ଅସହ୍ୟ ହେଲା ଘରୋଇ ହିଂସା, ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବେ ଅଭିନେତ୍ରୀ ସୁରଭୀ

ନୂଆଦିଲ୍ଲୀ ୦୨/୦୭: ଟିଭି ଅଭିନେତ୍ରୀ ସୁରଭୀ ତିୱାରୀ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ନାଁରେ ଧୋକା ଦେବା ଏବଂ ଘରୋଇ ହିଂସା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ସୁରଭୀ ୨୦୧୯ ରେ ବ୍ୟବସାୟୀ ତଥା ପାଇଲଟ୍ ପ୍ରବୀଣ ସିହ୍ନାଙ୍କୁ ବିବାହ କରିଥିଲେ। ପ୍ରବୀଣ ଦିଲ୍ଲୀର ବାସିନ୍ଦା। ବିବାହର କିଛି ବର୍ଷ ପରେ ସୁରଭୀ ଶାଶୁଘର ଲୋକଙ୍କ ଉପରେ ମିଛ କହିଥିବାର ଅଭିଯୋଗ ଲଗାଇଛନ୍ତି।
ଖବର ଅନୁଯାୟୀ, ସୁରଭୀ ବିବାହର କିଛି ଦିନ ପରେ ବୁଝିଥିଲେ ଯେ ସେ ଏବଂ ପ୍ରବୀଣ ପରସ୍ପର ପାଇଁ ଠିକ୍ ନୁହଁନ୍ତି। ବିବାହ ପରେ ସ୍ୱାମୀ ତାଙ୍କ ସହିତ ମୁମ୍ବାଇ ସିପ୍ଟ ହେବାକୁ କହିଥିଲେ, କିନ୍ତୁ ପରେ ମନା କରିଦେଇଥିଲେ। ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଦିଲ୍ଲୀ ଆସିଥିଲେ, ସେଠାରେ ତାଙ୍କୁ ପ୍ରତ୍ୟେକ ପଇସାର ହିସାବ ମଗାଯାଉଥିଲା। ସ୍ୱାମୀ ତାଙ୍କୁ ଟଙ୍କା ଦେବା ବନ୍ଦ କରିଦେଲେ ଏବଂ ପରେ ଶାଶୁଘର ଲୋକେ ସମସ୍ତ ଅଳଙ୍କାର ଜବତ କରିନେଲେ।
ସୁରଭୀ ତାଙ୍କ ସ୍ୱାମୀ, ଶାଶୁ ଏବଂ ନଣନ୍ଦଙ୍କ ନାଁରେ ମାରପିଟ କରିଥିବା ଅଭିଯୋଗ କରିଛନ୍ତି। ସେ ଜୁନ୍ ୨୦ ରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଶାଶୁଘର ଲୋକଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ମେ ୧୨ ରେ ମୁମ୍ବାଇର ଏକ କୋର୍ଟରେ ଘରୋଇ ହିଂସା ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ଅନ୍ୟପକ୍ଷେ ସୁରଭୀଙ୍କ ସ୍ୱାମୀ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।