ନଭି ମୁମ୍ୱାଇ : ନଭି ମୁମ୍ୱାଇରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ନାବାଳିକା ଦୁଇ ଭଉଣୀ ହୋଇଛନ୍ତି ଯୌନ ଶୋଷଣର ଶିକାର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ କାର୍ଯ୍ୟ ଆଉ କେହି ନୁହେଁ , ତାଙ୍କର ଜନ୍ମ କଲା ବାପା ହିଁ କରୁଥିଲେ। ନିଜ ଔରସରୁ ଜାତ ଦୁଇ ଝିଅଙ୍କୁ ସାମାନ୍ୟ କିଛି ଟଙ୍କା ପାଇଁ ଦଲାଲ ହାତରେ ଟେକି ଦେଉଥିଲେ। ଦଲାଲ ତାଙ୍କୁ ନେଇ ବେଶ୍ୟାବୃତ୍ତି କରୁଥିଲା।

ସୂଚନା ପାଇବା ପରେ ନଭି ମୁମ୍ୱାଇ ଅପରାଧ ଶାଖାର ଆଣ୍ଟି-ହ୍ୟୁମ ଟ୍ରାଫିକିଂ ୟୁନିଟ୍ ( AHTU), ଏହି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲା ଏବଂ ୨୦ ଫେବ୍ରୁଆରୀରେ ସଂପୃକ୍ତ ଦଲାଲକୁ ଗିରଫ କରିଥିଲା।

ଏହି ଦୁଇ ଝିଅଙ୍କର ପିଶାଚ ବାପାକୁ ତଲାସ ପାଇଁ ପୁଲିସ ଅଭିଯାନ ଆରମ୍ଭ କରି ଦେଇଛି। AHTUର ବରିଷ୍ଠ ନିରୀକ୍ଷକ ପୃଥ୍ୱୀରାଜ ଘୋରପଡେ କହିଛନ୍ତି , ଆମକୁ ସୂଚନା ମିଳିଥିଲା ଯେ, ହରିଶ ଛାରୀ ନାମକ ଜଣେ ଦଲାଲ ବେଶ୍ୟାବୃତ୍ତିର ରାକେଟ୍ ଚଲାଉଛି। ଝିଅମାନେ ନାବାଳିକା ଥିଲେ ଏବଂ ସେମାନେ ଲଜ୍ ଓ ହୋଟେଲ ପର୍ଯ୍ୟନ୍ତ ଯିବାକୁ ସକ୍ଷମ ନଥିଲେ, ଏଥିପାଇଁ ହରିଶ ତାଙ୍କୁ ଗ୍ରାହକଙ୍କୁ ପାଖକୁ ନେଇ ଯାଉଥିଲା, ଯେଉଁଥି ପାଇଁ ସେ ଗ୍ରାହକଙ୍କ ଠାରୁ ପ୍ରତିଦିନ ୧.୫ ଲକ୍ଷ ଟଙ୍କା ଆଦାୟ କରୁଥିଲା। ସେ ଆହୁରି କହିଛନ୍ତି , ହରିଶ କୋପରଖୈରାନର ବାସିନ୍ଦା।

ସେ ଖୁଲାସା କହିଛନ୍ତି ଯେ, ନାବାଳିକାଙ୍କ ପିତା ବେଶ୍ୟାବୃତ୍ତି ରାକେଟରେ ସାମିଲ ଥିଲେ, କାରଣ ସେ ସ୍ୱେଚ୍ଛାରେ ନିଜ ଝିଅମାନଙ୍କୁ ଗ୍ରାହକଙ୍କ ପାଖକୁ ପଠାଉ ଥିଲେ, ଏହି କାମ ଏହି ଦୁଇ ଜଣ ( ଦଲାଲ ହରିଶ ଓ ନାବାଳିକାଙ୍କ ବାପା) ଗତ ୪ ମାସ ହେବ କରି ଆସୁଥିଲେ। ଏହି ଦୁଇ ଭଉଣୀ ରାଜସ୍ଥାନର ଏବଂ ତାଙ୍କ ବାପାଙ୍କ ସହ କୋପରଖୈରାନରେ ରହୁଥିଲେ।

ଏହି ମାମଲାରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଦୁଇ ଅଭିଯୁକ୍ତଙ୍କ ଉପରେ ବିଏନଏସ ଓ ପକ୍ସୋ ଆକ୍ଟ ସମ୍ୱନ୍ଧିତ ଧାରା ଅନୁସାରେ ଯୌନ ଉତ୍ପୀଡ଼ନ ଓ ଶିଶୁ ଯୌନ ଶୋଷଣ ମାମଲା ରୁଜୁ କରାଯାଇଛି। ଛାରିକୁ ୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ପୁଲିସ ହେପାଜତରେ ପଠାଯାଇଛି।

ଉଦ୍ଧାର ନାବାଳିକା ଦୁଇ ଭଉଣୀଙ୍କୁ ଚାଇଲ୍ଡ ୱେଲଫେୟାର କମିଟି ଦାୟିତ୍ୱରେ ଦିଆଯାଇଛି ଏବଂ ସେମାନଙ୍କୁ ଇଲହାସନଗରର ଏକ ଜୁଭେନିଲ ସେଲଟର ହୋମ୍ରେ ରଖାଯାଇଛି।