ପୁରୀ,୨୩।୫ : ପୁଣି ଖଜା ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଯୁବକ ହାତାହାତି। ପୁରୀ ଶ୍ରୀକୃଷ୍ଣ ସିନେମା ଗଳିରେ ଦୁଇଜଣ ଯୁବକ ଖଜା ବ୍ୟବସାୟକୁ କେନ୍ଦ୍ରକରି ହାତାହାତି ହେବା ସହ ମୁଥ ମରାମରି ହୋଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଥାନାକୁ ଉଠାଇ ନେଇଛି। ସେହିପରି ଦୁଇ ଯୁବକଙ୍କ ଠେଲା ଗାଡ଼ିକୁ ଉଠାଇ ନେଇଛନ୍ତି ଏନଫୋର୍ସମେଣ୍ଟ ସ୍କାର୍ଡ। ଶନିବାର ଅପରାହ୍ନରେ ଏଭଳି ଘଟଣା ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା।

ଖଜା ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଯୁବକଙ୍କ ଏଭଳି ହାତାହାତି ଦୃଶ୍ୟ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ଭକ୍ତ। ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀରେ ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇଛି। ତୁରନ୍ତ ପୁରୀ ପୋଲିସ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ତେବେ ଖଜା ବ୍ୟବସାୟକୁ କେନ୍ଦ୍ରକରି ପୂର୍ବରୁ ପୁରୀରେ ହତ୍ୟାକାଣ୍ଡ ଭଳି ଜଘନ୍ୟ ଘଟଣା ଘଟି ସାରିଛି। ପ୍ରତି ସମୟରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ବ୍ୟବସାୟୀ ମାନେ ହାତାହାତି ହେଉଛନ୍ତି। ଏଣୁ ପୁରୀ ପୋଲିସ ଏଭଳି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି।

ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ଦୋକାନକୁ ଏନଫୋର୍ସମେଣ୍ଟ ସ୍କାର୍ଡ ଫିଙ୍ଗା ଫୋପଡା କରିବା ସହ ଦୋକାନ ଉଠାଇ ନେଇଛନ୍ତି।