ନରସିଂହପୁର, ୧୪।୨: ନରସିଂହପୁର ପଶ୍ଚିମ ବନ ବିଭାଗ ଅଧୀନ ବାଲିକିଆରୀ ଜଙ୍ଗଲ କମ୍ପାଟ୍ମେଣ୍ଟ୍-୨ରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମୃତ ହାତୀଟି ୫ରୁ ୬ବର୍ଷର ହେବ ବୋଲି ଅନୁମାନ କରାଯାଉଛି । ଦନ୍ତା ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଗଣମାଧ୍ୟମକୁ ସୂଚନା ନ ଦେଇ ଘଟଣାକୁ ବନ ବିଭାଗ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହି ହାତୀକୁ ମିଶାଇ ଚଳିତ ବର୍ଷ ଗୋଟିଏ ମାସରେ ଦୁଇଟି ହାତୀର ମୃତ୍ୟୁ ଘଟିଛି । ଗତ ୧୪ ମାସରେ ଉଭୟ ପୂର୍ବ ଏବଂ ପଶ୍ଚିମ ବନ ବିଭାଗ ଅଧୀନରେ ମୋଟ ୧୧ଟି ହାତୀଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି । ଏବେ ବି ପଶ୍ଚିମ ବନ ବିଭାଗ ଅଧୀନ ବାଲିକିଆରୀ ଜଙ୍ଗଲରେ ଗୋଟିଏ ୫୦ରୁ ଅଧିକ ବର୍ଷର ମାଈ ହାତୀର ଚିକିତ୍ସା ଗତ ୨ ତାରିଖରୁ ଚାଲିଥିବା ବେଳେ ପୂର୍ବ ବନ ବିଭାଗ ଅଧୀନ ସେରମୁଣ୍ଡା ଜଙ୍ଗଲରେ ଅନ୍ୟ ଏକ ୫୦ ବର୍ଷର ଦନ୍ତା ଅସୁସ୍ଥ ଅବସ୍ଥାରେ ବୁଲୁଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... ​​​​​​​​​​​​​​ଏବେ ନିରବ, ନିସ୍ତବ୍ଧ ‘ଚନ୍ଦ୍ରଭାଗା’ : ଅବହେଳିତ ଅବସ୍ଥାରରେ ବିଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କ ବାସଭବନ

 

ସୂଚନା ମୁତାବକ, ବାଲିକିଆରୀ ଜଙ୍ଗଲରେ ୧୨ତାରିଖରୁ ଦନ୍ତାହାତୀର ମୃତ୍ୟୁ ଘଟିଲାଣି । ଏ ସମ୍ପର୍କରେ ଜାଣିବା ପାଇଁ ଦୁଇଦିନ ହେଲା ବନ ବିଭାଗ ଅଧିକାରୀଙ୍କୁ ଏକାଧିକ ବାର ଯୋଗାଯୋଗ କରାଯାଇଥିଲା । ହେଲେ ସମ୍ପୃକ୍ତ ବନ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଗଣମାଧ୍ୟମଠାରୁ ଦୂରେଇ ରହିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି । ହାତୀ ମୃତ୍ୟୁ ଖବର ପାଇ ଅନୁଗୁଳ ଆର୍ସିସିଏଫ୍ ସଞ୍ଜୟ କୁମାର ସ୍ୱାଇଁ, ଆଠଗଡ଼ ଡିଏଫ୍ଓ ଡ. ବିଶ୍ୱାଳ ଚିଚିଲିଚି, ନରସିଂହପୁର ଏସିଏଫ୍ ମନୋଜ ପାତ୍ର, ରେଞ୍ଜର ପ୍ରଦୀପ କୁମାର ନାୟକ, ଭୁବନେଶ୍ୱର ଜଏଣ୍ଟ ଟାସ୍କଫୋର୍ସ ଓ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ, ବନ ବିଭାଗ କର୍ମଚାରୀ ଶୁକ୍ରବାର ଘଟଣା ସ୍ଥଳରେ ପହଞ୍ଚି ହାତୀର ମୃତଦେହ ବ୍ୟବଚ୍ଛେଦ କରାଇଥିଲେ । ଏନେଇ ରେଞ୍ଜର ପ୍ରଦୀପ ନାୟକଙ୍କୁ ପଚାରିବାରୁ ଗୁରୁବାର ବିଳମ୍ବିତ ରାତି ହୋଇଯିବାରୁ ଖବର ଦେଇ ହେଲାନି ବୋଲି ସଫେଇ ଦେଇଛନ୍ତି ।

ସେହିପରି ବାଲିକିଆରୀ କମ୍ପାଟ୍ମେଣ୍ଟ-୯ରେ ଆଉ ଏକ ମାଈ ହାତୀର ଚିକିତ୍ସା ଗତ ୧୧ ଦିନ ହେଲା ବନ ବିଭାଗ ପକ୍ଷରୁ କରାଯାଉଛି । ପୂର୍ବ ବନ ବିଭାଗ ଅନ୍ତର୍ଗତ ସେରମୁଣ୍ଡା ଜଙ୍ଗଲରେ କିଛି ଦିନ ହେଲା ଗଣିଆ ନାମକ ୫୦ରୁ ଅଧିକ ବୟସର ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ଜଣାପଡ଼ିଛି । ଏନେଇ ରେଞ୍ଜର କୁଲେସ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ହାତୀଟି ହିନ୍ଦୋଳ ଅଞ୍ଚଳରୁ କିଛି ଦିନ ପାଇଁ ଆମ ଏରିଆକୁ ପଳାଇ ଆସିଥିଲା । ଏବେ ପୁଣି ହିନ୍ଦୋଳ ଜଙ୍ଗଲକୁ ହାତୀଟି ପଳାଇଥିବା କହିଛନ୍ତି ରେଞ୍ଜର ଶ୍ରୀ ସାହୁ । ଗତ ଜାନୁଆରୀ ୧୪ ତାରିଖରେ ପଶ୍ଚିମ ବନ ବିଭାଗ ଅନ୍ତର୍ଗତ ବୀରସିଂହପୁର ନିକଟରେ ଗୋଟଏ ମାଈ ହାତୀର ମୃତ୍ୟୁ ଘଟିଥିଲା । ଏହାର ବୟସ ୫୦ରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବର୍ଷ ଆରମ୍ଭରୁ ଏହି ଜଙ୍ଗଲରେ ଦୁଇଟି ହାତୀର ମୃତ୍ୟୁ ଘଟିଥିବା ବେଳେ ଏହାକୁ ମିଶାଇ ନରସିଂହପୁର ଉଭୟ ପୂର୍ବ ଓ ପଶ୍ଚିମ ବନ ବିଭାଗ ଅଧୀନରେ ଗତ ୧୪ ମାସରେ ୧୧ଟି ହାତୀଙ୍କର ମୃତ୍ୟୁ ଘଟିଛି । ସେଥିରୁ ୬ଟି ଦନ୍ତା ଓ ୫ଟି ମାଈ ହାତୀ ଥିବା ଜଣାପଡ଼ିଛି । ଏପରି ସ୍ଥିତି ଲାଗି ରହିଲେ କିଛି ବର୍ଷ ମଧ୍ୟରେ ଏହି ଜଙ୍ଗଲ ହାତୀ ଶୂନ୍ୟ ହୋଇଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।