ନୂଆଦିଲ୍ଲୀ ୩୧/୦୫: ବର୍ତ୍ତମାନ ସୋସିଆଲ ମିଡ଼ିଆରେ ସବୁଠୁ ଚର୍ଚ୍ଚିତ ଏହି ନାମ । ଇନଷ୍ଟା ରିଲ୍ରୁ ଆରମ୍ଭ କରି ୟୁ ଟ୍ୟୁବ୍ ଓ ଟିକ୍ ଟକ୍ ପର୍ଯ୍ୟନ୍ତ, ସବୁଠି ଭାଇରାଲ ‘ଗେଟୋ କିଡ୍ସ’ । ଏମାନେ ଅସାଧାରଣ । ସମଗ୍ର ବିଶ୍ୱ ପାଇଁ ପ୍ରେରଣାର ଉତ୍ସ । ନିଜର ସ୍ୱତନ୍ତ୍ର ଡ୍ୟାନ୍ସ କୌଶଳ ଜରିଆରେ ସାରା ବିଶ୍ୱରେ ପ୍ରିୟ ପାଲଟିଛନ୍ତି ଏହି ଡ୍ୟାନ୍ସ ଗ୍ରୁପ୍ । ଆଗାମୀ ଫିଫା ବିଶ୍ୱକପ୍‌ରେ ଗେଟୋ କିଡ୍ସ ଗ୍ରୁପ୍ ନୃତ୍ୟ ପରିବେଷଣ କରିବାକୁ ଯାଉଛନ୍ତି । ଜୁଲାଇ ମାସ ୧୯ ତାରିଖରେ ଫାଇନାଲ୍ ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ହେବା ମାତ୍ରେ ପ୍ରସିଦ୍ଧ ଗାୟିକା ସାକିରାଙ୍କ ସଙ୍ଗୀତର ତାଳେ ତାଳେ ଏହି ଡ୍ୟାନ୍ସ ଗ୍ରୁପ୍ ନୃତ୍ୟ କଳା ଦେଖାଇ ଅଗଣିତ ଦର୍ଶକଙ୍କୁ ମତୁଆଲା କରିବେ । ସେମାନଙ୍କ ନାଚରେ ମେଟ୍ ଲାଇଫ ଷ୍ଟାଡ଼ିୟମ ନୂଆ ଜୀବନ ପାଇବ ।

ୟୁଗାଣ୍ଡାର କାମ୍ପାଲା ଅଞ୍ଚଳ ବସ୍ତିରୁ ବାହାରି ସମଗ୍ର ବିଶ୍ୱରେ ରାଜୁତି କରୁଛି ‘ଗେଟୋ କିଡ୍ସ’ ଡ୍ୟାନ୍ସ ଗ୍ରୁପ୍ । ଆଫ୍ରିକାର ଷ୍ଟ୍ରିଟ୍ ଡ୍ୟାନ୍ସକୁ ଆଜି ବିଶ୍ୱ ଦରବାରରେ ପହଞ୍ଚାଇଛି । ଦିନେ ଏହି ପିଲାମାନଙ୍କ ନିକଟରେ ବେଳାଏ ଖାଇବାକୁ ନଥିଲା । ପାଠ ପଢ଼ା ଥିଲା ସ୍ୱପ୍ନ । ଅନେକ ପିଲା ଥିଲେ ଅନାଥ । ଏହି ବସ୍ତି ଅଞ୍ଚଳର ପିଲାମାନେ ମୂଲ ଲାଗି ପେଟ ପୋଷୁଥିଲେ । ଏମାନଙ୍କୁ ନୂଆ ପରିଚୟ ଦେଇଥିଲେ ଜଣେ ସାଧାରଣ ବ୍ୟକ୍ତି ।

ଡାଉଡା କାଭୁମା ନାମକ ଏହି ବ୍ୟକ୍ତି ଜଣକ ୨୦୧୪ରେ କାମ୍ପାଲାର କାଟ୍ୱେ ବସ୍ତି ଅଞ୍ଚଳରୁ ୫ଜଣ ପିଲାଙ୍କୁ ଏକତ୍ରିତ କରି ଡ୍ୟାନ୍ସ ଶିଖାଇଥିଲେ । ମୋବାଇଲରେ ଗୀତ ଲଗାଇ ସେ ଡ୍ୟାନ୍ସ ଶିଖାଉଥିଲେ । ପିଲା ମାନଙ୍କ ଡ୍ୟାନ୍ସକୁ ଭିଡ଼ିଓ କରି ୟୁ ଟ୍ୟୁବ ଓ ଅନ୍ୟ ସୋସିଆଲ ମିଡ଼ିଆ ପୃଷ୍ଠାରେ ଅପଲୋଡ କରୁଥିଲେ । ଚାହୁଁ ଚାହୁଁ ସମସ୍ତ ଭିଡ଼ିଓ ହୋଇଥିଲା ଭାଇରାଲ । ସେମାନଙ୍କ ଆଫ୍ରୋ ଡ୍ୟାନ୍ସ ରୁଟିନ୍‌କୁ ଚାରିଆଡେ ପ୍ରଶଂସା କରାଯାଇଥିଲା । ଗ୍ରୁପର ଫଲୋର୍ସ ବଢି ଚାଲିଥିଲା । ୟୁ ଟ୍ୟୁବ ଭିଡ଼ିଓରୁ ଅର୍ଥ ରୋଜଗାର ହୋଇଥିଲା । ଏହି ଅର୍ଥରେ ପିଲାମାନଙ୍କୁ ଖାଦ୍ୟ, ରହିବା ପାଇଁ ଘର ଓ ପ୍ରାଥମିକ ଶିକ୍ଷା ପ୍ରଦାନ କରିଥିଲେ କାଭୁମା । ୨୦୨୨ରେ ପ୍ରସିଦ୍ଧ ବିଟିଶ ଗାୟକ ଏଡ ସରିନଙ୍କ ନଜର ଏହି ସବୁ ଭିଡ଼ିଓ ଉପରେ ପଡ଼ିଥିଲା । ଗେଟୋ କିଡ୍ସଙ୍କୁ ନେଇ ସେ ଏକ ମ୍ୟୁଜିକ ଆଲବମ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିବର୍ଷ ୟୁ ଟ୍ୟୁବ ଥିଏଟର୍ରେ ସରିନଙ୍କ ଆଲବମ ‘ବ୍ୟାଡ୍ ହାବିଟ୍ସ’ରେ ଗେଟୋ କିଡ୍ସ ଡ୍ୟାନ୍ସ କରି ନୂଆ ପରିଚୟ ପାଇଥିଲେ ।

ପରେ ଏହି ଡ୍ୟାନ୍ସ ଗ୍ରୁପ୍‌କୁ ଚାରି ଆଡ଼ୁ ନିମନ୍ତ୍ରଣ ମିଳିଥିଲା । ଫ୍ରେଞ୍ଚ ମୋଣ୍ଟାନାଙ୍କ ‘ଅନଫର୍ଗେଟେବଲ’ ଭିଡ଼ିଓରେ ଗେଟୋ କିଡ୍ସ ଗ୍ରୁପ୍‌ର ଡ୍ୟାନ୍ସ ୧.୬ ବିଲିୟନ ଫଲୋର୍ସ ସୃଷ୍ଟି କରିଥିଲା । ପରେ ସିନ ପଲଙ୍କ ସହ ଗେଟୋ କିଡ୍ସ ଡ୍ୟାନ୍ସ ପରିବେଷଣ କରିବାକୁ ସୁଯୋଗ ପାଇଥିଲେ । ୨୦୨୩ରେ ‘ବ୍ରିଟେନ୍’ସ ଗଟ ଟ୍ୟାଲେଣ୍ଟ୍’ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଡ୍ୟାନ୍ସ ଗ୍ରୁପ୍ ନୃତ୍ୟ ପରିବେଷଣ କରି ସମଗ୍ର ବିଚାରକ ମଣ୍ଡଳିକୁ ସ୍ତବ୍ଧ କରି ଦେଇଥିଲେ । ଇସ୍ତାନବୁଲରେ ଅନୁଷ୍ଠିତ ୟୁଇଏଫଏ ଚାମ୍ପିଅନ୍ସ ଲିଗ୍ର ଉଦଯାପନୀ ଉତ୍ସବରେ ଗେଟୋ କିଡ୍ସ ଥିଲେ ମୁଖ୍ୟ ଆକର୍ଷଣ । ‘ଗେଟୋ କିଡ୍ସ’ ଡ୍ୟାନ୍ସ ଗ୍ରୁପ୍‌ର ସ୍ୱତନ୍ତ୍ରତା ହେଉଛି ୟୁଗାଣ୍ଡାର ପାରମ୍ପରିକ ନୃତ୍ୟ କଳା ଓ ଅତ୍ୟାଧୁନିକ ଆଫ୍ରୋ ଡ୍ୟାନ୍ସର ମିଶ୍ରଣ । ଡ୍ୟାନ୍ସ ବେଳେ ସମସ୍ତଙ୍କ ମୁହଁରେ ଭାସି ଉଠୁଥିବା ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ । ଏବେ ବି ଗେଟୋ କିଡ୍ସ ଗ୍ରୁପ୍‌ର ସମସ୍ତ ଡ୍ୟାନ୍ସ ଭିଡ଼ିଓ କାମ୍ପାଲା ବସ୍ତି ଅଞ୍ଚଳ, ସ୍ଥାନୀୟ ଆବର୍ଜନାପୂର୍ଣ୍ଣ କାଦୁଅ ରାସ୍ତା ଓ ଜନ ଗହଳି ହାଟ ଭିତରେ ସୁଟିଂ ହୋଇଥାଏ ।

 

ଗ୍ରୁପ୍‌ର ପ୍ରାୟତଃ ଅଧିକାଂଶ ପିଲା ଅନାଥ । ଅନେକଙ୍କର ରହିବାକୁ ଘର ନାହିଁ । ଆଉ କିଛି ପିଲାଙ୍କ ପରିବାର ଅତ୍ୟନ୍ତ ଗରିବ । ଏହି ଗ୍ରୁପରେ ରହିଛନ୍ତି ୬ରୁ ୧୮ ବର୍ଷ ବୟସର ପିଲା । ଡ୍ୟାନ୍ସ ବେଳେ ଭେଷ ଭୁଷା ଓ ପୋଷାକ କିଛି ଗୁରୁତ୍ୱ ରଖେ ନାହିଁ । ମୁହଁରେ ଥାଏ ମେଞ୍ଚା ମେଞ୍ଚା ହସ । ଡ୍ୟାନ୍ସରୁ ଆୟ ଅର୍ଥରେ ‘ଗେଟୋ କିଡ୍ସ ଡ୍ୟାନ୍ସ ଏକାଡେମୀ’ ନିଜ ଅଞ୍ଚଳର ଲୋକଙ୍କ ରହିବା ପାଇଁ ଘର ନିର୍ମାଣ କରନ୍ତି । ଭୋକ ଉପାଷରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଅନ୍ତି ଓ ବାକି ଅର୍ଥକୁ ପିଲାମାନଙ୍କ ପାଠ ପଢାରେ ଖର୍ଚ୍ଚ କରନ୍ତି । ଗରିବ ପିଲାମାନଙ୍କୁ ଏହି ଏକାଡେମୀ ମାଗଣାରେ ଡ୍ୟାନ୍ସ ଶିଖାଇବା ସହ ପାଠ ପଢାଉଛି ।

ଆହୁରି ପଢ଼ନ୍ତୁ...IPL Final 2026: ଦ୍ୱିତୀୟ ଟାଇଟଲ ପାଇଁ ହାଇଭୋଲଟେଜ୍ ମୁକାବିଲା, ଅହମ୍ମଦାବାଦରେ ଗୁଜରାଟ- ବେଙ୍ଗାଲୁରୁ ମଧ୍ୟରେ ଫାଇଟ୍

ସାକିରା ଏଥର ବିଶ୍ୱକପ୍ ସଙ୍ଗୀତ ‘ଦାଇ ଦାଇ’ରେ କଣ୍ଠ ଦାନ କରିଛନ୍ତି । ଏହି ଗୀତର ଭିଡ଼ିଓ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସାକିରାଙ୍କ ସହ ଗେଟୋ କିଡ୍ସ ଡ୍ୟାନ୍ସ ଗ୍ରୁପ୍ ସେମାନଙ୍କ ନୃତ୍ୟ ପରିବେଷଣ କରୁଛନ୍ତି । ଫାଇନାଲ୍ ମ୍ୟାଚର ପ୍ରଥମାର୍ଦ୍ଧ ପରେ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମରେ ସାକିରାଙ୍କ ସମେତ ପ୍ରସିଦ୍ଧ ଗାୟିକା ମାଡୋନା ଓ କୋରିଆ ବ୍ୟାଣ୍ଡ ଗ୍ରୁପ୍ ବିଟିଏସ୍ ମଧ୍ୟ ଆକର୍ଷଣ ସାଜିବେ । ତଥାପି ସମସ୍ତଙ୍କ ନଜର ଗେଟୋ କିଡ୍ସଙ୍କ ଉପରେ ରହିବ । ଏହା ପଛରେ ମଧ୍ୟ ବଳିଷ୍ଠ କାରଣ ରହିଛି । ଫିଫା ଏଥର ବିଶ୍ୱକପ୍ ସଙ୍ଗୀତରୁ ଆୟ ଅର୍ଥକୁ ଫିଫା ଗ୍ଲୋବାଲ ସିଟିଜେନ ଏଜୁକେସନ ଫଣ୍ଡକୁ ପ୍ରଦାନ କରିବ । ଏହି ଅର୍ଥ ସମଗ୍ର ବିଶ୍ୱର ଅନଗ୍ରସର ପିଲାଙ୍କ ପାଠ ପଢାରେ ଖର୍ଚ୍ଚ ହେବ । ଫିଫା ଏହି ସଙ୍ଗୀତରୁ ୧୦୦ ମିଲିୟନ ଡଲାର ଆୟ କରିବାର ଲକ୍ଷ୍ୟ ରଖିଛି ।