- କାର୍ଯ୍ୟକ୍ରମର ନିରୀକ୍ଷଣ ପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ
- ତିନି ବର୍ଷ ପାଇଁ କାର୍ଯ୍ୟକାରୀ ହେବ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା
ଭୁବନେଶ୍ୱର, ୨୫।୫: ଗ୍ରାମୀଣ ରୂପାନ୍ତରଣ ଦିଗରେ ବଡ଼ ପଦକ୍ଷେପ । ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ହୋଇଛି। ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ।
ଓଡ଼ିଶାର ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଏବଂ ସାର୍ବଜନୀନ ସ୍ଥାନ (କମୁନିଟି ସ୍ପେସ) ସହିତ ପରିପୂର୍ଣ୍ଣ କରିବା ପାଇଁ ଆଦର୍ଶ ଗ୍ରାମ ମିଶନକୁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପରିକଳ୍ପନା କରାଯାଇଛି। ଏହା କେବଳ ସହରାଞ୍ଚଳ ସ୍ତରର ସୁବିଧା ପ୍ରଦାନ କରି ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକୁ ସଶକ୍ତ କରିବ ନାହିଁ, ବରଂ ସେଗୁଡିକୁ ଆତ୍ମନିର୍ଭରଶୀଳ ଓ ସ୍ୱୟଂଶାସିତ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୭୩୩ଟି ଗ୍ରାମ ପଞ୍ଚାୟତର ସମସ୍ତ ସଦର ଗ୍ରାମକୁ ୨୦୨୯ ସୁଦ୍ଧା ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଦିଆଯିବ । ଏହି ଲକ୍ଷ୍ୟ ପୂରଣର ପ୍ରଥମ ପଦକ୍ଷେପ ଭାବେ ଗ୍ରାମ ସ୍ତରରେ ଭିତ୍ତିଭୂମି ଓ ସୁବିଧାର ଅଭାବ ଚିହ୍ନଟ କରିବା ପାଇଁ ଏକ ବେସଲାଇନ ସର୍ଭେ କରାଯିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଶକ୍ତି ବିଭାଗ ଇତ୍ୟାଦି ସମସ୍ତ ଅଂଶୀଦାର ବିଭାଗ ସହ ପରାମର୍ଶ କରି ସର୍ଭେ ପାଇଁ ଏକ ନିର୍ଦ୍ଧାରିତ ଫର୍ମାଟ ପ୍ରସ୍ତୁତ କରାଯାଇଛି । ମନ୍ତ୍ରୀ ଏହି ସର୍ଭେ ଫର୍ମାଟକୁ ଉନ୍ମୋଚନ କରିଛନ୍ତି । ବେସଲାଇନ ସର୍ଭେର ଆରମ୍ଭ ସହିତ ‘ମଡେଲ ଭିଲେଜ ମିଶନ’ର ଶୁଭାରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ କାର୍ଯ୍ୟାନ୍ବୟନ ଓ ନିରୀକ୍ଷଣ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-କମ୍-ସଚିବ ଗିରିଶ ଏସ୍.ଏନ୍.ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଂଶୀଦାର ବିଭାଗର ପ୍ରତିନିଧିମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ଓ ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ନେଇ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବାର ବ୍ୟବସ୍ଥା ରହିଛି ।
ସେହିପରି ମନ୍ତ୍ରୀ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ମଧ୍ୟ ଶୁଭାରମ୍ଭ କରିଥିଲେ । ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଏବଂ ରାଜନୈତିକ ଇତିହାସରେ ଅସାଧାରଣ ଅବଦାନ ରଖିଥିବା ମହାପୁରୁଷମାନଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରି ସେଗୁଡ଼ିକୁ ଆଦର୍ଶ ଗ୍ରାମ ପଞ୍ଚାୟତରେ ପରିଣତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ଏହି ଯୋଜନା ୨୦୨୬-୨୭ ରୁ ୨୦୨୮-୨୯ ପର୍ଯ୍ୟନ୍ତ ତିନି ବର୍ଷ ଅବଧି ପାଇଁ କାର୍ଯ୍ୟକାରୀ ହେବ ଏବଂ ଏହା ଅଧୀନରେ ରାଜ୍ୟର ପ୍ରାୟ ୧୦୦ରୁ ୧୫୦ଟି ଗ୍ରାମ ପଞ୍ଚାୟତକୁ ଚୟନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଜଡିତ ୧୫ଟି ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ଏହି ଯୋଜନା ଅଧୀନରେ ରାସ୍ତା, ପାଇପ୍ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଅଙ୍ଗନୱାଡି କେନ୍ଦ୍ର, ଖେଳପଡ଼ିଆ, ଡିଜିଟାଲ୍ ସଂଯୋଗ, ସୌର ଶକ୍ତି, ସ୍ମାରକୀ ପାର୍କ ଏବଂ ପୈତୃକ ଘରର ପୁନରୁଦ୍ଧାର ଭଳି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ । ଏହା ସହିତ ଦକ୍ଷତା ବିକାଶ, ଡିଜିଟାଲ୍ ସାକ୍ଷରତା, ସାମାଜିକ ସୁରକ୍ଷା ଏବଂ ଜୀବିକା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଏହି ଯୋଜନା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ ଓ ସମନ୍ୱୟ ରକ୍ଷା କରାଯିବ ।
ଆହୁରି ପଢନ୍ତୁ : ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ