ନୂଆଦିଲ୍ଲୀ,୩୦/୦୪: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଫୋନ୍‌ରେ ୯୦ ମିନିଟ ଧରି କଥା ହୋଇଛନ୍ତି । ଏହି ଆଲୋଚନାକୁ କ୍ରେମ୍ଲିନ୍ ‘ବନ୍ଧୁତ୍ୱପୂର୍ଣ୍ଣ ଏବଂ ପେସାଦାର’ ଦର୍ଶାଇଛି । ଉଭୟ ନେତା ଇରାନ ଯୁଦ୍ଧ, ୟୁକ୍ରେନ ବିବାଦ ଓ ହ୍ୱାଇଟ ହାଉସରେ ସଦ୍ୟ ସଂଘଟିତ ଗୁଳିମାଡ଼ ଘଟଣା ନେଇ ଆଲୋଚନା କରିଛନ୍ତି ।

କ୍ରେମ୍ଲିନ୍ ଅଧିକାରୀ ୟୁରୀ ଉଷାକୋଭ କହିଛନ୍ତି, ଫୋନ୍‌ରେ କଥା ହେବା ବେଳେ ରାଷ୍ଟ୍ରପତି ପୁଟିନ ହ୍ୱାଇଟ୍ ହାଉସ୍‌ରେ ଟ୍ରମ୍ପ୍‌ଙ୍କ ଟାର୍ଗେଟ୍ କରି ହୋଇଥିବା ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ଏଥିସହିତ ଇରାନ ସହ ଯୁଦ୍ଧବିରତି ଅବଧି ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ପୁଟିନ । ଉଭୟ ନେତା ଇରାନର ପରମାଣୁ କାର୍ଯ୍ୟକ୍ରମ ବାବଦରେ ବ୍ୟାପକ ଚର୍ଚ୍ଚା କରିଛନ୍ତି । ଇରାନ ପ୍ରସଙ୍ଗରେ ନିଜର କେତେକ ପ୍ରସ୍ତାବ ମଧ୍ୟ ରୁଷ ରାଷ୍ଟ୍ରପତି ଦେଇଥିବା ଉଷାକୋଭ କହିଛନ୍ତି ।

ଅଧିକ ପଢ଼ନ୍ତୁ :-  Donald Trump: ବଦଳିଲା ହୋର୍ମୁଜ୍ର ନାଁ, ଷ୍ଟ୍ରେଟ୍ ଅଫ୍ ଟ୍ରମ୍ପ ରଖିଲେ ଆମେରିକା ରାଷ୍ଟ୍ରପତି

ଉଲ୍ଲେଖଯୋଗ୍ୟ, ହ୍ୱାଇଟ ହାଉସରେ ଗତ ୨୫ ତାରିଖରେ ଅନୁଷ୍ଠିତ ଡିନର କାର୍ଯ୍ୟକ୍ରମରେ ଟ୍ରମ୍ପ୍ ବି ସାମିଲ ହୋଇଥିଲେ । ଏହି ସମୟରେ କୋଲ୍ ଟମାସ୍ ଆଲେନ୍ ନାମକ ଜଣେ ୩୧ ବର୍ଷୀୟ ଯୁବକ ଆସି ଅଚାନକ ଗୁଳି ମାଡ଼ କରିଥିଲା । ଏହାପରେ ସୁରକ୍ଷା କର୍ମୀମାନେ ଆକ୍ସନକୁ ଆସି ଆତତାୟୀକୁ କାବୁ କରିଥିଲେ । ଟ୍ରମ୍ପ୍‌ଙ୍କ କଡ଼ା ସୁରକ୍ଷା ବଳୟରେ ସେଠାରୁ ନିଆଯାଇଥିଲା ।