ମୟୂରଭଞ୍ଜ ,୨୨/୧୧ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ଖେଙ୍କାସାହି, ଭାଲିଆପଦା, ବେତନାଶିଆ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ୩୦ଟିରୁ ଅଧିକ ଝାଡ଼ଖଣ୍ଡୀ ହାତୀପଲ ଥିବା ଦେଖିବାକୁ ମିଳିଛି । ୧୩ଟି ହାତୀ ସାରୁମୂଳା ଗାଁକୁ ପ୍ରବେଶ କରି ଦୁଇଟି ଘର ଭାଙ୍ଗିଥିବା ସହିତ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି । ତେବେ ପ୍ରାୟ ଅଧିକାଂଶ ଦିନ ଏ ଗାଁରୁ ସେ ଗାଁକୁ ହାତୀମାନେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି । ଫଳରେ ଜଙ୍ଗଲ କଡ଼ରେ ଥିବା ଗାଁ ଗୁଡ଼ିକ ଯଥା ଖେଙ୍କା ସାହି, ଭାଲିଆପଦା, ବେତନାଶିଆର ସ୍ଥାନୀୟ ଲୋକମାନେ ରାତି ହେଲେ ଇନ୍ଦିରାଆବାସ ଘର ଉପରେ ମଞ୍ଚା ବାନ୍ଧି ଆଶ୍ରୟ ନେଇଥାନ୍ତି ।

ହାତୀର ଉପଦ୍ରବ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ପ୍ରତି ମୁହୂର୍ତ୍ତରେ ଭୟଭୀତ ଅବସ୍ଥାରେ ରହୁଥିବାର ପ୍ରକାଶ କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ପତ୍ର ସଂଗ୍ରହ କରିବାକୁ ଆସି ଗୋଟିଏ ୭ରୁ ଆଠ ବର୍ଷର ଦନ୍ତାହାତୀ ଜଙ୍ଗଲ କଡ଼ରେ ମରି ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଏବଂ ଡିଏଫଓ ଗୋବିନ୍ଦଚନ୍ଦ୍ର ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ମୃତ ଦନ୍ତା ହାତୀର ତଦନ୍ତ ଆରମ୍ଭ କରିଛନ୍ତି ।

ବର୍ଷ ତମାମ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଥିବାରୁ ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ତେବେ ଭୋର ସମୟରେ ହାତୀ ସହିତ ହାତୀର ଲଢେଇରେ ଦନ୍ତାହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ଡିଏଫଓ ଗୋବିନ୍ଦଚନ୍ଦ୍ର ବିଶ୍ଵଳ।