଓ ଆଖପାଖରେ ସେମାନଙ୍କ ମୃତ ଶରୀର ମିଳିଲା । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ଅଞ୍ଚଳକୁ ଯାଇଥିବା ଉଦ୍ଧାରକାରୀ ଟିମ୍ ମୃତକଙ୍କୁ ଏକାଠି ସମାଧି ଦେଲେ ।

ସେଠାରୁ ଫେରିବା ସମୟରେ ଉଦ୍ଧାରକାରୀ ଟିମ୍ ଆଉ ଏକ ଅଚଳ ଟ୍ରକ୍ ସଂସ୍ପର୍ଶରେ ଆସିଲେ, ଯେଉଁଥିରେ ୬୦ରୁ ଅଧିକ ଲୋକ ଯାଉଥିଲେ । ବ୍ୟାଟେରୀ ଫେଲ୍ ହେବାରୁ ଟ୍ରକ୍ ମରୁଭୂମିରେ ୩ ଦିନ ଧରି ଫସି ରହିଥିଲା । ତାହା ନାଇଜର ସୀମାରୁ ୩୦୦ କିମି ଅଧିକ ଦୂରରେ ସ୍ଥିତ ମାଲୀ ସହର ହାରୋବାରୁ ଯାତ୍ରା କରିଥିଲା । ଉଦ୍ଧାରକାରୀ ଟିମ୍ ଯାତ୍ରୀଙ୍କୁ ପାଣି ଦେଲେ ଏବଂ ଗାଡ଼ି ମରାମତିରେ ସାହାଯ୍ୟ କଲେ, ଯାହା ଦ୍ୱାରା ସେମାନେ ପୁଣି ଥରେ ଯାତ୍ରା ଆରମ୍ଭ କଲେ । ସୂଚନାଯୋଗ୍ୟ, ୟୁରୋପ ପହଞ୍ଚିବାକୁ ଚେଷ୍ଟା କରୁଥିବା ପଶ୍ଚିମ ଆଫ୍ରିକାର ପ୍ରବାସୀଙ୍କ ପାଇଁ ନାଇଜର ମରୁଭୂମି ଏକ ପ୍ରମୁଖ କରିଡର । ଯାତ୍ରା ଜନିତ ବିପଦକୁ ସେମାନେ ଖାତିର କରନ୍ତି ନାହିଁ ।

ଆହୁରି ପଢ଼ନ୍ତୁ...ଯୁଦ୍ଧ ପାଇଁ ମଶାକୁ 'ହତ୍ଯାକାରୀ' ଭାବେ ବ୍ୟବହାର କରୁଥିଲା ଆମେରିକା, ସୈନିକଙ୍କ ଉପରେ କରୁଥିଲା 'ସିକ୍ରେଟ ଟେଷ୍ଟିଙ୍ଗ'