ରେଢ଼ାଖୋଲ, ୨୪/୧୨ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ହଳଦୀଘାଟ ବ୍ରିଜ ନିକଟ ବୁଲାଣିରେ ବୁଧବାର ସକାଳେ ବାଇକ୍ ଦୁର୍ଘଟଣାରେ ଭୀମଭୋଇ କଲେଜର ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ଜୁଜୁମୁରା ବ୍ଲକ କୟାକୁଦ ପଞ୍ଚାୟତ ରାମ ବଡ଼ମାଳ ଗ୍ରାମର ବାଦଳ ବିଞ୍ଜାଲ ଓ ଚାରମାଳ ଥାନା ନୁଆପଡ଼ାର ଠାକୁର ଦେହୁରୀ ।

ସୂଚନାଯୋଗ୍ୟ ଯେ, ଭୀମଭୋଇ କଲେଜର +୨ ଦୁଇ ଦ୍ବିତୀୟ ବର୍ଷ କଳା ବିଭାଗର ୩ଜଣ ଛାତ୍ର ନୂଆପଡ଼ା ଗ୍ରାମର ସତ୍ୟବ୍ରତ ଦେହୁରୀ, ଠାକୁର ଦେହୁରୀ ଓ ରାମ ବଡ଼ମାଳ ଗ୍ରାମର ବାଦଳ ବିଞ୍ଜାଲ ଆଜି କଲେଜରେ ପରୀକ୍ଷା ଦେଇ ଏକ ବାଇକରେ ନାକଟିଦେଉଳ ରାସ୍ତାରେ ଯାଉଥିବାବେଳେ ବାଇକଟି ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ହଳଦୀଘାଟ ବ୍ରିଜ ନିକଟ ବୁଲାଣି ରାସ୍ତାକଡ଼ରେ ଥିବା ବାଡ଼ାରେ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା ।

ଫଳରେ ସେମାନେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ବାଦଳ ବିଞ୍ଜାଲକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ବୁର୍ଲା ସ୍ଥାନାନ୍ତରବେଳେ ରାସ୍ତାରେ ଠାକୁର ଦେହୁରୀଙ୍କ ମୃତ୍ୟୁ ହୋଇଥିଲା । ସତ୍ୟବ୍ରତ ଦେହୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ପୁଲିସ ପହଞ୍ଚି ତଦନ୍ତ କରୁଛି ।