ନୂଆଦିଲ୍ଲୀ, ୨୦/୦୪: ଶାନ୍ତି ଆଲୋଚନା ବିଫଳ ପରେ ବଢ଼ିଲା ଯୁଦ୍ଧ ଆଶଙ୍କା । ମଧ୍ୟପ୍ରାଚ୍ୟରେ ଆହୁରି ଘମାଘୋଟ ଯୁଦ୍ଧ ହୋଇପାରେ । ରାଗରେ ଗରଗର ଡୋନାଲ୍ଡ ଟ୍ରମ୍ପ ଇରାନକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦେବାକୁ ଧମକ ଦେଇଛନ୍ତି । ଦେଶର କୌଣସି ଗୋଟିଏ ପାୱାର ପ୍ଲାଣ୍ଟ କିମ୍ବା ବ୍ରିଜ୍ ଥୟ ପଡ଼ିବ ନାହିଁ । ସବୁକିଛି ଛାରଖାର କରିଦେବୁ । ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ଶେଷ ହେବାକୁ ଥିବା ବେଳେ ଟ୍ରମ୍ପ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟ୍ରମ୍ପ ।
ଇରାନ-ଆମେରିକା ମଧ୍ୟରେ ୨୧ ତାରିଖରେ ଯୁଦ୍ଧବିରତି ଅବଧି ଶେଷ ହେଉଛି । ଏହା ପୂର୍ବରୁ ପାକିସ୍ତାନର ଇସଲାମାବାଦରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଲାଗି ବୈଠକ ହୋଇଥାନ୍ତା । ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ନେତୃତ୍ୱରେ ଦେଶର ପ୍ରତିନିଧି ମଣ୍ଡଳୀ ସୋମବାର ସନ୍ଧ୍ୟାରେ ଇସଲାମାବାଦରେ ପହଞ୍ଚିଥାନ୍ତେ । ଏହା ପୂର୍ବରୁ ଏହି ଶାନ୍ତି ଅଲୋଚନାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି ଇରାନ । ତେଣୁ ଏବେ ଯୁଦ୍ଧବିରତି ଅବଧି ବଢ଼ିବ କି ନାହିଁ, ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯୁଦ୍ଧବିରତି ଅବଧି ନ ବଢ଼ିଲେ ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇପଡ଼ିବ ।
ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ପୂର୍ବ ଭଳି ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯିବ । ଦୀର୍ଘ ୪୦ ଦିନ ଧରି ଯୁଦ୍ଧ ପରେ ଟ୍ରମ୍ପ୍ ଏପ୍ରିଲ ୮ରେ ଦୁଇ ସପ୍ତାହର ଯୁଦ୍ଧବିରତି ଘୋଷଣା କରିଥିଲେ । ଦ୍ୱିତୀୟ ଶାନ୍ତି ବାର୍ତ୍ତାକୁ ନେଇ ଇରାନର ନକାରାତ୍ମକ ବୟାନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କ୍ଷୁବ୍ଧ ହୋଇଛନ୍ତି । ରବିବାର ସୋସିଆଲ ମିଡିଆରେ ସେ ଇରାନକୁ ଚେତାବନୀ କହିଥିଲେ । କହିଛନ୍ତି, ମୁଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରିଥିବା ଭୁଲକୁ ଆଦୌ ଦୋହରାଇବି ନାହିଁ । ଓବାମା ପ୍ରଶାସନ ୨୦୧୫ରେ ଇରାନ ସହିତ ଏକ ବ୍ୟାପକ ଆଣବିକ ଚୁକ୍ତି ସ୍ୱାକ୍ଷର କରିଥିଲା । ମୁଁ ତାହା କରାଇ ଦେବିନାହିଁ । ଇରାନ ଆମ କଥାରେ ରାଜି ନହେଲେ ପୂରା ଦେଶକୁ ଉଡ଼ାଇଦେବୁ । ଟ୍ରମ୍ପ୍ କହିଛନ୍ତି, ଇରାନ ଯଦି ଆମେରିକାର ପ୍ରସ୍ତାବ ନ ମାନେ, ତେବେ କ୍ଷମା ଦିଆଯିବ ନାହିଁ ।
ଶନିବାର ହୋର୍ମୁଜ ପ୍ରଣାଳୀରେ ଇରାନୀ ସେନା ଗୁଳିମାଡ଼ କରିଥିଲା । ଏଭଳି କରି ଇରାନ ଯୁଦ୍ଧବିରତି ପ୍ରସ୍ତାବ ଉଲ୍ଲଂଘନ କରିଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ହୋର୍ମୁଜ ବନ୍ଦ ରହିବା ଯୋଗୁ ଇରାନ ପ୍ରତିଦିନ ପ୍ରାୟ ୫୦୦ ମିଲିୟନ ଡଲାର କ୍ଷତି ସହୁଛି । କିନ୍ତୁ ଆମେରିକାର କୌଣସି କ୍ଷତି ହେଉନାହିଁ । ଏବେ ଇରାନ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଜରୁରି ତାହା ନିଆଯିବ । ବିଗତ ୪୭ ବର୍ଷ ଧରି ଆମେରିକାର ରାଷ୍ଟ୍ରପତିମାନେ ଯାହା କରିବା ଉଚିତ ଥିଲା, ତାହା ଏବେ କରାଯିବ । ଇରାନକୁ ଶେଷ କରିଦେବା ପାଇଁ ଏବେ ସମୟ ଆସିଛି । ହୋର୍ମୁଜ ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରି ଇରାନ ନିଜ ଅର୍ଥ ବ୍ୟବସ୍ଥାକୁ ବି ବରବାଦ କରିଦେଉଛି । ସେମାନେ ଅଜାଣତରେ ଆମକୁ ସହାୟତା କରୁଛନ୍ତି । ଆମେରିକାର ତୈଳ କାରବାର ବୃଦ୍ଧି ପାଇଛି । ଅନେକ ଜାହାଜ ଏବେ ଟେକ୍ସାସ, ଲୁଇସିଆନା ଓ ଅଲାସ୍କା ଅଭିମୁଖେ ଆସୁଛନ୍ତି । ତଥାପି ଇରାନ ପାଖରେ ସୁଯୋଗ ରହିଛି ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଇରାନର ସେନା ମୁଖ୍ୟ ଅମୀର ହାତେମୀନେ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି, ଆମ ସେନା ଶେଷ ନିଃଶ୍ୱାସ ଥିବା ଯାଏ ଶତ୍ରୁଙ୍କର ସାମ୍ନା କରିବ । ଦେଶର ସ୍ୱାଧୀନତା, ଆଞ୍ଚଳିକ ଅଖଣ୍ଡତା ଏବଂ ସୁରକ୍ଷା ଲାଗି ଜମି, ଆକାଶ ଏବଂ ସମୁଦ୍ର, ପ୍ରତ୍ୟେକ ମୋର୍ଚ୍ଚାରେ ସେନା ପ୍ରସ୍ତୁତ ଅଛି । ଇରାନୀ ସୈନ୍ୟ ବଳିଦାନ ଭାବନାରେ ପ୍ରେରିତ ଏବଂ ନିଜ ମିଶନ ପ୍ରତି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।