ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ସେ ଟାରିଫ୍ ନେଇ ବଡ଼ ଘୋଷଣା କରିଥିଲେ। ଟ୍ରମ୍ପ କହିଥିଲେ ଯେ, ଆମେରିକା ଏବେ ଭାରତ ଉପରେ ଲାଗୁ ହୋଇଥିବା ପାରସ୍ପରିକ ଟାରିଫକୁ ୨୫ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ କରିଦେବ। ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଏକ ପୋଷ୍ଟରେ ନିଜେ ଏହାର ସୂଚନା ଦେଇଛନ୍ତି।

ଟ୍ରମ୍ପ ଲେଖିଛନ୍ତି- ଭାରତର ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ସହ କଥା ହୋଇ ମୁଁ ଖୁବ୍ ସମ୍ମାନିତ ଅନୁଭବ କଲି। ସେ ମୋର ସବୁଠାରୁ ଭଲ ବନ୍ଧୁଙ୍କ ମଧ୍ୟରୁ ଜଣେ ଏବଂ ସେ ତାଙ୍କ ଦେଶର ଜଣେ ଶକ୍ତିଶାଳୀ ଏବଂ ସମ୍ମାନିତ ନେତା । ଆମେ ବାଣିଜ୍ୟ , ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରି ଥିଲୁ। ସେ ରୁଷୀୟ ତେଲ କିଣିବା ବନ୍ଦ କରିବା ଏବଂ ଏହାର ବଦଳରେ ଆମେରିକାରୁ ଅଧିକ ତେଲ କିଣିବାକୁ ରାଜି ହୋଇଥିଲେ । ଏହାସହ ସମ୍ଭାବିତ ରୂପେ ଭେନେଜୁଏଲ ଠାରୁ ମଧ୍ୟ। ଏହି ପଦକ୍ଷେପ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାରେ ସାହାଯ୍ୟ କରିବ, ଯେଉଁଠାରେ ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି।

ଟ୍ରମ୍ପ ଆହୁରି ଲେଖୁଛନ୍ତି, - ମୋଦି ଜୀଙ୍କ ପ୍ରତି ବନ୍ଧୁତା ଏବଂ ସମ୍ମାନ କାରଣରୁ , ତଥା ତାଙ୍କର ଅନୁରୋଧରେ, ଆମେ ତତ୍କାଳ ପ୍ରରେ ଆମେରିକା ଓ ଭାରତ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତି ପ୍ରକାଶ କରିଛୁ। ଆମେରିକା ଏବେ ଭାରତ ଉପରେ ପାରସ୍ପରିକ ଟାରିଫକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବ। ଭାରତ ମଧ୍ ଆମେରିକା ବିରୁଦ୍ଧରେ ଏହାର ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକକୁ ଶୂନ୍ୟ କରିବା ଦିଗରେ ଆଗେଇବ। ପ୍ରଧାନମନ୍ତ୍ରୀ ମୋଦି ‘ବାୟ ଆମେରିକାନ’ ନୀତିକୁ ଖୁବ୍ ଉଚ୍ଚ ସ୍ତରରେ ଆପଣାଇବାର ପ୍ରତିବଦ୍ଧତା ଦର୍ଶାଇଛି। ଯେଉଁଥିରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକୀୟ ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି, କୋଇଲା ଏବଂ ଅନ୍ୟାନ୍ୟ ଉତ୍ପାଦର କ୍ରୟ ଅନ୍ତର୍ଭୁକ୍ତ । ଭାରତ ସହ ଆମର ଚମତ୍କାର ସମ୍ପର୍କ ଆହୁରି ମଜବୁତ ହେବ ।