ବଳଙ୍ଗା, ୦୯/୦୫: ଛେଳି ଚୋରି ହୋଇସାରିଥିଲା । ବାଇକ୍‌ରେ ଲଦି ଫେରାର ହେବାକୁ ପ୍ରସ୍ତୁତ ଥିଲେ । ହେଲେ ବାଇକ୍ ଧୋକା ଦେଇଦେଲା । ଫଳରେ ଫେରାର ହେବା ପୂର୍ବରୁ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି ୨ ଚୋର । ଉତ୍ତମମଧ୍ୟମ ଦେଇ ପୁଲିସ ଜିମା ଦେଇଛନ୍ତି ଲୋକେ । ଶୁକ୍ରବାର ଅପରାହ୍ଣରେ ବଳଙ୍ଗା ଥାନା ଅନ୍ତର୍ଗତ ସମରୋଇ ଗ୍ରାମ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଗ୍ରାମର ସୁଷମା ଦାଶ ନାମକ ଜଣେ ମହିଳାଙ୍କର ୨ଟି ଛେଳି ଗ୍ରାମ ମୁଣ୍ଡରେ କେନାଲ ବନ୍ଧରେ ଚରୁଥିଲା ବେଳେ ଅପରାହ୍ଣରେ ଜଟଣୀ ବୁଢ଼ାପଡ଼ାର ବାଲାଜୀ ପ୍ରଧାନ ଓ ଅନ୍ୟ ଜଣେ ଯୁବକ ଏକ ବାଇକ୍ରେ ଛେଳିକୁ ଲଦିଥିଲେ । କିଛି ଦୂରରୁ ଗ୍ରାମର ଜଣେ ବ୍ୟକ୍ତି ଦେଖି ଡାକ ପକାଇବାରୁ ଅନ୍ୟ ଲୋକମାନେ ଆସିଥିଲେ । ଲୋକ ଆସୁଥିବା ଦେଖି ଦୁର୍ବୃତ୍ତ ୨ଜଣ ବାଇକ୍ରେ ଫେରାର ହେବାକୁ ଚେଷ୍ଟା କରିବା ବେଳେ ବାଇକ ଷ୍ଟାର୍ଟ ହେଇନଥିଲା । ଫଳର ୨ଜଣ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଲୋକେ ଉତ୍ତମମଧ୍ୟମ ଦେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରୁ ୨ ଦୁର୍ବୃତ୍ତଙ୍କୁ ଅଟକ ରଖି ସେମାନଙ୍କ ବାଇକକୁ ଜବତ କରିଛି ।