ଢେଙ୍କାନାଳ,୧୪।୫ (ଆପ୍ର): ଢେଙ୍କାନାଳ ସଦର ଥାନା ଅଉଖମା ଗାଁରେ କେନାଲରେ ବୁଡି ୨ ଭାଇଙ୍କର ମୃତ୍ୟୁ ହୋଇଛି । ମୃତ ୨ ଭାଇ ହେଲେ ରୁଦ୍ରନାରାୟଣ ସାହୁ (୧୯) ଓ ଅଂଶୁମାନ ସାହୁ (୧୪) ।
ବୁଧବାର ଅପରାହ୍ନରେ ମନୋରଞ୍ଜନ ସାହୁଙ୍କ ବଡପୁଅ ରୁଦ୍ରନାରାୟଣ ସାହୁ (ଓମ୍ ) ଓ ସାନ ପୁଅ ଅଂଶୁମାନ ସାହୁ (ସୋମ୍) ଗ୍ରାମ ନିକଟ ରାଇଡିହ ରେଙ୍ଗାଲି କେନାଲ ଯାଇଥିଲେ । ସାନ ଭାଇ ସୋମ୍ ଗାଧୋଉଥିବା ବେଳେ ବୁଡିଯାଇଥିଲେ। ସାନ ବୁଡି ଯାଉଥିବା ଦେଖି କେନାଲ ହୁଡାରେ ବସିଥିବା ବଡଭାଇ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ବୁଡିଯାଇଥିଲା। ଖବରପାଇ ଗ୍ରାମବାସୀ ଖୋଜାଖୋଜି କରି ଉଦ୍ଧାର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।