ଭୁବନେଶ୍ବର ୨୫।୫: ପଶ୍ଚିମ ଓଡ଼ିଶା ଜଳୁଛି । ପାଗ ବଦଳୁନି । ଗ୍ରୀଷ୍ମ ତାଉରେ ଜନଜୀବନ ଭାଜି ହୋଇଗଲେଣି । ଆସନ୍ତା ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସମ୍ବଲପୁର, ବଲାଙ୍ଗିର, ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସୋନପୁରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୪ ଦିନ ଉପକୂଳରେ ଗୁଳୁଗୁଳି ସହ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ ।
ସେହିଭଳି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୩୦ରୁ କାଳବୈଶାଖୀ ଯୋଗୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
ଉପକୂଳବର୍ତ୍ତୀ ଅଞ୍ଚଳ ଭୁବନେଶ୍ୱର,କଟକ ଏବଂ ପୁରୀରେ ବାୟୁମଣ୍ଡଳର ତାପମାତ୍ରା ସାମାନ୍ୟ କମ୍ ରହିଲେ ମଧ୍ୟ ଶାରୀରିକ ଅସ୍ୱାଭାବିକତା ଓ ଗୁଳୁଗୁଳି ବହୁତ ଅଧିକ ହେବ । ବଙ୍ଗୋପସାଗରରୁ ପ୍ରଚୁର ପରିମାଣରେ ଆର୍ଦ୍ରତା ପ୍ରବେଶ କରୁଥିବାରୁ ଗରମର ପ୍ରକୃତ ଅନୁଭୂତି ଆହୁରି ବଢ଼ିଯିବ । ତେବେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ କାଳବୈଶାଖୀ ଜନିତ ସୀମିତ ବର୍ଷା ହୋଇପାରେ । ଏଥିରେ ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବନି । ଆସନ୍ତା ୨୮–୨୯ ପରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ତଥାପି ପାଗ ଗରମ ଓ ଗୁଳୁଗୁଳିପୂର୍ଣ୍ଣ ରହିବ । ଏହି ସମୟରେ ବାୟୁମଣ୍ଡଳୀୟ ଅସ୍ଥିରତା ବଢ଼ିପାରେ । ବିଭିନ୍ନ ପାଣିପାଗ ମଡେଲ୍ ସୂଚନା ଅନୁଯାୟୀ ମାସର ଶେଷ ଆଡ଼କୁ କିମ୍ବା ଜୁନ୍ ପ୍ରାରମ୍ଭରେ ପଶ୍ଚିମ-କେନ୍ଦ୍ରୀୟ କିମ୍ବା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏବେଠାରୁ ତୀବ୍ରତାକୁ ନେଇ ସ୍ପଷ୍ଟ ଭାବେ କହି ହେବନି । ଏହା ସକ୍ରିୟ ହେଲେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ ।
ଆହୁରି ପଢନ୍ତୁ : ଆହୁରି ୪ ଦିନ ଜଳିବ, ପଶ୍ଚିମରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି, ୨୯ରୁ କାଳବୈଶାଖୀ ବଢ଼ିବ