ୱାଶିଂଟନ,୦୮/୦୩: ହ୍ୱାଇଟ୍‌ ହାଉସ୍‌ର ଓଭାଲ୍‌ ଅଫିସରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ମୁହାଁମୁହିଁ ଯୁକ୍ତିତର୍କ ହେବା ପରଠାରୁ ରକ୍ତ ଚାଉଳ ଚୋବାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ଜେଲେନ୍‌ସ୍କିଙ୍କୁ ଗାଦିଚ୍ୟୁତ ଲାଗି ସେ୍‌ ଭିତିରି ଷଡ଼ଯନ୍ତ୍ର ଚଳାଇଛନ୍ତି । ଏଥିଲାଗି ସ୍ୱତନ୍ତ୍ର ଟିମ୍‌ ଗଢ଼ିଛନ୍ତି । ଟ୍ରମ୍ପ୍‌ଙ୍କ ଟିମ୍‌ ୟୁକ୍ରେନ୍‌ର ବିରୋଧୀ ଦଳ ନେତାମାନଙ୍କ ସହ ଗୁପ୍ତ ମନ୍ତ୍ରଣା  ଚଳାଇଛି । ନିୟମିତ ବ୍ୟବଧାନରେ ଉଭୟ ପରସ୍ପର ସହ ଚର୍ଚ୍ଚା କରୁଛନ୍ତି । ୟୁକ୍ରେନ୍‌ର ବିରୋଧୀ ଦଳ ନେତ୍ରୀ  ୟୁଲିୟା ଟିମୋଶେଙ୍କୋ ଓ ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ  ପୋରୋଶେଙ୍କୋଙ୍କ ଦଳର ବରିଷ୍ଠ ସଦସ୍ୟଙ୍କ ସହ  ଟ୍ରମ୍ପ୍‌ ଟିମ୍‌ ଚର୍ଚ୍ଚା କରିଛି । ୟୁକ୍ରେନ୍‌ରେ ଶୀଘ୍ର ନିର୍ବାଚନ  କରାଇବାକୁ ବୈଠକରେ ଜୋର ଦିଆଯାଉଛି । 

ରାଷ୍ଟ୍ରପତି ଟ୍ରମ୍ପ୍‌ ବର୍ତ୍ତମାନ ଦୁଇଟି ଦିଗକୁ  ନେଇ ୟୁକ୍ରେନ୍‌ରେ ସରକାର ବଦଳାଇବାକୁ ଚିନ୍ତା  କରୁଛନ୍ତି । ପ୍ରଥମତଃ ସେଠାକାର କୌଣସି ବିରୋଧୀ  ନେତାଙ୍କୁ ଗାଦିରେ ବସାଇବେ । ଯଦି ସମ୍ଭବ ନ  ହୁଏ, ବାହାରୁ କୌଣସି ୟୁକ୍ରେନୀୟ ନେତାଙ୍କୁ ନେଇ  ସେଠାରେ କ୍ଷମତାସୀନ କରାଇବେ । କୁହାଯାଉଛି  ଯେ ଲଣ୍ଡନରେ ଅବସ୍ଥାପିତ ୟୁକ୍ରେନୀୟ ରାଷ୍ଟ୍ରଦୂତଙ୍କୁ  ଏହି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହେବାକୁ କୁହାଯାଇଛି ।  ନିକଟରେ ଏହାର ସଂକେତ ବି ମିଳିଥିଲା ।  

ଜେଲେନ୍‌ସ୍କି ଯେତେବେଳେ ଆମେରିକା ଗସ୍ତ  ସାରି ଲଣ୍ଡନରେ ପହଞ୍ଚିଥିଲେ, ସେଠାରେ ତାଙ୍କୁ  ୟୁକ୍ରେନୀୟ ରାଷ୍ଟ୍ରଦୂତ ସ୍ୱାଗତ ପାଇଁ ପହଞ୍ଚି ନ ଥିଲେ । ଟ୍ରମ୍ପ୍‌ଙ୍କ ନଜର ୟୁକ୍ରେନ୍‌ର ଦୁଇଜଣ ବଡ଼ ବିରୋଧୀ  ନେତାଙ୍କ ଉପରେ ରହିଛି । ଜଣେ ହେଲେ ୟୁକ୍ରେନ୍‌ର  ବିରୋଧୀ ଦଳ ନେତ୍ରୀ ୟୁଲିୟା ଟିମୋଶେଙ୍କୋ ଜଣେ  ଅଭିଜ୍ଞସମ୍ପନ୍ନ ରାଜନେତା । ସେ ଦୁଇଥର ପ୍ରଧାନମନ୍ତ୍ରୀ  ରହିଥିଲେ ଏବଂ ଦୀର୍ଘଦିନ ହେଲା ରାଷ୍ଟ୍ରପତି ପଦ ଉପରେ ତାଙ୍କ ଆଖି ରହିଛି । ସେହିଭଳି ଅନ୍ୟ  ଜଣେ ହେଲେ ‘ଚକ୍‌ଲେଟ୍‌ କିଙ୍ଗ୍‌’ ନାମରେ  ପରିଚିତ ୟୁକ୍ରେନ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ଅରବପତି ପେଟ୍ରୋ ପୋରୋଶେଙ୍କୋ । ସେ  ଜେଲେନ୍‌ସ୍କିଙ୍କର ଜଣେ ବଡ଼ ସମାଲୋଚକ ।  କିନ୍ତୁ ସେ ମଧ୍ୟ ଯୁଦ୍ଧବିରତି ପୂର୍ବରୁ ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି । ତେଣୁ ଟ୍ରମ୍ପ୍‌  କେଉଁ ରଣନୀତି ଆପଣାଇ ୟୁକ୍ରେନ୍‌ରେ  ସରକାର ବଦଳାଇ ନିଜ ରାଗ ଶାନ୍ତ  କରିବେ, ତାହା ଉପରେ ନଜର ରହିଛି ।

ଅନ୍ୟପକ୍ଷରେ ରୁଷ୍‌କୁ ନେଇ ଆମେରିକା ରାଷ୍ଟ୍ରପତି  ଭିନ୍ନ ବୟାନ ଦେଇଛନ୍ତି । ସେ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ ଲାଗି ରୁଷ୍‌ ଚୁକ୍ତି କରିବା ଆବଶ୍ୟକ । ଯଦି ଏଭଳି ନ  ହୁଏ, ତେବେ ରୁଷ୍‌ ଉପରେ ଆହୁରି ଆର୍ଥିକ କଟକଣା ଲାଗୁ କରାଯିବ । ନୂଆ ଟାରିଫ୍‌ ବି ଲାଗୁ କରାଯାଇପାରେ ।  

‘ଟ୍ରୁଥ୍‌ ସୋସିଆଲ୍‌’ରେ ଏକ ପୋଷ୍ଟରେ ଟ୍ରମ୍ପ୍‌ କହିଛନ୍ତି, ବର୍ତ୍ତମାନ ଯୁଦ୍ଧ ଭୂମିରେ ରୁଷ୍‌ ୟୁକ୍ରେନ୍‌ ଉପରେ ପ୍ରହାର କରିଚାଲିଛି । ଯେ ପର୍ଯ୍ୟନ୍ତ ଯୁଦ୍ଧବିରତି ଓ ଶାନ୍ତି ପାଇଁ  ଚୂଡ଼ାନ୍ତ ବୁଝାମଣା ନ ହୋଇଛି, ସେ ପର୍ଯ୍ୟନ୍ତ ରୁଷ୍‌ ବିରୋଧରେ ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟ ପ୍ରତିବନ୍ଧକ ସହ  ଟାରିଫ୍‌ ଲାଗୁ କରିବା ପାଇଁ ଏବେ ଗମ୍ଭୀରତାର ସହ  ବିଚାର କରାଯାଉଛି । ତେଣୁ ବହୁ ବିଳମ୍ବ ହେବା ପୂର୍ବରୁ ରୁଷ୍‌ ଓ ୟୁକ୍ରେନ୍‌ ଆଗେଇ ଆସି ଆଲୋଚନା କରନ୍ତୁ । ଉଭୟ ଦେଶକୁ ମୋର ଏହା ଅପିଲ୍‌ ।