ନୂଆଦିଲ୍ଲୀ : ପୁଣି ଥରେ ଆଲୋଚନା ପାଇଁ ପ୍ରସ୍ତୁତି ଜୋରଦାର। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସୋମବାର ଆମେରିକୀୟ ପ୍ରତିନିଧିମଣ୍ଡଳୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚିବେ, ଯେଉଁଠି ଇରାନ ସହ ଦ୍ୱିପାକ୍ଷୀୟ ସଂଘର୍ଷକୁ ଶେଷ କରିବା ପାଇଁ ଦ୍ୱିତୀୟ ରାଉଣ୍ଡର କଥାବାର୍ତ୍ତା ହେବାକୁ ଯାଉଛି। ଟ୍ରମ୍ପ ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ କହିଛନ୍ତି , ପାକିସ୍ତାନର ମଧ୍ୟସ୍ଥତାରେ ଆଲୋଚନା ଆଗକୁ ବଢୁଛି ଏବଂ ଆମେରିକା ଇସଲାମାବାଦ ଯିବାକୁ ଇଚ୍ଛୁକ। ସେ ପାକିସ୍ତାନୀ ସେନା ପ୍ରମୁଖ ଫିଲ୍ଡ ମାର୍ଶଲ ଆସିମ ମୁନିରଙ୍କ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଭୂମିକା କାରଣରୁ ଇସଲାମାବାଦରେ ଆଲୋଚନାର ସମ୍ଭାବନା ବଢି ଯାଇଛି।
ଟ୍ରମ୍ପ ନିଜ ପୋଷ୍ଟରେ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ଆମେରିକା ଏହି ସାମ୍ନା ସାମ୍ନି ଆଲୋଚନାରେ କେଉଁ କେଉଁ ଅଧିକାରୀଙ୍କୁ ପଠାଉଛି। ହ୍ୱାଇଟ୍ ହାଉସ୍ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ କାର୍ଯ୍ୟାଳୟ ( ଯିଏକି ପ୍ରଥମ ରାଉଣ୍ଡ ଆଲୋଚନାର ନେତୃତ୍ୱ ନେଇଥିଲେ) ଏବେସୁଦ୍ଧା ଏହି ସମ୍ୱନ୍ଧରେ କୌଣସି ଅଫିସିଆଲି ପ୍ରତିକ୍ରିୟା ଦେଇ ନାହାନ୍ତି। ଟ୍ରମ୍ପ ଇରାନ ଉପରେ ଶନିବାର ହର୍ମୁଜ ପ୍ରଣାଳୀରେ ଗୁଳିମାଡ଼ କରି ଯୁଦ୍ଧବିରତି ଚୁକ୍ତିର ଉଲ୍ଲଙ୍ଘନ କରିବା ଅଭିଯୋଗ କରି ଥିଲେ। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ଆମେରିକା ଦ୍ୱାରା ପ୍ରସ୍ତାବିତ ଚୁକ୍ତିକୁ ସ୍ୱୀକାର ନକରେ ତ ଆମେରିକା ଇରାନର ନାଗରିକ ମୌଳିକ ଭିତ୍ତିଭୂମିକୁ ନଷ୍ଟ କରି ଦେବ। ଟ୍ରମ୍ପ ଲେଖିଛନ୍ତି ଯେ, ଯଦି ସେ ଏମିତି ନକରନ୍ତି , ତ ଆମେରିକା ଇରାନର ପ୍ରତ୍ୟେକ ପାୱାର ପ୍ଲାଣ୍ଟ ଓ ପ୍ରତ୍ୟେକ ବ୍ରିଜ୍କୁ ନଷ୍ଟ କରି ଦେବ।
ପାକିସ୍ତାନୀ ଅଧିକାରୀମାନେ ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛନ୍ତି। କ୍ଷେତ୍ରୀୟ ସୂତ୍ରାନୁସାରେ , ମଧ୍ୟସ୍ଥତାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ଅଛି ଏବଂ ଆମେରିକୀୟ ସୁରକ୍ଷା ଦଳ ପୂର୍ବରୁ ହିଁ ପହଞ୍ଚି ସାରିଛନ୍ତି। ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର୍ କହିଛନ୍ତି ଯେ, ତାଙ୍କ ଦେଶ ଉଭୟ ପକ୍ଷ ମଧ୍ୟରେ ମତଭେଦ ଦୂର କରିବା ପାଇଁ ସକ୍ରିୟ ପ୍ରୟାସ କରୁଛି। ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ କହିଛି ଯେ, ପାକିସ୍ତାନର ସେନା ପ୍ରମୁଖଙ୍କର ଯାତ୍ରା ବେଳେ ଆମେରିକା ପକ୍ଷରୁ ନୂଆ ପ୍ରୟାସ ଆସିଛି, ଯାହାର ସମୀକ୍ଷା କରାଯାଉଛି। ହେଲେ ଇରାନୀ ଉପ ବୈଦେଶିକ ମନ୍ତ୍ରୀ ସଇଦ ଖତିବଜାଦେହ କହିଛନ୍ତି ଯେ, ଆମେରିକା ନିଜର ଅତିବାଦୀ ସ୍ଥିତି ଛାଡ଼ି ନାହିଁ, ଏଥିପାଇଁ ନୂଆ ସାମ୍ନାସାମ୍ନି କଥାବାର୍ତ୍ତା ପାଇଁ ଏବେ ମାହୋଲ ପ୍ରସ୍ତୁତ ନାହିଁ। ଖତିବଜାଦେହ ସ୍ପଷ୍ଟ କହିଛନ୍ତି ଯେ, ଇରାନ ନିଜର ୯୭୦ ପାଉଣ୍ଡ (ପାଖାପାଖି ୪୪୦ କିଲୋଗ୍ରାମ୍) ସମୃଦ୍ଧ ୟୁରେନିୟମ ଷ୍ଟକ୍ ଆମେରିକାକୁ ପ୍ରଦାନ କରିବ ନାହିଁ। ସେ କହିଛନ୍ତି ଆମେ ଯେକୌଣସି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ , କିନ୍ତୁ କିଛି କଥା ପୂରା ଅସମ୍ଭବ ।
ଆହୁରି ମଧ୍ୟ ପଢନ୍ତୁ : ସମ୍ମାନର ସହ ଶେଷ ହେବ ଯୁଦ୍ଧ , ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଇରାନୀ ରାଷ୍ଟ୍ରପତିଙ୍କ ଟିପ୍ପଣୀ