ନୂଆଦିଲ୍ଲୀ,୦୪/୦୭; ୟୁକେରେ ହିନ୍ଦୁ ସମୂଦାୟଙ୍କୁ ଝଟକା । ଭାଙ୍ଗିଲା ପ୍ରଥମ ମନ୍ଦିର ସ୍ୱପ୍ନ । ବ୍ରିଟେନର କେମ୍ବ୍ରିଜଶାୟାରରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ଯୋଜନାକୁ ଏକ ବଡ଼ ଝଟକା ଲାଗିଛି । ଦକ୍ଷିଣ କେମ୍ବ୍ରିଜଶାୟାର ଜିଲ୍ଲା ପରିଷଦ ମନ୍ଦିର ପାଇଁ ଅନୁରୋଧ କରାଯାଇଥିବା ଜମିକୁ ଏକ ହିନ୍ଦୁ ସଂଗଠନ ପରିବର୍ତ୍ତେ ଏକ ଚର୍ଚ୍ଚ-ନେତୃତ୍ୱାଧୀନ ପ୍ରକଳ୍ପକୁ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଜମି ୯୯୯ ବର୍ଷ ପାଇଁ ଲିଜ୍ ଦିଆଯିବ। ଏହି ପ୍ରକଳ୍ପରେ ଏକ ଚର୍ଚ୍ଚ, ଏକ ପ୍ରାର୍ଥନା ସ୍ଥାନ ଏବଂ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ପାଇଁ ଏକ ଶିକ୍ଷା କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ହେବ ।
ନର୍ଥଷ୍ଟୋ ସହରର ସ୍ଥାନୀୟ ଲୋକମାନେ ହିନ୍ଦୁ ସମାଜ ନର୍ଥଷ୍ଟୋ (HSN) ନାମକ ଏକ ଟ୍ରଷ୍ଟ ଗଠନ କରିଥିଲେ । ଏହି ସଂଗଠନ ଜମିରେ ଏକ ହିନ୍ଦୁ ମନ୍ଦିର ସହିତ ଏକ ଇଣ୍ଟରଫେଥ୍ ଏବଂ ୱେଲନେସ୍ ସେଣ୍ଟର କେନ୍ଦ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା । ପ୍ରସ୍ତାବଗୁଡ଼ିକର ମୂଲ୍ୟାଙ୍କନ କରିବା ପରେ, ପରିଷଦ HSNକୁ ୬୫% ମାର୍କ ପ୍ରଦାନ କରିଥିଲା । ନର୍ଥଷ୍ଟୋ ଚର୍ଚ୍ଚ ନେଟୱାର୍କ (NCN) ୮୧% ମାର୍କ ପାଇଥିଲା । ଏହି ଆଧାରରେ, ଜମି NCNକୁ ପ୍ରଦାନ କରାଯାଇଥିଲା । NCNର ଯୋଜନାରେ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ପାଇଁ ଏକ ସ୍ଥାୟୀ ଇସଲାମିକ୍ ପ୍ରାର୍ଥନା କକ୍ଷ ଏବଂ ଶିକ୍ଷା କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ । ନର୍ଥଷ୍ଟୋ ମୁସଲିମ ସମ୍ପ୍ରଦାୟ କହିଛନ୍ତି ଯେ ସହରରେ ୨୦୦ରୁ ଅଧିକ ମୁସଲିମ ବାସ କରନ୍ତି ଏବଂ ସେମାନଙ୍କୁ ୫ ଥର ନମାଜ ପାଠ ପାଇଁ ଏକ ସ୍ଥାୟୀ ସ୍ଥାନ ଆବଶ୍ୟକ ।
ହିନ୍ଦୁ ସମ୍ପ୍ରଦାୟ ନିରାଶ - ଏହି ନିଷ୍ପତ୍ତିରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ନିରାଶ ହୋଇଛନ୍ତି । HSN ସଭାପତି ଅପର୍ଣ୍ଣା ନିଗମ-ସକ୍ସେନା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାନ୍ତି। ସେ କହିଛନ୍ତି ଯେ ଆର୍ଥିକ ରେକର୍ଡ ଅଭାବରୁ ସଂଗଠନକୁ କମ୍ ମାର୍କ ଦିଆଯାଇଥିଲା, କିନ୍ତୁ ସେମାନଙ୍କୁ ପୂର୍ବରୁ ଜଣାଇ ଦିଆ ଯାଇନଥିଲା ଯେ ଏହା ମୂଲ୍ୟାଙ୍କନର ଏତେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । ଯଦି ସେମାନେ ପୂର୍ବରୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପାଇଥାନ୍ତେ, ତେବେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଏବଂ ରିପୋର୍ଟ ପ୍ରସ୍ତୁତ କରିପାରିଥାନ୍ତେ । ନିଷ୍ପତ୍ତି ବିରୁଦ୍ଧରେ ଆପିଲ କରିବାକୁ ବିଚାର କରୁଛି ହିନ୍ଦୁ ସମୁଦାୟ ।
ଏହା ବି ପଢନ୍ତୁ...‘ଚିକେନ୍ ନେକ୍’ ଉପରେ ଚୀନର ନଜର, ବାଂଲାଦେଶର ନୂଆ ପ୍ରକଳ୍ପକୁ ନେଇ ଆଲର୍ଟରେ ଭାରତ
କେମ୍ବ୍ରିଜଶାୟାରରେ ଅନେକ ଚର୍ଚ୍ଚ ଏବଂ ମସଜିଦ ଅଛି, କିନ୍ତୁ କୌଣସି ହିନ୍ଦୁ ମନ୍ଦିର ନାହିଁ । ସେଠାରେ ରହୁଥିବା ହିନ୍ଦୁ ପରିବାରମାନଙ୍କୁ ପୂଜା କରିବା ପାଇଁ ବର୍ମିଂହାମ କିମ୍ବା ୱେମ୍ବଲି, ଲଣ୍ଡନକୁ ପ୍ରାୟ ଦୁଇ ଘଣ୍ଟା ଯାତ୍ରା କରିବାକୁ ପଡ଼ିଥାଏ । ସ୍ଥାୟୀ ମନ୍ଦିର ନଥିବାରୁ ଗଣେଶ ଉତ୍ସବ, ମହାଶିବରାତ୍ରି ଏବଂ ହବନ ଭଳି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରୁନାହିଁ ।
ପରମ୍ପରା-ସଂସ୍କୃତିଠାରୁ ଦୂରେଇ ଯାଉଛନ୍ତି ନୂତନ ପିଢ଼ି- ନର୍ଥଷ୍ଟୋରେ ୧୬ ବର୍ଷୀୟା ଏୟାଭା କହିଛନ୍ତି ଯେ, ସେ କେବେ ମହାଶିବରାତ୍ରି କିମ୍ବା ଯଜ୍ଞ ଭଳି ସାରା ରାତି ଧରି ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି । ଭାରତରେ ତାଙ୍କ ସମ୍ପର୍କୀୟମାନେ ସେମାନଙ୍କର ପର୍ବଗୁଡ଼ିକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି, କିନ୍ତୁ ବ୍ରିଟେନରେ ଯୁବ ପିଢ଼ି ଧୀରେ ଧୀରେ ସେମାନଙ୍କ ସଂସ୍କୃତି ଏବଂ ଧାର୍ମିକ ପରମ୍ପରାରୁ ଦୂରେଇ ଯାଉଛନ୍ତି ।