ନୂଆଦିଲ୍ଲୀ: ତାଇଓ୍ବାନକୁ ସର୍ବଦା ସମର୍ଥନ ଦେଇଆସୁଥିବା ଆମେରିକା ଏଥର ଧୋକା ଦେଇଛି । ଚୀନ୍କୁ ମାତ ଦେବାକୁ ଆମେରିକା ପାଇଁ ତାଇଓ୍ବାନ ଏକ ଭଲ ବିକଳ୍ପ । ଏଥିପାଇଁ ଟ୍ରମ୍ପ ପ୍ରଶାସନ ତାଇଓ୍ବାନକୁ ୩,୩୦୦ କୋଟି ଟଙ୍କାର ସାମରିକ ସହାୟତା ଦେବାର ଥିଲା । କିନ୍ତୁ ଶେଷରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ମଞ୍ଜୁର କରିନାହାନ୍ତି । ଚୀନ୍ ସହ ସଂପର୍କ ସୁଧାରିବାକୁ ଚେଷ୍ଟା ମଧ୍ୟରେ ଆମେରିକା ତାଇଓ୍ବାନ ସହ ବିଶ୍ବାସଘାତକତା କରିଥିବା କୁହାଯାଉଛି । ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ଦୀର୍ଘ ସମୟ ଧରି ଚୀନ୍ ବିରୁଦ୍ଧରେ ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଛି। ଏହି ପରିପ୍ରେକ୍ଷୀରେ ଆମେରିକା ତାଇୱାନକୁ ଗୁଳିଗୋଳା ଏବଂ ଡ୍ରୋନ୍ ପଠାଇବାକୁ ଯୋଜନା କରୁଥିଲା । କିନ୍ତୁ ଏହାକୁ ବନ୍ଦ କରିଦିଆଯାଇଛି।
ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ତାଇୱାନକୁ ସମର୍ଥନ କରିବା ପାଇଁ ୱାଶିଂଟନର ଆଭିମୁଖ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିଛି। ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ସହାୟତା ପ୍ୟାକେଜ୍ ଚୂଡ଼ାନ୍ତ ହୋଇନାହିଁ। ତାଇୱାନକୁ ଆମେରିକା ଧୋକା ଦେବାର ସମୟ ବି ଗୁରୁତ୍ବପୂର୍ଣ୍ଣ । କାରଣ, ଏବେ ଆମେରିକା ବେଜିଂ ସହିତ ଉତ୍ତେଜନା କମ କରିବାକୁ ଏବଂ ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଟ୍ରମ୍ପ ଖୁବ୍ ଶୀଘ୍ର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମଧ୍ୟ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ସେପଟେ ତାଇଓ୍ବାନ ବିରୋଧରେ ଚୀନ୍ ଶକ୍ତି ପ୍ରୟୋଗ କରିବାର ଆଶଙ୍କା ଥିଲେ ମଧ୍ୟ ଆମେରିକା ନିଜର ସହାୟତା ପ୍ୟାକେଜ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ମତ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମତଠାରୁ ଭିନ୍ନ। ବାଇଡେନଙ୍କ କାର୍ଯ୍ୟକାଳରେ, ତାଇୱାନକୁ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଟ୍ରମ୍ପ ଯୁକ୍ତି ଦେଇଛନ୍ତି ଯେ, ତାଇୱାନ ଏକ ଧନୀ ଦେଶ ଏବଂ ଆମେରିକାର ସହାୟତା ଉପରେ ନିର୍ଭର କରିବା ପରିବର୍ତ୍ତେ ନିଜସ୍ୱ ଅସ୍ତ୍ରଶସ୍ତ୍ର କିଣିବା ଉଚିତ। ୟୁକ୍ରେନ ବିଷୟରେ ଟ୍ରମ୍ପ ସମାନ ବୟାନ ଦେଇଛନ୍ତି। ତାଇୱାନ ଆମେରିକାକୁ ଜଣାଇବାକୁ ଚେଷ୍ଟା କରିଛି ଯେ, ସେ ତାର ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରୁଛି। ତାଇୱାନ ରାଷ୍ଟ୍ରପତି ଲାଇ ଚିଙ୍ଗ-ଟେ ଡ୍ରୋନ ଏବଂ ନୌସେନା ଜାହାଜ ପାଇଁ ଏକ ବଜେଟକୁ ମଞ୍ଜୁର କରିଛନ୍ତି ।
ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ, ଆମେରିକା ତାଇୱାନକୁ ୨୦ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା। ଏଥିରେ ମୁଖ୍ୟତଃ F-16 ଲଢ଼ୁଆ ବିମାନ ଏବଂ ଆବ୍ରାମ ଟ୍ୟାଙ୍କ ଅନ୍ତର୍ଭୁକ୍ତ ଥିଲା। ଚଳିତ ବର୍ଷ ଜାନୁଆରୀରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ, ଟ୍ରମ୍ପଙ୍କ ମନୋଭାବ ବଦଳି ଯାଇଛି। ଟ୍ରମ୍ପ ତାଇୱାନର ସାମରିକ ପ୍ୟାକେଜକୁ ଅଧିକ ଗୁରୁତ୍ୱ ଦେଉଥିବା ପରି ମନେ ହେଉନାହିଁ। ଟ୍ରମ୍ପ ପ୍ରଶାସନ ଆମେରିକା ଏବଂ ତାଇୱାନ ପ୍ରତିରକ୍ଷା ଅଧିକାରୀଙ୍କ ମଧ୍ୟରେ ବୈଠକ ବାତିଲ କରିଛି। ଅଗଷ୍ଟରେ ନ୍ୟୁୟର୍କ ଏବଂ ଡାଲାସ ଗସ୍ତ ନକରିବାକୁ ରାଷ୍ଟ୍ରପତି ଲାଇଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।