କଳ୍ପନା କରନ୍ତୁ, ଗୋଟିଏ ଦିନ ଶୋଇ ଉଠିଲା ପରେ ନିଜକୁ କଣ୍ଟା ତାରବାଡ଼ ପଛରେ ଏକ ଘରେ ବନ୍ଦୀ ଅବସ୍ଥାରେ ପାଆନ୍ତି, ଯେଉଁଠାରୁ ମୁକୁଳିବା ରାସ୍ତା ନାହିଁ । ଅଧିକାଂଶ ଲୋକ ବାର୍ଦ୍ଧକ୍ୟକୁ ଏହିପରି ଦେଖନ୍ତି ଏବଂ ଏଥିରୁ ରକ୍ଷା ପାଇବାକୁ ଚାହାଁନ୍ତି । ସମାଜ ପ୍ରାୟତଃ ଯୌବନ ଏବଂ ସୌନ୍ଦର୍ଯ୍ୟକୁ ମହିମାମଣ୍ଡିତ କରେ । ଫଳରେ ବାର୍ଦ୍ଧକ୍ୟକୁ ଅଣଦେଖା କରାଯାଏ କିମ୍ବା ନକାରାତ୍ମକ ଭାବରେ ଦେଖାଯାଏ । ହେଲେ ବାର୍ଦ୍ଧକ୍ୟ ଦଣ୍ଡ ନୁହେଁ ବରଂ ଏକ ପବିତ୍ର ଯାତ୍ରା, ଯାହାକୁ ସମ୍ମାନ ଏବଂ ଆନନ୍ଦର ସହିତ ସଫଳ କରିପାରିବେ । ବାର୍ଦ୍ଧକ୍ୟ ହେଉଛି ଭବିଷ୍ୟତର ଜୀବନ୍ତ ପ୍ରତିଫଳନ । ସୁଫି ସନ୍ଥ ରୁମିଙ୍କ ଅନୁସାରେ କଷ୍ଟକୁ ଗ୍ରହଣ କରିବା ଦ୍ୱାରା ନୂତନ ପଥ ଖୋଲିଥାଏ । ସମସ୍ୟାଗୁଡ଼ିକୁ ଆଲିଙ୍ଗନ କରିବା ପରେ ହିଁ ନୂତନ ସମ୍ଭାବନାର ରାସ୍ତା ଖୋଲେ । ଏକ ସୁବର୍ଣ୍ଣ ବୃଦ୍ଧାବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜା ମିଡାସଙ୍କ ପରି କାର୍ଯ୍ୟ କରିବା ଆବଶ୍ୟକ ।
୭୧ ବର୍ଷୀୟ ଲଣ୍ଡନର ସାହିତ୍ୟକାର ଡାଏନା ଏଥିଲ୍ କୁହନ୍ତି- ସପ୍ତମ ଦଶନ୍ଧି ଅତିକ୍ରମ କରିବା ଶେଷ ଋତୁ ନୁହେଁ, ବରଂ ଆରମ୍ଭର ଏକ ନୂତନ ଅଧ୍ୟାୟ । ସେ କୁହନ୍ତି, ୭୧ତମ ଜନ୍ମଦିନ ତାଙ୍କୁ ଏକ ନୂତନ ଦୃଷ୍ଟିକାଣ ଦେଇଥିଲା । ଏହି ପର୍ଯ୍ୟାୟରେ ବୁଝିବା ଉଚିତ ବାର୍ଦ୍ଧକ୍ୟକୁ ସାମ୍ନା କରିବା ଅର୍ଥ ଶାରୀରିକ ପରିବର୍ତ୍ତନକୁ ଗ୍ରହଣ କରିବା ସହ ମାନସିକ ଏବଂ ଭାବପ୍ରବଣ ସଂଯୋଗ ବଜାୟ ରଖିବା । ବାର୍ଦ୍ଧକ୍ୟ ଅର୍ଥ ନିଜକୁ ଏକ ନିର୍ଦ୍ଦିଷ୍ଟ ବାକ୍ସରେ ସୀମିତ ରଖିବା ନୁହେଁ, ବରଂ ନିଜକୁ ଚ୍ୟାଲେଞ୍ଜ କରି ନୂତନ ପ୍ରଶ୍ନ ପଚାରିବା ଏବଂ ପୁନଃ ଆବିଷ୍କାର କରିବାର ଏକ ସୁଯୋଗ । ସମାଜ ସହିତ ଜଡ଼ିତ ରହି ମାନସିକ ଏବଂ ଶାରୀରିକ ଭାବରେ ସକ୍ରିୟ ରହିବା ଅତ୍ୟାବଶ୍ୟକ । ବୃଦ୍ଧାବସ୍ଥାରେ ମଧ୍ୟ ଆମର ପ୍ରୟାସ ଜୀବନରେ ଆନନ୍ଦ ଏବଂ ସନ୍ତୋଷ ଆଣିପାରିବ ଏବଂ ଏହା ଜୀବନର ସବୁଠାରୁ ସୁନ୍ଦର ଉପହାର । ସମସ୍ତେ ଚିରଦିନ ଯୁବକ ରହିବାକୁ ଇଚ୍ଛା କରନ୍ତି । ହେଲେ, ଜାଣିବା ଉଚିତ ବୟସ ଏକ ପ୍ରତିଯୋଗିତା ନୁହେଁ । ବାର୍ଦ୍ଧକ୍ୟ କ୍ଷୟ ନୁହେଁ ବରଂ ବୃଦ୍ଧି । ଏହା ନକାରାତ୍ମକତା ନୁହେଁ ଯେ ଆପଣ ମୃତ୍ୟୁର ନିକଟତର, ବରଂ ଏହା ସକାରାତ୍ମକତା ଯେ ଆପଣ ଏକଥା ଜାଣନ୍ତି । ୬୮ ବର୍ଷୀୟା ଚୀନ୍ ଜେଜେମା ଲିଉଙ୍କ ସ୍କେଟ ବୋର୍ଡିଂର ଭିଡିଓ ଅନଲାଇନରେ ଚହଳ ସୃଷ୍ଟି କରୁଛି । ସେ ତାଙ୍କ ଝିଅ ସହିତ ପାର୍କରେ ସରଳ କୌଶଳ ଶିଖୁଥିଲେ ଏବଂ ଭିଡିଓଗୁଡ଼ିକୁ ସେୟାର କରିଥିଲେ । ବୟସ ସତ୍ତ୍ଵେ ତାଙ୍କର ନିର୍ଭୀକ ସ୍କେଟିଂ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛି ।
ଜେଜେମା କୁହନ୍ତି- ଯୁବକ ହୁଅନ୍ତୁ ବା ବୃଦ୍ଧ ସମସ୍ତେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବା ଉଚିତ । ତାଙ୍କ ସହିତ ସାକ୍ଷାତ କରି ଯୁବକମାନେ ପ୍ରେରଣା ପାଆନ୍ତି । ଜୀବନର ପ୍ରତ୍ୟେକ ପର୍ଯ୍ୟାୟ ଆମକୁ କିଛି ନୂଆ ଶିଖାଏ । ଯୌବନ ସଫଳତା ପ୍ରଦାନ କରେ, ମଧ୍ୟବୟସ ଦୃଷ୍ଟିକୋଣ ଏବଂ ବୃଦ୍ଧାବସ୍ଥା ଜ୍ଞାନ ପ୍ରଦାନ କରେ । ଦି ନ୍ୟୁୟର୍କ ଟାଇମ୍ ଖବରକାଗଜର ସ୍ତମ୍ଭକାର ରୋଜେନ୍ ରୋସେନ୍ ବ୍ଲେଟ୍ କୁହନ୍ତି, ମୁଁ ଅଶିବର୍ଷ ପାର କରିଛି । ମୋର ଇଚ୍ଛା, ମୋ ବୟସ ଏଠାରେ ରହିଯାଉ । ସେ ଏହି ବୟସରେ ବଞ୍ଚିବାର ଆନନ୍ଦ ପାଆନ୍ତି । କୁହନ୍ତି, ଏହି ବୟସରେ କିଛି ଅସୁବିଧା ନିଶ୍ଚିତ ଅଛି । କିନ୍ତୁ ଏହି କଷ୍ଟଗୁଡ଼ିକ ବୟସ ମୋତେ ଦେଇଥିବା ଉପହାର ତୁଳନାରେ କିଛି ନୁହେଁ । ସେ ଏବେ ବି ସେକ୍ସପିୟରଙ୍କ ଅନେକ ସନେଟ୍, ଡିଲାନ୍ ଥମାସ, ମାଥ୍ୟୁ ଆର୍ନାଲ୍ଡ ଏବଂ ୱାର୍ଡସୱର୍ଥଙ୍କ ପଙ୍କ୍ତିଗୁଡ଼ିକୁ ପଢ଼ିପାରନ୍ତି । ଯୁବାବସ୍ଥାର ବ୍ୟସ୍ତ ଜୀବନରେ ସୀମିତ ହୋଇଥିବା ତାଙ୍କର ସଙ୍ଗୀତପ୍ରୀତି ଏବେ ପୁନର୍ଜୀବିତ ହୋଇଛି । ଆଜିକାଲି ସେ ପିଆନୋ ବଜାଉଛନ୍ତି । ଏହି ଦଶନ୍ଧି ବୟସରେ ସେ ଏବେ କମ୍ ସ୍ୱାର୍ଥପର ଏବଂ ବନ୍ଧୁ ପରିବାର ସହିତ ଅଧିକ ସମୟ ବିତାଇପାରନ୍ତି । ସେ ଶୀତକୁ ଭୟ କରନ୍ତି ନାହିଁ ଏବଂ ବସନ୍ତ ଚାଲିଯିବାର ଦୁଃଖ ମଧ୍ୟ ନାହିଁ । ଆଖି ପିଛୁଳାକେ ଜୀବନର ଶୀର୍ଷରେ ପହଞ୍ଚିହୁଏନି । ଏହା ଧୀରେ ଧୀରେ, ସ୍ଥିର ଏବଂ ଉତ୍ସର୍ଗୀକୃତ ପ୍ରୟାସର ଫଳାଫଳ ।
ଜୀବନର ପ୍ରତ୍ୟେକ ପର୍ଯ୍ୟାୟର ସଂଗୃହୀତ ଅଭିଜ୍ଞତା ଏବଂ ଜ୍ଞାନ ବାର୍ଦ୍ଧକ୍ୟକୁ ଗଭୀର, ଅର୍ଥପୂର୍ଣ୍ଣ ଏବଂ ସମୃଦ୍ଧ କରିଥାଏ । ଏହି ଅଭିଜ୍ଞତା ସମସ୍ୟାକୁ ସରଳ କରି ସମ୍ପର୍କକୁ ମଜବୁତ କରେ । ଜୀବନ ଋତୁ ପରି ପରିବର୍ତ୍ତନ ହୁଏ । ଶୈଶବ ବସନ୍ତ ପରି ନୂତନ, କୋମଳ ଏବଂ ଉତ୍ସାହରେ ପରିପୂର୍ଣ୍ଣ । ଯେଉଁଠାରେ ସ୍ୱପ୍ନ ଫୁଲ ଫୁଟେ, ପତ୍ର ସବୁଜ ରହେ । ଯୌବନ ଶରତ ପରି । ଯେଉଁଠାରେ ଜୀବନ ପରିପକ୍ୱ ହୁଏ, ଦାୟିତ୍ୱ ବୃଦ୍ଧିପାଏ, ପତ୍ର ଝରେ, କିନ୍ତୁ ଫଳ ପାଚିଯାଏ । ବାର୍ଦ୍ଧକ୍ୟ ଶୀତ ପରି ଶାନ୍ତ, ସ୍ଥିର, ଥଣ୍ଡା, ତଥାପି ଗଭୀର ଚିନ୍ତନରେ ପରିପୂର୍ଣ୍ଣ । ଏହା ଏକ ପ୍ରତୀକାତ୍ମକ ଅଧ୍ୟାୟ ଯେଉଁଠାରେ ଜଣେ ବ୍ୟକ୍ତି ଜୀବନ ଅଭିଜ୍ଞତା ସଂଗ୍ରହ କରି ଜ୍ଞାନର ଶୀର୍ଷରେ ପହଞ୍ଚିଥାଏ । ବୃଦ୍ଧାବସ୍ଥା ଶେଷ ନୁହେଁ ବରଂ ଜୀବନର ସେହି ସୁବର୍ଣ୍ଣ ଋତୁ ଯେଉଁଠାରେ ଅଭିଜ୍ଞତା ଜ୍ଞାନରେ ପରିଣତ ହୁଏ । ଜଗବନ୍ଧୁ ମଉସା ବହୁତ ଶାନ୍ତ, ସରଳ, ପାରିବାର ଲୋକ । ବର୍ତ୍ତମାନ ତାଙ୍କୁ ବୟସ ୬୮ ପାଖାପାଖି ହେବ । କିଛିଦିନ ତଳେ ଜାଣିବାକୁ ପାଇଲେ ସେ ଏକ ଦୁରାରୋଗ୍ୟରେ ପୀଡ଼ିତ । ଏଥିପାଇଁ ସେ ଭାଙ୍ଗିପଡ଼ିଛନ୍ତି । ହେଲେ ଦୁଃଖ ବାଣ୍ଟିଲେ ସରେ, ଖୁସି ବାଣ୍ଟିଲେ ଦ୍ୱିଗୁଣ । ଯଦି ଆପଣ ଭୟଭୀତ ହୁଅନ୍ତି ତେବେ ମାନସିକ ଭାବରେ ଭାଙ୍ଗିପଡ଼ିବେ ।
ଅଧିକାଂଶ ଲୋକ ନିଜ ବୟସର କାରଣ ଦର୍ଶାଇ ଅନେକ କାମରୁ ପଛଘୁଞ୍ଚା ଦିଅନ୍ତି । ହେଲେ ୮୨ବର୍ଷୀୟା ମହିଳା ଓଲେନା ବୟକୋ ଋଷିକେଶରେ ଭାରତର ସର୍ବୋଚ୍ଚ ବଙ୍ଗୀ ଜମ୍ପ ପୂରଣ କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି । ବୟସ କେବଳ ଏକ ସଂଖ୍ୟା ବୋଲି ପ୍ରମାଣ କରି ବ୍ରିଟେନର ବାସିନ୍ଦା ଓଲେନା ବୟକୋ ୧୧୭ ମିଟର ଉଚ୍ଚତାରୁ ଡେଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି, ତାଙ୍କ ନିର୍ଭୀକତା ପାଇଁ ପ୍ରଶଂସା ଅର୍ଜନ କରିଛନ୍ତି । ଓଲେନା ସାହସ ଏବଂ ଉତ୍ସାହର ଏକ ପ୍ରେରଣାଦାୟକ ଉଦାହରଣ ସ୍ଥାପନ କରିଛନ୍ତି । ତାଙ୍କର ଏହି ସଫଳତା ଭାଇରାଲ ହେବାପରେ ଲୋକମାନେ କହୁଛନ୍ତି ଯେ, ସ୍ୱପ୍ନ ଦେଖିବା ପାଇଁ କୌଣସି ବୟସ ସୀମା ନାହିଁ । କେବଳ ସେଗୁଡ଼ିକୁ ହାସଲ କରିବା ପାଇଁ ଆଗ୍ରହ ଆବଶ୍ୟକ । ପ୍ରତ୍ୟେକ ପଦକ୍ଷେପରେ ନୂତନ ଇତିହାସ ସୃଷ୍ଟି କରିବାର ସାହସ ହେଉଛି ଜୀବନର ପ୍ରକୃତ ରୋମାଞ୍ଚ । ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ହେଉଥିବା ଏକ ଭିଡିଓରେ ଓଲେନା ଉତ୍ସାହ ସହ ଡେଇଁବା ଦେଖାଯାଉଛି । ଲୋକମାନେ ତାଙ୍କ ଡେଇଁବା ଘଟଣାକୁ ସାହସର ଡେଣା ଭାବରେ ବର୍ଣ୍ଣନା କରିଛନ୍ତି । ଓଲେନା ବୟକୋ କୁହନ୍ତି, ଶିଖିବା ପାଇଁ ବୟସ ସୀମା ନାହିଁ । ଯେଉଁମାନେ ଶିଖିବାକୁ ଆଗ୍ରହୀ ସେମାନେ କେବେବି ବୃଦ୍ଧ ହୁଅନ୍ତିନାହିଁ । ପଚିଶ ଏବଂ ପଞ୍ଚସ୍ତରି ମଧ୍ୟରେ ପାର୍ଥକ୍ୟ କେବଳ ସମୟର ବିଷୟର ନୁହେଁ । ଜୀବନର ପ୍ରତ୍ୟେକ ଦଶନ୍ଧି ଏକ ନୂତନ ପାଳି ଆରମ୍ଭ କରେ । ବୟସ ବୃଦ୍ଧି ଅର୍ଥ ଦ୍ୱାର ବନ୍ଦ ନୁହେଁ, ବରଂ ନୂତନ ଦ୍ୱାର ଖୋଲିବା ବିଷୟରେ । ଜୀବନରେ କିଛି ଶେଷ ହୁଏନାହିଁ, କେବଳ ପରିବର୍ତ୍ତନ ହୁଏ ।