ଭୁବନେଶ୍ୱର,୨୪/୨ : ଯାତ୍ରୀ ସୁରକ୍ଷା, ଆରାମ ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ସୁଗମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବତଟ ରେଳପଥ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନର କୋଚ୍ ଗୁଡ଼ିକୁ ଆଧୁନିକ ଏଲଏଚବି(ଲିଙ୍କେ ହଫମାନ ବୁଶ୍) କୋଚ୍ରେ ପରିବର୍ତ୍ତନ କରିବ।

୨୫ ଫେବୃଆରୀ ୨୦୨୬ଠାରୁ ଟ୍ରେନ ଗୁଡ଼ିକୁ ଏଲଏଚବି କୋଚ୍ ସହିତ ରୂପାନ୍ତରଣ କରାଯିବ । ଗୋଟିଏ ହେଲା ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ଓ ଅନ୍ୟଟି ହେଲା ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ । କୋଚ୍ ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ଗୋଟିଏ ସ୍ଲିପର୍ କ୍ଲାସ୍ (୩-ଟାୟାର, ନନ୍-ଏସି) କୋଚ୍, ଗୋଟିଏ ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ଆସନ କୋଚ୍, ୫ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଗୋଟିଏ ଗାର୍ଡ-କମ୍-ପାୱାର କାର୍ କୋଚ୍, ଗୋଟିଏ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ଗାର୍ଡ-କମ୍-ସେକେଣ୍ଡ କ୍ଲାସ୍ କୋଚ୍ ରହିବ । ସେହିଭଳି ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ଦୁଇଟି ଏସି ଚେୟାର କାର୍ କୋଚ୍, ଦୁଇଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଂ କୋଚ୍, ୮ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଗୋଟିଏ ଗାର୍ଡ-କମ୍-ପାୱାର କାର୍ କୋଚ୍, ଗୋଟିଏ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ଗୋଟିଏ ଗାର୍ଡ-କମ୍-ଦ୍ଵିତୀୟ ଶ୍ରେଣୀ କୋଚ୍ ରହିବ ।

ଏଲଏଚବି କୋଚ୍ ଗୁଡ଼ିକ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ, ଉକୃଷ୍ଟ ଯାତ୍ରା ସୁବିଧା, ଉନ୍ନତ ସସପେନସନ୍ ସିଷ୍ଟମ୍ ଏବଂ ଆକର୍ଷଣୀୟ ଡିଜାଇନ୍ ସହ ନିର୍ମିତ କରାଯାଇଛି । ଏହି କୋଚ୍ ଗୁଡ଼ିକ ଦ୍ରୁତଗତିରେ ଅଧିକ ସ୍ଥିରତା ପ୍ରଦାନ କରିବା ସହିତ ଯାତ୍ରୀଙ୍କୁ ଆଧୁନିକ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ଏହି ଅପଗ୍ରେଡେସନ୍ ପୂର୍ବତଟ ରେଳପଥର ଆଧୁନିକୀକରଣ ଏବଂ ସୁରକ୍ଷା ବୃଦ୍ଧି ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଯାହା ଭାରତୀୟ ରେଳବାଇର ବ୍ୟାପକ ଦୃଷ୍ଟିକୋଣ ଅନୁରୂପ । ସମଗ୍ର ନେଟୱାର୍କରେ କ୍ରମଶଃ ପାରମ୍ପରିକ କୋଚ୍ ଗୁଡ଼ିକୁ ସୁରକ୍ଷିତ ଏବଂ ଅଧିକ ଆରାମଦାୟକ ଏଲଏଚବି କୋଚ୍ ସହ ପରିବର୍ତ୍ତନ କରିବାର ଲକ୍ଷ୍ୟକୁ ସମର୍ଥନ କରେ । ଏହି ମାର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନେ ଉନ୍ନତ ସୁବିଧା, ଉଚ୍ଚତର ସୁରକ୍ଷା ମାନଦଣ୍ଡ ଓ ସମଗ୍ର ଯାତ୍ରା ଅନୁଭବରେ ଉଲ୍ଲେଖନୀୟ ସୁଧାରର ଲାଭ ଉଠାଇପାରିବେ।